fbpx

ଆଇସ୍‌ଲାଣ୍ଡରେ Emergency ଜାରି; ଭୟଙ୍କର ଭାବେ ତାଣ୍ଡବ ରଚୁଛି ପ୍ରକୃତି

ଓଡିଶା ଭାସ୍କର; ଆଇସ୍‌ଲାଣ୍ଡର ଦକ୍ଷିଣପଶ୍ଚିମରେ ଥିବା ରେକ୍‌ଜାନେସ୍‌ ଉପଦ୍ୱୀପରେ ତାଣ୍ଡବ ରଚିଛି ପ୍ରକୃତି । ଏହି ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ହେବା ପରେ ଗତ ୧୪ ଘଣ୍ଟା ମଧ୍ୟରେ ୮୦୦ ଥର କମ୍ପନ ଅନୁଭୂତ ହୋଇଥିବା ସୂଚନା ପ୍ରକାଶ ପାଇଛି । ଯାହାକୁ ନେଇ ଆଇସ୍‌ଲାଣ୍ଡରେ ଜରୁରୀ ସ୍ଥିତି (ଏମର୍ଜେନ୍ସି) ଜାରି କରାଯାଇଛି।

ସୂଚନା ଅନୁଯାୟୀ, ଏହା ଆଗ୍ନେୟଗିରିରୁ ଲାଭା ଉଦ୍‌ଗିରଣର ପୂର୍ବାଭାସ ବୋଲି କୁହାଯାଉଛି। ଗ୍ରିଣ୍ଡାଭିକ୍‌ର ଉତ୍ତରରେ ଥିବା ସୁନ୍ଧଞ୍ଜୁକଗିଗରରେ ସର୍ବାଧିକ କମ୍ପନ ଅନୁଭୂତ ହୋଇଥିବା ନାଗରିକ ସୁରକ୍ଷା ଓ ଜରୁରୀ ପରିଚାଳନା ବିଭାଗ ପକ୍ଷରୁ କୁହାଯାଇଛି। ନଭେମ୍ବର ୧୧ ରେ ଅର୍ଥାତ ଗତକାଲି ରାଜଧାନୀ ରେକଜାଭିକ୍ ନିକଟରେ ଥିବା ଏହି ଆଇସଲ୍ୟାଣ୍ଡ୍ ସହର ଏବଂ ଏହାର ଆଖପାଖ ଅଞ୍ଚଳରୁ ପ୍ରାୟ ୪,୦୦୦ ଲୋକଙ୍କୁ ରାତିସାରା ଘରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ସେପଟେ ଆଇସଲ୍ୟାଣ୍ଡର ମେଟ ଅଫିସ୍ (ଆଇଏମଓ) କହିଛି ଯେ ଆଇସଲ୍ୟାଣ୍ଡରେ ଆଗକୁ ଆହୁରି ଶକ୍ତିଶାଳୀ ଭୂକମ୍ପ ଓ ଲାଭା ଉଦ୍‌ଗିରଣ ହୋଇପାରେ । ତେଣୁ ଏଥିପାଇଁ ସତର୍କ ସୂଚନା ସହ ପ୍ରଶାସନ ପକ୍ଷରୁ ଏମର୍ଜେନ୍ସି ମଧ୍ୟ ଜାରି କରାଯାଇଛି। ଅନ୍ୟପଟେ ଏଥିରେ ଅନେକ କ୍ଷୟକ୍ଷତି ଘଟିଥିବା ମଧ୍ୟ ଜଣାପଡିଛି । ଲଗାତାର ଏହି ଶକ୍ତିଶାଳୀ ଭୂକମ୍ପରେ କେତେକ ସ୍ଥାନରୁ ଏହାର କରାଳ ରୂପ ଚିତ୍ର ମଧ୍ୟ ସାମ୍ନାକୁ ଆସିଛି ।

Get real time updates directly on you device, subscribe now.