Momo tragedy: ଏଠାରେ ମିଳୁଛି ବିଷାକ୍ତ ମୋମୋ! ଖାଇଲେ ଚାଲିଯାଇପାରେ ଜୀବନ, ମା’ ମୃତ 2 ଝିଅ ଗୁରୁତର

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଲୋକଙ୍କ ପ୍ରଥମ ପସନ୍ଦ ସାଜିଛି ମୋମୋ । ଦିଲ୍ଲୀ-ଏନସିଆର ସମେତ ଅନେକ ମେଟ୍ରୋ ସିଟିରେ ଏହାର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ପିଲାଠୁ ବୁଢା ସମସ୍ତଙ୍କର ପ୍ରିୟ ସାଜିଛି ମୋମୋ । ଏପିରି କୌଣସି ମୋମୋ ଷ୍ଟଲ ନଥିବ ଯେଉଁଠାରେ ଲୋକଙ୍କ ଭିଡ ଦେଖିବାକୁ ମିଳିନଥିବ । କିନ୍ତୁ ମୋମୋ ମୃତ୍ୟୁର କାରଣ ସାଜିପାରେ । ଏଭଳି ଏକ ମାମଲା ହାଇଦ୍ରାବାଦରୁ ସାମ୍ନାକୁ ଆସିଛି । ଏଠାରେ ମୋମୋ ଖାଇବା ଦ୍ବାରା ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ 20 ଜଣଙ୍କୁ ଫୁଡ ପଏଜନିଂ ହୋଇଥିବା ଖବର ସାମ୍ନାକୁ ଆସିଛି ।

ପୋଲିସର କହିବା ଅନୁସାରେ, ବଞ୍ଜାରା ହିଲ୍ସ ସ୍ଥିତ ଏକ ସ୍ଟ୍ରିଟ ଭେଣ୍ଡରରେ ମୋମୋ ଖାଇବା ପରେ ଜଣେ 33 ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳାଙ୍କ ନାମ ରେଶମା ବେଗମ ବୋଲି ଜଣାପଡିଛି । ତେବେ ରେଶମା ନିଜ 2 ଝିଅ ସହ ମିଶି ଖଇରତାବାଦର ଏକ ରାସ୍ତାକଡ ଦୋକାନରୁ ମୋମୋ ଖାଇଥିଲେ । ତେବେ ଏହା ଖାଇବା ପରେ ତାଙ୍କ ପେଟରେ ଯନ୍ତ୍ରଣା ହେବା ସହିତ ବାନ୍ତି ମଧ୍ୟ ଆରମ୍ଭ ହୋଇଥିଲା । ତେବେ ରବିବାର ସକାଳେ ରେଶମାଙ୍କର ମୃତ୍ୟୁ ହୋଇଥିବା ବେଳେ ଛୁଆାନେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ତେବେ ଏହି ଘଟଣାରେ ମାମଲା ପଞ୍ଜିକୃତ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିବା ନେଇ କହିଛନ୍ତି ବଞ୍ଜାରା ହିଲ୍ସ ସବଇନ୍ସିପେକ୍ଟର ।

ତେବେ ତଦନ୍ତରୁ ଜଣାପଡିଛି ଯେ, ମୋମୋ ଦୋକାନୀର କୌଣସି ଖାଦ୍ୟ ସୁରକ୍ଷା ଲାଇସେନ୍ସ ନଥିଲା । ବିନା ଲାଇସେନ୍ସରେ ସେ ମୋମୋ ବିକ୍ରି କରୁଥିଲା । ଦୂଷିତ ପରିବେଶରେ ଖାଦ୍ୟ ତିଆରି କରୁଥିବା ବେଳେ ବାସି ମଧ୍ୟ ବିକ୍ରି କରୁଥିଲା । ତେବେ ଦୋକାନରେ ରେଡ୍ କରାଯାଇ ଯାଞ୍ଚ ପାଇଁ ହସ୍ପିଟାଲକୁ ପଠାଯାଇଛି । ଏହି ଘଟଣାରେ ପୋଲିସ 2ଜଣଙ୍କୁ ହେପାଜତକୁ ନେଇ ପଚରାଉଚରା ଆରମ୍ଭ କରିଛି ।