fbpx

ବିବାହର ମାସକ ଭିତରେ ସ୍ୱାମୀ ଆରପାରିରେ, କାଳିଆ ଦର୍ଶନ ନୋହିଲା…

ଓଡ଼ିଶା ଭାସ୍କର ବ୍ୟୁରୋ: ଲିଭିନି ପାଦର ଅଳତା, ଲିଭିଗଲା ମଥାର ସିନ୍ଦୁର । ବାହାଘର ଗୋଟିଏ ମାସ ଭିତରେ ଲଭିଗଲା ଜୀବନଦୀପ । ଅଧୁରା ରହିଗଲା ପୁରୀ ଶ୍ରୀଜଗନ୍ନାଥଙ୍କ ଦର୍ଶନ । ସ୍ୱାମୀଙ୍କୁ ହରାଇ ମଥା ପିଟି କାନ୍ଦୁଛି ସ୍ତ୍ରୀ । ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ମାଟିଆଳପଦା ଅଞ୍ଚଳରେ ।

ମାଟିଆଳପଦା ଗ୍ରାମରେ ଗତ ଜୁନ ମାସ ୧୮ ତାରିଖରେ ଶତ୍ରୁଘନ ଜେନାଙ୍କ ବଡ଼ ଝିଅ ମାମିନା ଏବଂ ମହେନ୍ଦ୍ର ଗିରିଙ୍କ ବଡ଼ପୁଅ ପ୍ରଦୀପ ଗିରିଙ୍କ ବିବାହ ସରିଥିଲା । ଗଣ୍ଡିବେଡ଼ ଜଗନ୍ନାଥ ମନ୍ଦିରରେ ସେମାନେ ପରସ୍ପରର ଜୀବନ ସାଥୀ ହୋଇଥିଲେ । ନବଦମ୍ପତି ଦେଖିଥିଲେ ଅନେକ ସ୍ୱପ୍ନ । ପ୍ରଦୀପ କଥା ଦେଇଥିଲେ ବିଲ କାମ ସରିଲେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ପୁରୀ ଯିବେ । ହେଲେ ସ୍ୱପ୍ନ ଓ ଆଶା ମଉଳି ଯାଇଛି ମାମିନାଙ୍କର । ପ୍ରଦୀପଙ୍କ ଜୀବନ ପ୍ରଦୀପ ଲିଭି ଯାଇଛି ଆଉ ମାମିନା ହୋଇଯାଇଛନ୍ତି ଏକ୍ଲା । କାନ୍ଥରେ ଶୁଭ ବିବାହର ଲେଖା ଏବେବି ଦାଉ ଦାଉ ଦେଖାଯାଉଛି । ହେଲେ ମାମିନାଙ୍କ ହାତରୁ ଶଙ୍ଖା ଓହ୍ଲାଇବାକୁ ପଡ଼ିଛି ଓ ମଥାରେ ସିନ୍ଦୁର ଲିଭିଯାଇଛି ।

ସବୁଦିନ ପରି ଶୁକ୍ରବାର ପ୍ରଦୀପ ମାଲିକର ଟ୍ରାକ୍ଟର ନେଇ ହଳ କରିବା ପାଇଁ ବିଲକୁ ଯାଇଥିଲେ । କାମ ସାରି ରାତିରେ ଘରକୁ ଫେରି ଖାଇ ଶୋଇଥିଲେ । ତେବେ ହଠାତ୍ ବିଳମ୍ବିତ ରାତିରେ ଦେହ ଜଳାପୋଡ଼ା ହେଉଥିବା ଜଣାଇଥିଲେ । ତାଙ୍କୁ ତୁରନ୍ତ ସୋର ମେଡିକାଲକୁ ନିଆଯାଇଥିଲା କିନ୍ତୁ ପ୍ରଦୀପଙ୍କ ମୃତ୍ୟୁ ହୋଇଥବା ଡାକ୍ତର କହିଥିଲେ । ଏହା ଶୁଣି ପାଦତଳୁ ମାଟି ଖସି ପଡ଼ିଥିଲା ମାମିନାଙ୍କର । ତେବେ ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ସାପ କାମୁଡ଼ାରେ ପ୍ରଦୀପଙ୍କ ଜୀବନ ଯାଇଥିବା ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଛି ।

Get real time updates directly on you device, subscribe now.