fbpx

ସ୍ୱାମୀ-ସ୍ତ୍ରୀ କଳହକୁ ନେଇ ବୋମାମାଡ; ଥାନାରେ ପହଞ୍ଚିଲା ମାମଲା

ଭୁବନେଶ୍ୱର (ଓଡ଼ିଶା ଭାସ୍କର):ସ୍ୱାମୀ ସ୍ତ୍ରୀ କଳହକୁ ନେଇ ବିଳମ୍ବିତ ରାତିରେ ବୋମାମାଡ଼।ଏଭଳି ଏକ ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ନୂଖାପଡା ଗ୍ରାମରେ।ବୋମାମାଡ଼ ଯୋଗୁଁ ବୈକୁଣ୍ଠଙ୍କ ପରିବାର ଅଳ୍ପେକେ ବର୍ତ୍ତିଯାଇଥିବା ବେଳେ ବୈକୁଣ୍ଠଙ୍କ ସ୍ତ୍ରୀ ରାଣୀ ବେହେରା ସାମାନ୍ୟ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଗତ କାଲି ରାତି ପ୍ରାୟ ୯.୩୦ ସମୟରେ ନରସିଂହପୁର ଥାନା ଅନ୍ତର୍ଗତ ଲେମ୍ବୋ ଗ୍ରାମର ସଞ୍ଜୟ ବେହେରା ନୂଖାପଡାର ବୈକୁଣ୍ଠ ବେହେରାଙ୍କ ଘରକୁ ଆସି ଧମକ ଦେଇଥିଲେ ଯେ ଯଦି ତୋ ଝିଅକୁ ଆଜି ମୋ ସହିତ ନଛାଡ଼ିବୁ ତେବେ ତୋ ଘରେ ବୋମାମାଡ଼ କରି ତୋ ବଂଶ ନିପାତ କରିଦେବି।

ଲେମ୍ବୋ ଗ୍ରାମର ସଞ୍ଜୟ ହେଉଛନ୍ତି ନୂଖାପଡା ବୈକୁଣ୍ଠଙ୍କର ଜ୍ବାଇଁ। ବୈକୁଣ୍ଠଙ୍କ ଝିଅ ଯସସ୍ୱିନୀ ବେହେରା ବିଗତ ୧୫ ବର୍ଷ ତଳେ ଲେମ୍ବୋ ଗ୍ରାମର ସଞ୍ଜୟ ବେହେରାଙ୍କୁ ବିବାହ କରିଥିଲେ। ବିବାହର ୫ ବର୍ଷ ପରେ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ମନୋମାଳିନ୍ୟ ଘଟିବାରୁ ଯସସ୍ୱିନୀ ବେହେରା ତାଙ୍କ ବାପା ବୈକୁଣ୍ଠଙ୍କ ଘରେ ରହି ଅଦାଲତରେ ବିବାହ ବିଚ୍ଛେଦ ପାଇଁ ଦରଖାସ୍ତ କରିଛି।ଏହି ରାଗରେ ବିଭିନ୍ନ ସମୟରେ ସଞ୍ଜୟ ବୈକୁଣ୍ଠଙ୍କ ଘରକୁ ଆସି ବିଭିନ୍ନ ପ୍ରକାର ଧମକ ଦେବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଦେଉଥିଲା।ଗତକାଲି ବିଳମ୍ବିତ ରାତିରେ ବୈକୁଣ୍ଠ ଓ ତାଙ୍କ ପରିବାର ଅନ୍ୟ ଏକ କୋଠରୀରେ ଶୋଇଥିବା ବେଳେ ହଠାତ ଏକ ଜୋର ଶବ୍ଦ ଶୁଣି ପଡୋଶୀ ମାନଙ୍କୁ ଡାକିଥିବା ବେଳେ ପୋଲିସକୁ ମଧ୍ୟ ଖବର ଦେଇଥିଲେ।ନରସିଂହପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତାର ତଦନ୍ତ କରୁଛି।ସଞ୍ଜୟ ବେହେରା ସନ୍ଧ୍ୟା ସମୟରେ ଆସି ବୈକୁଣ୍ଠଙ୍କ ଘରେ ଧମକ ଦେଇଥିବାରୁ ଯସସ୍ୱିନୀ ବେହେରା ସଞ୍ଜୟଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିଥିବା କହିଛନ୍ତି।ତଦନ୍ତ ପରେ କିଏ ବୋମାମାଡ଼ କରିଛି ତାହା ଜଣାପଡିବ ବୋଲି ଥାନା ଅଧିକାରୀ ସୂଚନା ଦେଇଥିବା ବେଳେ କ୍ୟାମେରା ସମ୍ମୁଖରେ କିଛି ପ୍ରତିକ୍ରିୟା ରଖିବାକୁ ମନା କରିଦେଇଛନ୍ତି।

Get real time updates directly on you device, subscribe now.