fbpx

ମଙ୍କିପକ୍ସରୁ କିପରି ବଞ୍ଚାଇବେ ନିଜକୁ ? ଜାଣନ୍ତୁ ଉପାୟ

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ମଙ୍କିପକ୍ସ ଭାଇରସକୁ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି । ୨୦୨୨ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ଏହି ରୋଗକୁ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଆଫ୍ରିକାରେ ମଙ୍କିପକ୍ସ ଭାଇରସ ଦ୍ରୁତ ଗତିରେ ବଢୁବା ମାମଲାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

ଚଳିତ ବର୍ଷ ଆଫ୍ରିକାରେ ପ୍ରାୟ ୩୦ ହଜାର ମଙ୍କିପକ୍ସ ମାମଲା ପଞ୍ଜିକୃତ ହୋଇଛି ଏବଂ ୬୦୦ ଜଣଙ୍କର ମୃତ୍ୟୁ ଘଟିଛି ।

୨୦୨୨ ମସିହାରେ ଯେତେବେଳେ ଏହି ଭାଇରସ କୁ ବିଶ୍ବ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା, ସେତେବେଳେ ଏହି ଭାଇରସ ୧୧୬ ଟି ଦେଶକୁ ବ୍ୟାପିଥିଲା ଏବଂ ପ୍ରାୟ ଏକ ଲକ୍ଷ ସଂକମିତ ମାମଲା ରେକର୍ଡ କରାଯାଇଥିଲା ।

ବର୍ତ୍ତମାନ ପୁଣି ଥରେ ଏହି ଭାଇରସର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଯଦିଓ ଏଥର କେବଳ ଆଫ୍ରିକାରେ ଅଧିକ ମାମଲା ଆସୁଛି, କିନ୍ତୁ ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ଡବ୍ଲୁଏଚଓ ବିଶ୍ବର ସମସ୍ତ ଦେଶକୁ ସତର୍କ କରିସାରିଛି । ଏହି ରୋଗ ଆଫ୍ରିକା ବ୍ୟତୀତ ଅନ୍ୟ ମହାଦେଶରେ ବ୍ୟାପିପାରେ ବୋଲି ଆଶଙ୍କା କରାଯାଉଛି ।

କ’ଣ ଏହି ମଙ୍କିପକ୍ସ ଭାଇରସ?

ମଙ୍କିପକ୍ସ ଏକ ଭାଇରସ ଦ୍ବାରା ସୃଷ୍ଟି ହୋଇଥିବା ଏକ ରୋଗ । ଫ୍ଲୁ ପରି ଲକ୍ଷଣ ସାମ୍ନାକୁ ଆସିଥାଏ । ଏହା ଅର୍ଥୋପକ୍ସଭାଇରସ୍ ବଂଶର ଏକ ଜୀବାଣୁ ଅଟେ । ସଂକ୍ରମିତ ପ୍ରାଣୀ ମାନଙ୍କ ଠାରେ ଆପଣ ଏହା ମଧ୍ୟ ପାଇପାରିବେ । ତଥାପି, ଅଧିକାଂଶ କ୍ଷେତ୍ରରେ ଏହା ମାଙ୍କଡ଼ ଠାରୁ ମଣିଷ କୁ ବ୍ୟାପିଥାଏ ।

ମଙ୍କିପକ୍ସ ଭାଇରସର ଦୁଇଟି ଷ୍ଟ୍ରେନ୍ ଅଛି – ଗୋଟିଏ ମଧ୍ୟ ଆଫ୍ରିକା (କ୍ଲେଡ୍-୧) ଏବଂ ଅନ୍ୟଟି ପଶ୍ଚିମ ଆଫ୍ରିକା (କ୍ଲେଡ୍-୨) ରୁ ଆସିଛି । ବର୍ତ୍ତମାନ କ୍ଲେଡ୍-୨ର ଅଧିକ ମାମଲା ରିପୋର୍ଟ କରାଯାଉଛି । ଏହି ଭାଇରାସ ଶୀଘ୍ର ବ୍ୟାପିଥାଏ ଏବଂ ମୃତ୍ୟୁ ହେବାର ଆଶଙ୍କା ମଧ୍ୟ ଅଧିକ ରହିଛି ।

କିପରି ସଂକ୍ରମିତ ହୁଏ ମଙ୍କିପକ୍ସ ଭାଇରସ?

ଏମପକ୍ସ ଭାଇରସ ଯେକୌଣସି ବ୍ୟକ୍ତିଙ୍କୁ ସଂକ୍ରମିତ କରିପାରେ । ଆଫ୍ରିକାରେ ଅଧିକାଂଶ ଆକ୍ରାନ୍ତ ୧୫ ବର୍ଷରୁ କମ୍ ପିଲାମାନଙ୍କଠାରେ ଦେଖାଯାଏ । ପୁରୁଷମାନଙ୍କ ସହିତ ଯୌନ ସମ୍ପର୍କ ରଖୁଥିବା ପୁରୁଷମାନଙ୍କ ଠାରେ ଏହି ଭାଇରସ ଅଧିକ ଦେଖାଯାଏ । ଏହି ଭାଇରସ ଗର୍ଭବତୀ ମହିଳାମାନଙ୍କ ଠାରେ ମଧ୍ୟ ଦେଖାଯାଏ । ଏହି ସଂକ୍ରମଣ ଅସୁରକ୍ଷିତ ଯୌନ ସମ୍ପର୍କ ମାଧ୍ୟମରେ ଏବଂ ସଂକ୍ରମିତ ବ୍ୟକ୍ତିଙ୍କ ଲାଳ କିମ୍ବା ଚର୍ମ ସଂସ୍ପର୍ଶରେ ଆସି ବିସ୍ତାର ହୁଏ ।

ମଙ୍କିପକ୍ସର ଲକ୍ଷଣ କ’ଣ?

ଜ୍ବର ହେବା, ଥଣ୍ଡା ଧରିବା, ମୁଣ୍ଡ ବିନ୍ଧା, ମାଂଶପେଶୀ ପୀଡା ହେବା, ଥକ୍କା ଲାଗିବା ଆଦି ଲକ୍ଷଣ ଦେଖାଦେବା।

କ’ଣ ରହିଛି ମଙ୍କିପକ୍ସର ଚିକିତ୍ସା
ମଙ୍କିପକ୍ସ ସାଧାରଣତଃ କିଛି ଦିନ ମଧ୍ୟରେ ଆପେ ଆପେ ଠିକ୍ ହୋଇଯାଇଥାଏ । କିନ୍ତୁ କେତେକ କ୍ଷେତ୍ରରେ ଏହା ଗମ୍ଭୀର ଲକ୍ଷଣ ସୃଷ୍ଟି କରି ମୃତ୍ୟୁର କାରଣ ହୋଇପାରେ । ଏହି ରୋଗ ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ କିମ୍ବା ଟିକା ନାହିଁ, ତେଣୁ କେବଳ ଲକ୍ଷଣ ଆଧାରରେ ଚିକିତ୍ସା କରାଯାଏ । ଡାକ୍ତର ରୋଗୀଙ୍କୁ ଟେକୋଭିରିମୈଟ୍ ଭଳି ଆଣ୍ଟିଭାଇରାଲ୍ ଔଷଧ ଦେଇପାରିବେ ।

କିପରି ମଙ୍କିପକ୍ସରୁ ରକ୍ଷା ପାଇବେ ଜାଣନ୍ତୁ…

ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସନ୍ତୁ ନାହିଁ ।
ଯେଉଁ ଦେଶରେ ଏହି ଭାଇରସ ବ୍ୟାପୁଛି ସେହି ଦେଶକୁ ଯିବା ଠାରୁ ଦୂରେଇ ରୁହନ୍ତୁ ।
ଫ୍ଲୁ ଲକ୍ଷଣ ସହିତ ଯଦି ମୁହଁରେ ଦାଗ ଦେଖାଯାଏ, ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।
ଅସୁରକ୍ଷିତ ଯୌନ ସମ୍ପର୍କ ରଖନ୍ତୁ ନାହିଁ ।

Get real time updates directly on you device, subscribe now.