fbpx

ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ:  ଡ୍ର ଅଭିମୁଖେ ମ୍ୟାଚ୍, ଜାଣନ୍ତୁ କେମିତି ରହିବ ପଞ୍ଚମ ଦିନର ପାଣିପାଗ

Advertisement

ସାଉଥମ୍ପଟନ : ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ମୁକାବିଲାରେ ବର୍ଷା ବଡ ବାଧକ ସାଜିଛି। ବର୍ଷା କାରଣରୁ ପ୍ରଥମ ଏବଂ ଚତୁର୍ଥ ଦିନରେ ବଲ୍ ମଧ୍ୟ ପଡି ପାରି ନାହିଁ। ଦ୍ଵିତୀୟ ଓ ତୃତୀୟ ଦିନରେ ମାତ୍ର ୧୪୧.୧ ଓଭର ଖେଳ ସମ୍ଭବ ହୋଇ ପାରିଛି। ଅର୍ଥାତ ବର୍ଷା ଓ ଖରାପ ଆଲୋକ କାରଣରୁ ପ୍ରତିଦିନର ଖେଳ ବରବାଦ ହୋଇଛି।  ବିଶ୍ଵରେ ପ୍ରଥମ ଥର ଆୟୋଜିତ ଏହି ଚମ୍ପିଆନସିପ୍ ଜିତି ଇତିହାସ ରଚିବାକୁ ଦୁଇ ଦଳ ଆତୁର। କିନ୍ତୁ ବର୍ଷା ଯୋଗୁଁ ଖେଳର ୭୦ ପ୍ରତିଶତରୁ ଅଧିକ ସମୟ ବରବାଦ ହେବାରୁ ମ୍ୟାଚ୍ ଏବେ ଡ୍ର ଅଭିମୁଖେ ଗତି କରୁଛି। ତଥାପି ପ୍ରଶଂସକ ଆଶା ରଖିଛନ୍ତି ଯେ, ଅନ୍ତିମ ଦୁଇ ଦିନର ଖେଳରେ ବର୍ଷା ହେବ ନାହିଁ। ଆସନ୍ତୁ ଜାଣିବା ଡବ୍ଲ୍ୟୁଟିସି ଫାଇନାଲର ପଞ୍ଚମ ଦିନରେ କେମିତି ରହିବ ପାଣିପାଗ।

ପାଣିପାଗ ବିଭାଗ ଅନୁଯାୟୀ, ମଙ୍ଗଳବାର ସାଉଥମ୍ପଟନରେ ଆକାଶ ମେଘାଚ୍ଛନ ରହିବ ଏବଂ ମଝିରେ ମଝିରେ ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ ସୋମବାର ପରି ଆଜି ବର୍ଷାର ପ୍ରକୋପ ସେତେଟା ରହିବ ନାହିଁ। ବୁଧବାର ପାଣିପାଗରେ ସୁଧାର ଦେଖିବାକୁ ମିଳିଛି। ଏମିତିରେ ଦର୍ଶକଙ୍କୁ ମ୍ୟାଚର ଶେଷ ଦୁଇ ଦିନ(ରିଜର୍ଭ ଡେକୁ ମିଶାଇ) ୧୯୬ ଓଭର ଖେଳ ଦେଖିବାକୁ ମିଳିପାରେ। ଯଦି ଏମିତି ହୁଏ ତେବେ ମ୍ୟାଚରେ ପରିଣାମ ଆସିବା ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବ ନାହିଁ।

ଏ ପର‌୍ୟ୍ୟନ୍ତ ଚାରି ଦିନରେ ମାତ୍ର ୧୪୧.୧ ଓଭର ଖେଳ ସମ୍ଭବ  ହୋଇ ପାରିଛି। ମ୍ୟାଚ୍ ପାଇଁ ରିଜର୍ଭ ଡେ ମଧ୍ୟ ରଖାଯାଇଛି। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ୨୧୭ ରନରେ ଅଲଆଉଟ୍ ହୋଇଛି। ଜବାବରେ ନ୍ୟୁଜିଲାଣ୍ଡ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୨ ଓ୍ଵିକେଟ୍ ହରାଇ ୧୦୧ ରନ କରିଛି। ଦଳ ଏବେ ମଧ୍ୟ ଭାରତଠୁ ୧୧୬ ରନ ପଛରେ ରହିଛି। ଅଧିନାୟକ କେନ ଓ୍ଵିଲିୟମସନ ୧୧ ଓ ରସ ଟେଲର ଖାତା ନଖୋଲି କ୍ରିଜରେ ଅପରାଜିତ ଅଛନ୍ତି। ଏହା ପୂର୍ବରୁ ଡେଭନ କନଓ୍ଵେ  ୫୪ ରନର ଦମଦାର ଇନିଂସ ଖେଳିଥିବା ବେଳେ ଟମ ଲାଥମ  ୩୦ ରନ କର ପାଭିଲିୟନ ଫେରି ସାରିଛନ୍ତି।

Get real time updates directly on you device, subscribe now.