ଭାରତୀୟଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ, ଖାଦ୍ୟ ଭିନ୍ନ ଅନ୍ୟ ସବୁ ପାଇଁ ହେଉଛି ଅଧିକ ଖର୍ଚ୍ଚ

ନୂଆଦିଲ୍ଲୀ: ଆମ ଭାରତୀୟଙ୍କ ଖାଦ୍ୟ, ପାନୀୟ ଉପରେ ହ୍ରାସ ପାଉଛି ଖର୍ଚ୍ଚ । ସେପଟେ ଅଣଖାଦ୍ୟ ସାମଗ୍ରୀରେ ଖର୍ଚ୍ଚ ବୃଦ୍ଧି ହେଇଛି । ମୁଖ୍ୟତଃ ଯାତାୟାତ, ଘର ଭଡା, ଇନ୍ଧନରେ ଅଧିକ ଖର୍ଚ୍ଚ ହେଉଛି । ଭାରତରେ ପାରିବାରିକ ଉପଯୋଗ ସର୍ବେକ୍ଷଣ ବ୍ୟୟର ସଂଖ୍ୟା ଆଶ୍ଚର୍ଯ୍ୟ ଚକିତ କରିବା ପରି ରହିଛି । ଏଥିରୁ ଜଣାପଡିଛି, ଗାଁଠାରୁ ସହର, ସବୁଠି ଲୋକଙ୍କ ଖାଦ୍ୟ ଓ ପାନୀୟ ଖର୍ଚ୍ଚ କମିଛି ଓ ଅନ୍ୟ ବସ୍ତୁ ଉପରେ ବୃଦ୍ଧି ପାଇଛି । ଯାତାୟାତ, ଘର ଭଡା, ଇନ୍ଧନ ବ୍ୟତୀତ ଶିକ୍ଷା ଓ ସ୍ୱାସ୍ଥ୍ୟପାଇଁ ଅଧିକ ଖର୍ଚ୍ଚ କରାଯାଉଛି ।

ରାଷ୍ଟ୍ରୀୟ ନମୁନା ସର୍ଭେ ରିପୋର୍ଟ ମୁତାବକ, ଗ୍ରାମାଞ୍ଚଳରେ ପ୍ରତି ବ୍ୟକ୍ତିର ମାସିକ ଖର୍ଚ୍ଚ ୩,୭୭୩ ଟଙ୍କା ଓ ସହରାଞ୍ଚଳରେ ଏହା ୬,୪୫୯ ଟଙ୍କା । ସେହିପରି ଗାଁରେ ଲୋକଙ୍କ ମୋଟ ଖର୍ଚ୍ଚର ୫୪ ପ୍ରତିଶତ ଅଣ ଖାଦ୍ୟ ସାମଗ୍ରୀ ଉପରେ ଖର୍ଚ୍ଚ ହେଉଥିବା ବେଳେ ୪୬ ପ୍ରତିଶତ ଖାଦ୍ୟ ପାଇଁ ଖର୍ଚ୍ଚ ହେଉଛି । ସହରାଞ୍ଚଳରେ ଅନ୍ୟ ଖର୍ଚ୍ଚ ୬୧ ପ୍ରତିଶତ ଥିବା ବେଳେ ଖାଦ୍ୟ ସାମଗ୍ରୀ ପାଇଁ ୩୯ ଖର୍ଚ୍ଚ କରାଯାଉଛି ।

ରିପୋର୍ଟ ମୁତାବକ, ଗତ କିଛି ସର୍ଭେରୁ ଜଣାପଡିଛି କି, ଲୋକଙ୍କ ଭିତରେ ଅଣଖାଦ୍ୟ ସାମଗ୍ରୀ ପ୍ରତି ଲଗାତର ବଢିବାରେ ଲାଗିଛି । ଏନଏଏସଓର ୧୯୯୯-୨୦୦୦ ମଧ୍ୟର ସର୍ଭେ ରିପୋର୍ଟରେ ଗ୍ରାମାଞ୍ଚଳରେ ୫୯ ପ୍ରତିଶତ ଖର୍ଚ୍ଚ ଖାଦ୍ୟ ସାମଗ୍ରୀ କିଣାକିଣି ପାଇଁ ହେଉଥିଲା, ଯାହା ଏବେ ୪୬ ପ୍ରତିଶତକୁ କମିଛି । ଅର୍ଥାତ୍ ଦୁଇ ଦଶକରେ ଖାଦ୍ୟ ସାମଗ୍ରୀ ଉପରେ ୧୩ ପ୍ରତିଶତ ଖର୍ଚ୍ଚ କମିଛି । ସେହିପରି ଅଣଖାଦ୍ୟ ସାମଗ୍ରୀରେ ଦୁଇ ଦଶକରେ ପ୍ରଭେଦ ୧୩ ପ୍ରତିଶତ ବୃଦ୍ଧି ପାଇଛି ।

ରିପୋର୍ଟ ମୁତାବକ, ସହରାଞ୍ଚଳରେ ୨୦ ବର୍ଷ ଆଗରୁ ଖାଦ୍ୟ ପାଇଁ ଖର୍ଚ୍ଚ ୪୮ ପ୍ରତିଶତରୁ ଖସି ଏବେ ୩୯ ପ୍ରତିଶତ ହୋଇଛି । ଅଣଖାଦ୍ୟରେ ଯାନବାହନ, ଇନ୍ଧନ, ଘର ଭଡା, ଘର, ଶିକ୍ଷା, ସ୍ୱାସ୍ଥ୍ୟ ଉପରେ ଅଧିକ ଖର୍ଚ୍ଚ ହେଉଛି ।