‘ସ୍ତ୍ରୀଧନ’ ଉପରେ ସ୍ୱାମୀ କି ଶ୍ୱଶୁର ଘରର ଅଧିକାର ନାହିଁ, ଆସିଲା ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: ଦେଶରେ ହେଉଥିବା ଲୋକସଭା ନିର୍ବାଚନ ଭିତରେ କିଛି ଶବ୍ଦ ବାରମ୍ବାର ଶୁଣିବାକୁ ମିଳୁଛି । ଏହାରି ମଧ୍ୟରେ ରହିଛି ମଙ୍ଗଳସୂତ୍ର ଓ ସ୍ତ୍ରୀଧନ । ସୁପ୍ରିମକୋର୍ଟ ଗୁରୁବାର ଏହି ସ୍ତ୍ରୀଧନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କହିଛନ୍ତି ବିବାହିତ ମହିଳାଙ୍କ ସ୍ତ୍ରୀଧନ ସେମାନଙ୍କ ପୂର୍ଣ୍ଣ ସଂପତ୍ତି । ଏହାକୁ ସେମାନେ ନିଜ ଇଚ୍ଛାରେ ଖର୍ଚ୍ଚ କରିବାର ପୁରା ଅଧିକାର ରହିଛି । ଏହି ସ୍ତ୍ରୀଧନରେ ସ୍ୱାମୀ କେବେ ବି ଭାଗିଦାର ହୋଇପାରିବ ନାହିଁ । କିନ୍ତୁ ସଂକଟ ସମୟରେ ପତ୍ନୀଙ୍କ ଇଚ୍ଛାରେ ଏହାକୁ ବ୍ୟବହାର କରାଯାଇପାରିବ ।

ବିଚାରପତି ସଞ୍ଜୀବ ଖାନ୍ନା ଓ ବିଚାରପତି ଦୀପାଙ୍କର ଦତ୍ତଙ୍କ ପୀଠ ସ୍ତ୍ରୀଧନକୁ ନେଇ ଦାଖଲ ଏକ ବୈବାହିକ ବିବାଦ ଉପରେ ଶୁଣାଣୀ କରି କହିଛନ୍ତି ମହିଳାଙ୍କୁ ସେମାନଙ୍କ ସ୍ତ୍ରୀଧନ ଉପରେ ପୁରା ଅଧିକାର ରହିଛି । ଏଥିରେ ବିବାହ ପୂର୍ବରୁ, ବିବାହ ସମୟରେ କିମ୍ବା ପରେ ମିଳିଥିବା ସମସ୍ତ ଜିନିଷ ସାମିଲ ରହିଛି । ମାତା-ପିତା , ଶ୍ୱଶୁର ଘର, ସଂପର୍କୀୟ ଓ ବନ୍ଧୁ ବାନ୍ଧବଙ୍କ ଠାରୁ ମିଳିଥିବା ଉପହାର, ଧନ ସଂପତ୍ତି ଓ ଗହଣା ଆଦି ସାମିଲ ରହିଛି ।

ସ୍ତ୍ରୀଧନ ଏକ ଆଇନଗତ ଶବ୍ଦ ଯାହା ବିଷୟରେ ହିନ୍ଦୁ ଧର୍ମରେ କୁହାଯାଇଛି । ଏହାର ଅର୍ଥ ମହିଳାଙ୍କ ଅଧିକାର ଅନ୍ତର୍ଭୁକ୍ତ ଧନ, ସଂପତ୍ତି, କାଗଜପତ୍ର ଓ ଅନ୍ୟ ପଦାର୍ଥ । କୌଣସି ମହିଳାଙ୍କୁ ପିଲାଦିନରୁ ବି ଯେଉଁସବୁ ଜିନିଷ ମିଳିଥାଏ ତାହା ସ୍ତ୍ରୀଧନ ଅନ୍ତର୍ଭୁକ୍ତ ହୋଇଥାଏ ।
କିନ୍ତୁ ଏକ ଭୁଲ୍ ଧାରଣା ରହିଛି କି ମହିଳାଙ୍କ ବିବାହ ସମୟରେ ଯେଉଁସବୁ ଜିନିଷ ଉପହାର ଆକାରରେ ମିଳିଥାଏ ତାକୁ ହିଁ କେବଳ ସ୍ତ୍ରୀଧନ କୁହାଯାଏ । ଅର୍ଥାତ୍ କେବଳ ବିବାହ ସମୟରେ କିମ୍ବା ବିବାହ ପରେ ମିଳୁଥିବା ଉପହାର ସ୍ତ୍ରୀଧନ ନୁହେଁ । ଏଥିରେ ସେହିସବୁ ଜିନିଷ ସାମିଲ ଯାହା ମହିଳାଙ୍କୁ ପିଲାଦିନରୁ ଆରମ୍ଭ କରି ବଡ ହେବା ପର୍ଯ୍ୟନ୍ତ ମିଳିଥାଏ ।

ହିନ୍ଦୁ ମହିଳାଙ୍କ ସ୍ତ୍ରୀଧନ ଅଧିକାର ହିନ୍ଦୁ ଉତ୍ତରାଧିକାର ଅଧିନିୟମ ୧୯୫୬ର ଧାରା ୧୪ ଓ ହିନ୍ଦୁ ବିବାହ ଅଧିନିୟମ ୧୯୫୫ର ଧାରା ୨୭ ଅଧୀନରେ ଆସିଥାଏ । ଏହି ଆଇନ ବିବାହ ପୂର୍ବରୁ, ବିବାହ ସମୟରେ ଓ ବିବାହ ପରେ ମହିଳାଙ୍କୁ ସ୍ତ୍ରୀଧନ ନିଜ ପାଖରେ ରଖିବାକୁ ପୁରା ଅଧିକାର ଦେଇଥାଏ ।