୨୦୨୪ ICC U-19 ପୁରୁଷ କ୍ରିକେଟ ବିଶ୍ୱକପ: ୧୬ ଟିମଙ୍କ ପାଇଁ ଶିଡ୍ୟୁଲ ଜାରି କଲା ICC

ନୂଆଦିଲ୍ଲୀ: ସମସ୍ତ କ୍ରୀଡ଼ାପ୍ରେମୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ୨୦୨୪ ଆଇସିସି ୟୁ-୧୯ ପୁରୁଷ କ୍ରିକେଟ ବିଶ୍ୱକପରେ ଭାରତ ବ୍ଲୋଏମଫୋଣ୍ଟେନ ଠାରେ ୨୦୨୦ର ବିଜେତା ବାଂଲାଦେଶ ବିପକ୍ଷରେ ତା’ର ପ୍ରଥମ ମ୍ୟାଚ ଖେଳିବ । ଅନ୍ୟପକ୍ଷରେ ଆୟୋଜକ ଦକ୍ଷିଣ ଆଫ୍ରିକା ଜାନୁଆରୀ ୧୯ରେ ଉଦଘାଟନୀ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ଭେଟିବ । ଆଇସିସି ପକ୍ଷରୁ ଏନେଇ ୧୬ ଟିମଙ୍କ ପାଇଁ ଏକ ଶିଡ୍ୟୁଲ ଜାରି କରାଯାଇଛି ।

୨୦୨୪ ଆଇସିସି ୟୁ-୧୯ ପୁରୁଷ କ୍ରିକେଟ ବିଶ୍ୱକପରେ ମୋଟ ୪୧ଟି ମ୍ୟାଚ ଖେଳାଯିବ । ଦକ୍ଷିଣ ଆଫ୍ରିକାର ୫ଟି ଭେନ୍ୟୁରେ ଏହି ସମସ୍ତ ମ୍ୟାଚ ଖେଳାଯିବ । ଜାନୁଆରୀ ମାସ ଠାରୁ ଫେବୃଆରୀ ମଧ୍ୟରେ ତିନି ସପ୍ତାହରୁ ଅଧିକ ସମୟ ଧରି ଆଇସିସି ୟୁ-୧୯ ପୁରୁଷ ବିଶ୍ୱକପର ୧୫ତମ ସଂସ୍କରଣ ଚାଲିବ । ୱେଷ୍ଟଇଣ୍ଡିଜରେ ଖେଳାଯାଇଥିବା ୨୦୨୨ର ସଂସ୍କରଣରେ ଭାରତ ବିଜେତା ହୋଇଥିବା ବେଳେ ଚଳିତ ଥର ଗ୍ରୁପ-ଏ’ରେ ସ୍ଥାନ ପାଇଛି । ଏଥିସହିତ ବାଂଲାଦେଶ, ଆୟର୍ଲାଣ୍ଡ ଓ ୟୁଏଏସ ଏହି ଗ୍ରୁପରେ ସ୍ଥାନ ପାଇଛନ୍ତି । ଭାରତ ଏଥର ଷଷ୍ଠ ଥର ୟୁ-୧୯ ଟାଇଟଲ ଜିତି ରେକର୍ଡ କରିବା ଲକ୍ଷ୍ୟରେ ରହିଛି ।

ସେହିପରି ଗ୍ରୁପ-ବି’ରେ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ ଓ ସ୍କଟଲାଣ୍ଡ ସ୍ଥାନ ପାଇଛନ୍ତି । ଗ୍ରୁପ-ସି’ରେ ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ଜିମ୍ବାୱେ ଓ ନାମିବିଆ ସ୍ଥାନ ପାଇଥିବା ବେଳେ ଗ୍ରୁପ-ଡି’ରେ ଆଫଗାନିସ୍ତାନ, ପାକିସ୍ତାନ, ନ୍ୟୁଜିଲାଣ୍ଡ ଓ ନେପାଳ ସ୍ଥାନ ପାଇଛନ୍ତି । ପ୍ରତି ଗ୍ରୁପର ଟପ ତିନୋଟି ସ୍ଥାନରେ ରହିଥିବା ଟିମଗୁଡ଼ିକ ସୁପର ସିକ୍ସ ପର୍ଯ୍ୟାୟକୁ ଯୋଗ୍ୟତା ଅର୍ଜନ କରିବେ । ବେନୋନି ଠାରେ ଫାଇନାଲ ମ୍ୟାଚ ଖେଳାଯିବ । ପୂର୍ବରୁ ୧୯୯୮ ଓ ୨୦୨୦ ସଂସ୍କରଣର ଆୟୋଜନ କରିଥିବା ଦକ୍ଷିଣ ଆଫ୍ରିକା ଚଳିତ ଥର ତୃତୀୟ ଥର ପାଇଁ ୟୁ-୧୯ ବିଶ୍ୱକପ୍ ଆୟୋଜନ କରିବ । ଦକ୍ଷିଣ ଆଫ୍ରିକା ଗତ ଦୁଇଟି ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ସଫଳତା ଅର୍ଜନ କରିଥିବା ନେଇ ଆଇସିସିର ଇଭେଣ୍ଟ ମୁଖ୍ୟ କ୍ରିସ ଟେଟଲେ କହିଛନ୍ତି ।