fbpx

ଆମେରିକାରେ ସାମୁଦ୍ରିକ ଝଡ଼ ‘ହେଲେନ୍’ର ବ୍ୟାପକ କ୍ଷୟକ୍ଷତି, ଫ୍ଲୋରିଡାର ଅନେକ ଅଞ୍ଚଳ ଜଳମଗ୍ନ

ନୂଆଦିଲ୍ଲୀ: ଆମେରିକାର ଫ୍ଲୋରିଡାରେ ସାମୁଦ୍ରିକ ଝଡ଼ ‘ହେଲେନ୍’ ଭୟଙ୍କର ରୂପ ଧାରଣ କରିଛି । ହେଲେନକୁ ‘ଅତ୍ୟନ୍ତ ବିପଜ୍ଜନକ’ ବାତ୍ୟା ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଛି । ଆମେରିକାର ନ୍ୟାସନାଲ ହରିକେନ୍ ସେଣ୍ଟର ଅନୁଯାୟୀ, ହେଲେନ୍ ବାତ୍ୟା ସମୟରେ ପବନ ଘଣ୍ଟାପ୍ରତି ୨୨୫ କିଲୋମିଟର ବେଗରେ ଗତି କରୁଛି ।

ଫ୍ଲୋରିଡାର ଟାମ୍ପାରେ ଗୁରୁବାର ରାତିରେ ହେଲେନ୍ ବାତ୍ୟାରେ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ପାସ୍କୋ କାଉଣ୍ଟିରେ ୬୫ ଜଣଙ୍କୁ ଉଦ୍ଧାର କରାଯାଇଛି । ବାତ୍ୟା ହେଲେନ୍ ଫ୍ଲୋରିଡାରୁ ଜର୍ଜିଆ ଆଡ଼କୁ ଗତି କରୁଥିବା ବେଳେ ଘଣ୍ଟାପ୍ରତି ୧୭୭ କିଲୋମିଟର ବେଗରେ ପବନ ବହିଥିଲା। ଜର୍ଜିଆର ହ୍ୱିଲର କାଉଣ୍ଟିରେ ଏହି ଝଡ଼ ଯୋଗୁଁ ୨ ଜଣଙ୍କ ମୃତ୍ୟୁ ଘଟିଛି ।

ବାତ୍ୟା ଫ୍ଲୋରିଡାର ଆଭ୍ୟନ୍ତରୀଣ ଆଡ଼କୁ ଗତି କରୁଥିବାରୁ ପବନର ବେଗ ଘଣ୍ଟା ପ୍ରତି ୪୮ କିଲୋମିଟରକୁ ଖସି ଆସିଛି । ଜାତୀୟ ହରିକେନ୍ ସେଣ୍ଟର କହିଛି ଯେ ଯଦିଓ ଏହି ଝଡ଼ ଏବେ ଦୁର୍ବଳ ହୋଇଛି, ତଥାପି ଏହା ବିପଦଜନକ ପରିସ୍ଥିତି ସୃଷ୍ଟି କରିପାରେ । ଏହି ବାତ୍ୟା ଯୋଗୁଁ ଆମେରିକାର ଆପ୍ପାଲାଚିଆନ୍ ପର୍ବତର ଦକ୍ଷିଣ ଭାଗରେ ଅନେକ ଭୂସ୍ଖଳନ ହେବାର ସମ୍ଭାବନା ରହିଛି ବୋଲି ହରିକେନ୍ ସେଣ୍ଟର ଚେତାବନୀ ଦେଇଛି । ବାତ୍ୟା ହେଲେନ ଯୋଗୁଁ ୬ରୁ ୧୨ ଇଞ୍ଚ ବର୍ଷା ହେବାର ସମ୍ଭାବନା ଥିବା ବେଳେ କିଛି ଅଞ୍ଚଳରେ ୨୦ ଇଞ୍ଚ ବର୍ଷା ହୋଇପାରେ ବୋଲି କେନ୍ଦ୍ର କହିଛି ।

Get real time updates directly on you device, subscribe now.