fbpx

IAS ଅଧିକାରୀ ଗୁରୁପ୍ରସାଦ ମହାପାତ୍ରଙ୍କ କରୋନାରେ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ ସଚିବ ଗୁରୁପ୍ରସାଦ ମହାପାତ୍ରଙ୍କ କରୋନାରେ ଦେହାନ୍ତ ଘଟିଛି । କିଛିଦିନ ପୂର୍ବରୁ ସେ କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ଗୁରୁପ୍ରସାଦ ୧୯୮୬ ବ୍ୟାଚର ଗୁଜରାଟ କ୍ୟାଡରର ଆଇଏଏସ୍ ଅଧିକାରୀ ଅଟନ୍ତି । ତାଙ୍କର ଘର ଭୁବନେଶ୍ୱରର ସହିଦ ନଗର ଅଞ୍ଚଳରେ । ଓଡ଼ିଶାର ପ୍ରଖ୍ୟାତ ସାହିତ୍ୟିକ ସ୍ୱର୍ଗତ ମହାପାତ୍ର ନୀଳମଣି ସାହୁଙ୍କ କନିଷ୍ଠ ପୁତ୍ର ଗୁରୁପ୍ରସାଦଙ୍କ ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ପ୍ରତି ମଧ୍ୟ ରହିଥିଲା ରୁଚି । ସେ ବିଜେବି କଲେଜରୁ ସ୍ନାତକ ଓ ଜବାହାରଲାଲ ନେହେରୁ ୟୁନିଭରସିଟିରୁ ସ୍ନାତକୋତ୍ତର ସମାପ୍ତ କରିଥିଲେ । ପୂର୍ବରୁ ସେ ଭାରତୀୟ ବିମାନ ପ୍ରାଧିକରଣ (ଏଏଆଇ)ର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ ।

(ସପତ୍ନୀକ ମହାପାତ୍ର ନୀଳମଣୀ ସାହୁ -ଫାଇଲ ଫଟୋ)

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଶୁକ୍ରବାର ରାତିରେ ସ୍ୱନାମଧନ୍ୟ ଆଇପିଏସ ଅଫିସର ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଦେହାନ୍ତ ଘଟିଯାଇଥିଲା । ଶନିବାର ସକାଳେ ଓଡ଼ିଶା ମାଟିରୁ ଆଉ ଜଣେ ସୁଯୋଗ୍ୟ ସନ୍ତାନ ଚାଲିଗଲେ । ଏହି ଦୁଇଜଣଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକପ୍ରକାଶ ପାଇଛି । ତାଙ୍କର ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲଙ୍କ ସମେତ ବହୁ ସାହିତ୍ୟିକ, ବୁଦ୍ଧିଜୀବୀ, ପ୍ରଶାସକ, ଶିକ୍ଷାବିତ୍ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.