“ମୁଁ ଆତ୍ମହତ୍ୟା କରୁଛି”… ଫେସବୁକ୍ LIVEରେ ନିଜ ଛାତିରେ ଛୁରୀ ଭୁସି ଜୀବନ ହାରିଲେ ଯୁବକ

ଲାଇଭ୍ ଭିଡ଼ିଓ କରି ଆତ୍ମହତ୍ୟା କଲେ ଯୁବକ। କାରଣ ଅସ୍ପଷ୍ଟ।

ମହାରାଷ୍ଟ୍ର: “ମୁଁ ଆତ୍ମହତ୍ୟା କରୁଛି”…ଫେସବୁକ୍ ଲାଇଭ୍ ଭିଡ଼ିଓ କରି ନିଜ ଛାତିରେ ଛୁରୀ ଭୁସି ଆତ୍ମହତ୍ୟା କଲେ ଯୁବକ। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ମହାରାଷ୍ଟ୍ରର ଲାଟୁରୁ ଜିଲ୍ଲାରୁ ଏପରି ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି।  ଫେସବୁକ୍ ଳାଇଭ୍ ଭିଡ଼ିଓ ସମୟରେ ଯୁବକ ଜଣକ ନିଜ ଛାତିରେ ଛୁରୀ ଭୁସି ଦେଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଲାଇଭ୍ ଭିଡିଓ ଆତ୍ମହତ୍ୟା: ଏହି ଘଟଣାଟି ନୀଳଙ୍ଗା ତାଲୁକାର ଆମ୍ବୁଲଗାବୁ ନିକଟରେ ଘଟିଛି। ଯେଉଁଠାରେ ଭାରତ ବାଲାଜୀ ସାଗାଭେ ନାମକ ଜଣେ ଯୁବକ ଫେସବୁକ୍ ଲାଇଭ୍ ଭିଡିଓ କରି କହିଛନ୍ତି ମୁଁ ଆତ୍ମହତ୍ୟା କରୁଛି। ଆଉ ତା’ପରେ ସେ ନିଜ ଛାତିରେ ଛୁରି ଭୁସି ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକଙ୍କ ବୟସ ୩୨ ବର୍ଷ ବୋଲି ଜଣାପଡିଛି।

ଗଛ ତଳେ ଲାଇଭ୍ ଭିଡ଼ିଓ: ମୃତ ଭରତ ବହୁ ବର୍ଷ ହେବ ମୁମ୍ୱାଇରେ ରହୁଥିଲେ।  ଅଗଷ୍ଟ ୯ ତାରିଖ ଦିନ ପ୍ରାୟ ଦିନ ୧୨.୩୦ ସମୟରେ ସେ ନୀଳଙ୍ଗା ସହରର ଲମ୍ୱୋଟକର ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ ଆମ୍ୱଗଛ ତଳେ ବସି ଫେସବୁକ୍ ଲାଇଭ୍ ଭିଡ଼ିଓ କରୁଥିଲେ।

ଆଉ ସେହି ଲାଇଭ୍ ବେଳେ ସେ କହିଥିଲେ ‘ମୁଁ ଆତ୍ମହତ୍ୟା କରୁଛି।’ ଏହା କହିବାର କିଛି ସମୟ ପରେ ସେ ନିଜ ଛାତିରେ ଛୁରୀ ଭୁସିଦେଇଥିଲେ।  ଫେସବୁକ୍ ଳାଇଭରେ ଯୁବକ ଜଣକ କାନ୍ଦୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା।

ଚିନ୍ତାରେ ପରିବାର ଲୋକ: ଲାଇଭ୍ ଭିଡିଓ ଦେଖିବା ପରେ ଯୁବକଙ୍କ ସମ୍ପର୍କୀୟମାନେ ତାଙ୍କୁ ଫୋନ୍ କରି ବୁଝାଇବାକୁ ଚେଷ୍ଟା କରିଥିଲେ।  କିନ୍ତୁ ସେ କାହାରି ଫୋନ୍ ଉଠାଇବା ପରିସ୍ଥିତିରେ ନଥିଲେ। ଅର୍ଥାତ୍ ସେ ନିଜ ଫୋନ୍ ବନ୍ଦ କରିଦେଇଥିଲେ।

ତେଣୁ ଯୁବକଙ୍କ ସହ କୌଣସି ଯୋଗାଯୋଗ ହୋଇପାରିଲା ନାହିଁ। ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ, ତାଙ୍କୁ ଏକ ପେଟ୍ରୋଲ ପମ୍ପ ନିକଟରେ ରକ୍ତ ଜୁଡୁବୁଡୁ ଆହତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଲେ। ତାଙ୍କୁ ତୁରନ୍ତ ଲାଟୁରର ସହ୍ୟାଦ୍ରି ହସ୍ପିଟାଲକୁ ନିଆଯାଇଥିଲା କିନ୍ତୁ ଚିକିତ୍ସା ପରେ ତାଙ୍କର ମୃତ୍ୟୁ ହୋଇଥିଲା।

ଆତ୍ମହତ୍ୟାର କାରଣ ଅସ୍ପଷ୍ଟ: ଘଟଣା ପରେ ପୋଲିସ ସମ୍ପୂର୍ଣ୍ଣ ମାମଲାର ତଦନ୍ତ ଆରମ୍ଭ କରିଛି।  ପୋଲିସ ମୃତଦେହକୁ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଛି।  ପୋଲିସ କହିଛି ଯେ ଏପର୍ଯ୍ୟନ୍ତ ଆତ୍ମହତ୍ୟାର କାରଣ ଜଣାପଡିନାହିଁ।