fbpx

ମହିଳା IPS ଅଫିସର ଏନ୍ ବି ଭାରତୀ ନିଖୋଜ; ବିଜ୍ଞପ୍ତି ଜାରି କଲେ ସରକାର

ଭୁବନେଶ୍ୱର (ଓଡ଼ିଶା ଭାସ୍କର):୧୯୯୮ ବ୍ୟାଚର ଓଡ଼ିଶା କ୍ୟାଡର ଆଇପିଏସ ଅଧିକାରୀ ଏନ ବି ଭାରତୀଙ୍କ ପତ୍ତା ମିଳୁନି । ପ୍ରାୟ ୨ ବର୍ଷ ହେବ ସେ କାର୍ୟ୍ୟରେ ଯୋଗ ଦେଇ ନାହାନ୍ତି । ସେ ଛୁଟି ନେଇ ନାହାନ୍ତିକି ମୌଖିକ ଭାବେ ଓଡ଼ିଶା ପୁଲିସର କୌଣସି ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଜଣାଇ ନାହାନ୍ତି । ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜ୍ଞପ୍ତି ଜାରି କରାଯାଇଛି । ଓଡ଼ିଶା ପୁଲିସର ଜଣେ ବରିଷ୍ଠ ଅଧିକାରୀ ଏଭଳି ହଠାତ୍ ନିଖୋଜ ରହିବା, ବିଭାଗୀୟ କର୍ତ୍ତୃପକ୍ଷଙ୍କଚିଠିର ଉତ୍ତର ନ ଦେବା ଓ ତାଙ୍କ ସହିତ କୌଣସି ଯୋଗାଯୋଗ ହୋଇ ନପାରିବା ଘଟଣାକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଧେଶକ କାର୍ୟ୍ୟାଳୟ ରାଜ୍ୟ ଅପରାଧ ନଥି ସଂସ୍ଥା, ଭୁବନେଶ୍ୱର ପକ୍ଷରୁ ବିଭିନ୍ନ ଖବରକାଗଜରେ ଏନ ବି ଭାରତୀଙ୍କୁ ନେଇ ଏକ ନୋଟିସ ଜାରି କରାଯାଇଛି । ଏନ ବି ଭାରତୀ, ପିତାସ୍ୱର୍ଗତ ସିବି ନାରାୟଣ ଉଲ୍ଲେଖ ଥାଇ ରାଜାଜି ନଗର, ବାଙ୍ଗାଲୋର ଠିକଣାରେ ଚିଠି ପଠା ଯାଇଥିଲା ।

ନୋଟିସରେ ଉଲ୍ଲେଖ କରାଯାଇଛି, ଏନ ବି ଭାରତୀଙ୍କ ପାଖକୁ ଯାଉଥିବା ଚିଠି ଗୁଡ଼ିକ ଫେରିଆସୁଛି । ଫଳରେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ୟ୍ୟବିଧି ଆରମ୍ଭ ହୋଇଛି । ଘରୋଇ ବିଭାଗ ଆଦେଶ ନମ୍ବର ୪୫୧/ଆଇପିଏସ ତା. ୩.୧.୨୦୨୦ରେ ତଦନ୍ତ ନ୍ୟସ୍ତ ହୋଇଛି । ଏପରିକି ମେଲରେ ଥିବା ଚିଠି ମଧ୍ୟ ସେ ପାଇନାହାନ୍ତି । ତାଙ୍କର ଅନୁପସ୍ଥିତି ଯୋଗୁଁ ତଦନ୍ତ ସମୟ ମଧ୍ୟ ବୃଦ୍ଧି ପାଇଛି । ବିଭାଗୀୟ କାର୍ୟ୍ୟ ବିଧିର ପରବର୍ତ୍ତୀ ତାରିଖ ୨୯.୧୦.୨୦୨୧କୁ ଧାର୍ୟ୍ୟ ହୋଇଛି ।ସେ ଅନୁପସ୍ଥିତ ରହିଲେ ତାଙ୍କର କୌଣସି ପ୍ରତିବାଦ ଗ୍ରହଣ କରାଯିବ ନାହିଁ ବୋଲି ନୋଟିସରେ ସ୍ପଷ୍ଟ କରାଯାଇଛି । ସୂଚନାଯୋଗ୍ୟ, ଏନ ବି ଭାରତୀ ଏଚଆରପିସି ଆଇଜି ଭାବେ କାର୍ୟ୍ୟରତ ଥିବା ସମୟରେ ବିବାଦୀୟ ସ୍ଥିତି ସୃଷ୍ଟି ହେବାରୁ ଏଡିଜି ତାଙ୍କ ପ୍ରକୋଷ୍ଠ ବାହାରେ ନୋଟିସ୍ ଲଗାଇ ଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ପୁଲିସ ମୁଖ୍ୟାଳୟରେ ରିପୋର୍ଟ କରିବାକୁ କୁହାଯାଇଥିଲା । ଏବେ ଦୀର୍ଘ ଦିନ ଧରିି ତାଙ୍କରଏଭଳି ଢଙ୍ଗରେ ନିଖୋଜ ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି ।

Get real time updates directly on you device, subscribe now.