fbpx

କଟକଣା ତାଲା ଖୋଲିବ କେମିତି? ICMR ମହାନିର୍ଦ୍ଦେଶକ ରଖିଲେ ୩ ସର୍ତ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀର ଦ୍ୱିତୀୟ ତରଙ୍ଗରେ କଲବଲ ହେଉଛି ଦେଶ । ଏଥିପାଇଁ କେନ୍ଦ୍ର ସରକାରଙ୍କ ଗାଇଡ୍ ଲାଇନ୍ ସମେତ ବିଭିନ୍ନ ରାଜ୍ୟ ସରକାର ଲଗାଇଛନ୍ତି କଡ଼ା କଟକଣା । ପ୍ରାୟତଃ ସବୁ ରାଜ୍ୟ ସରକାର ଜାରି କରିଛନ୍ତି ଲକଡାଉନ । ଏପରିକି କେତେକ ସ୍ଥାନରେ ଜୁନ୍ ପହିଲାରୁ ଲକଡାଉନ୍ ଅବଧି ପୁଣି ବଢ଼ିଛି । ଠିକ୍ ସେହିପରି ଆଉ କେତେକ ରାଜ୍ୟ ସରକାର ଲକଡାଉନ୍ କଟକଣା କୋହଳ କରିବାକୁ ଉଦ୍ୟମ ଚଳାଇଛନ୍ତି । ତେବେ ତାଲାବନ୍ଦୀରୁ କେମିତି ମିଳିବ ମୁକ୍ତି? ଏନେଇ ICMR ମହାନିର୍ଦ୍ଦେଶକ ଡା. ବଳରାମ ଭାର୍ଗବ ରଖିଛନ୍ତି ୩ ସର୍ତ୍ତ ।

ଡାକ୍ତର ଭାର୍ଗବ କହିଛନ୍ତି ଯେ ତାଲାବନ୍ଦ ଖୋଲିବା ତଥା ଲକଡାଉନ୍ ନିୟମ କୋହଳ କି ପ୍ରତ୍ୟାହାର କରିବା ପାଇଁ ବିଶେଷକରି ୩ଟି ଦିଗରୁ ଗୁରତ୍ୱର ସହ ଧ୍ୟାନ ଦିଆଯିବା ଆବଶ୍ୟକ । ସେଗୁଡ଼ିକ ହେଲା-

  • ଏକ ସପ୍ତାହ ଧରି ସଂକ୍ରମଣ ହାର ୫ ପ୍ରତିଶତରୁ କମ୍ ରହିବା ଜରୁରୀ ।
  • ସଂକ୍ରମଣ ହେବାର ଆଶଙ୍କା ଥିବା ୭୦ ପ୍ରତିଶତ ବ୍ୟକ୍ତିଙ୍କ ଟିକାକରଣ ।
  • ଗୋଷ୍ଠୀଭିତ୍ତିକ କୋଭିଡ୍ ନିରୋଧୀ ଆଚରଣକୁ ଗୁରୁତ୍ୱ ଦିଆଯିବା ସହ ପର୍ଯ୍ୟାୟ କ୍ରମେ ଅନଲକ୍ ।

ଡାକ୍ତର ଭାର୍ଗବ ଆହୁରି କହିଛନ୍ତି ଯେ ନିର୍ଦ୍ଦିଷ୍ଟ ଜିଲ୍ଲା ବା ଅଞ୍ଚଳରେ ୭୦ ପ୍ରତିଶତ ଜନତାଙ୍କ ଟିକାକରଣ ସୁନିଶ୍ଚିତ କରିବା ପରେ ହିଁ ଧୀରେ ଧୀରେ କଟକରା କୋହଳ କରିବା ଆବଶ୍ୟକ । ସେହିପରି ଜିଲ୍ଲାସ୍ତରରେ କଣ୍ଟେନମେଣ୍ଟ ଜୋନ୍ କରିବା ଏକ ଦୀର୍ଘସ୍ଥାୟୀ ସମାଧାନ ରାସ୍ତା ନୁହେଁ, ତେଣୁ ଗଭୀର ବିଚାର ପୂର୍ବକ ବ୍ୟବସ୍ଥିତ ଢଙ୍ଗରେ ତାଲାବନ୍ଦ ଖୋଲିବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଛନ୍ତି । ବିଶେଷକରି ବ୍ୟାପକ ଟିକାକରଣ ଉପରେ ଡାକ୍ତର ଭାର୍ଗବ ଗୁରୁତ୍ୱାରୋପ କରିଛନ୍ତି ।

Get real time updates directly on you device, subscribe now.