fbpx
BSKY
BJD MC SKY
BJD MS SKY

ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା: ଆମ ଦେଶରେ ଯଦି କୌଣସି ବ୍ୟାଙ୍କ ବୁଡ଼ିଯିବ ତେବେ ଆପଣଙ୍କୁ କେତେ ଟଙ୍କା ମିଳିବ, କ’ଣ କହୁଛି ନିୟମ

ନୂଆଦିଲ୍ଲୀ: ଗତ ୨୦୨୩ ମସିହାରେ ଆମେରିକାର ସିଲିକନ ଭ୍ୟାଲି ବ୍ୟାଙ୍କ (ଏସଭିପି) ଦେବାଳିଆ ହେବା ଘଟଣା ସାରା ବିଶ୍ୱବାସୀଙ୍କୁ ହତବାକ କରିଦେଇଥିଲା । ତେବେ ଏଠାରେ ପ୍ରଶ୍ନ ଉଠେ ସିଲିକନ ଭ୍ୟାଲି ଭଳି ଯଦି ଭାରତରେ କୌଣସି ବ୍ୟାଙ୍କ ସହ ଏପରି ଘଟେ, ତେବେ ଜନସାଧାରଣ ଏ କ୍ଷେତ୍ରରେ କ’ଣ କରିବେ? ସେମାନଙ୍କୁ କେତେ ଟଙ୍କା ମିଳିବ, ସେମାନଙ୍କୁ ଜମା ଅର୍ଥ ଫେରସ୍ତ କରାଯିବ କି ନା, ଏଭଳି ଅନେକ ପ୍ରଶ୍ନ ସାମ୍ନାକୁ ଆସିଥାଏ ।

ଆଜିକାଲି ଆମେ ବହୁ କ୍ଷେତ୍ରରେ ଆଗକୁ ବଢ଼ୁଥିଲେ ହେଁ ସେଇ ଅନୁପାତରେ ବିଭିନ୍ନ ସମସ୍ୟାର ମଧ୍ୟ ସାମ୍ନା କରୁଛେ । ତେଣୁ ପ୍ରତ୍ୟେକ କ୍ଷେତ୍ରରେ ଆମକୁ ସଚେତନ ହେବା ନିହାତି ଜରୁରୀ । ନଚେତ୍ ବର୍ଷ ବର୍ଷର କଷ୍ଟୋପାର୍ଜିତ ଧନ ପାଣିରେ ପଡ଼ିବା ହିଁ ସାର ହେବ । ଗତ ୨୦୦୮ ପରେ ଆମେରିକାରେ ଦେଖାଦେଇଥିବା ଆର୍ଥିକ ସଙ୍କଟ ପରେ ୨୦୨୩ରେ ସିଲିକନ ଭ୍ୟାଲି ଭଳି ପୁଣି ଏକ ବଡ଼ ଘଟଣା ଘଟିଥିଲା । ତେଣୁ ଭାରତରେ ଯେ ଭବିଷ୍ୟତରେ ଏଭଳି ଘଟଣା ନ ଘଟିବା ତାହା କହିହେବ ନାହିଁ । ତେଣୁ ବିପଦ ଆସିବା ପୂର୍ବରୁ ନିଜର ଧନ ସୁରକ୍ଷା ନେଇ ଜନସାଧାରଣ ସତର୍କ ରହିବା ଆବଶ୍ୟକ ।

ଆମେରିକା ଭଳି ଏକ ବିତ୍ତଶାଳୀ ରାଷ୍ଟ୍ରରେ ଏକ ବିଶ୍ୱସ୍ତରୀୟ ବ୍ୟାଙ୍କ ବୁଡ଼ିଯିବା ପରେ ଭାରତର ଲୋକଙ୍କ ପାଇଁ ମଧ୍ୟ ସତର୍କ ହେବାର ସମୟ ଆସିଯାଇଛି । ଯଦି ଭାରତରେ କୌଣସି ବ୍ୟାଙ୍କ ବୁଡ଼ିଯାଏ, ତେବେ ଗ୍ରାହକମାନେ କେତେ ଅର୍ଥ ଫେରିପାଇବେ ତାହା ଜାଣିବା ନିହାତି ଜରୁରୀ । ଆମ ଦେଶରେ ଅନେକ ଜାତୀୟକରଣ ଓ ପ୍ରାଇଭେଟ ବ୍ୟାଙ୍କ ରହିଛି । ତେଣୁ କୌଣସି ବ୍ୟାଙ୍କ ସହ ବି ଏପରି ଘଟିପାରେ । ସେଥିପାଇଁ ଗ୍ରାହକଙ୍କ ସ୍ୱାର୍ଥ ପାଇଁ ସରକାର ଏକ ଇନସ୍ୟୁରାନ୍ସ ବ୍ୟବସ୍ଥା କରିଛନ୍ତି । ଯଦି ବ୍ୟାଙ୍କ ବୁଡ଼ିଯାଏ ବା ଦେବାଳିଆ ହୋଇଯାଏ ତେବେ ଗ୍ରାହକଙ୍କୁ ସର୍ବାଧକ ୫ ଲକ୍ଷ ଟଙ୍କାର ଜମା ରାଶି ମିଳିପାରିବ । କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଡିପୋଜିଟ ଇନସ୍ୟୁରାନ୍ସ ଆଣ୍ଡ କ୍ରେଡିଟ ଗ୍ୟାରେଣ୍ଟି କର୍ପୋରେସନ (ଡିଆଇସିଜିସି)କୁ ଏହି ଦାୟିତ୍ୱ ଦିଆଯାଇଛି ।

ବ୍ୟାଙ୍କ ଦେବାଳିଆ ହେବା ପରେ ଡିଆଇସିଜିସି ସବୁ ଗ୍ରାହକଙ୍କ ଆକାଉଣ୍ଟର ହିସାବ କରିଥାଏ ଯଦି ବ୍ୟାଙ୍କ ପାଖରେ ଅର୍ଥ ନଥିବ, ତେବେ ଡିଆଇସିଜିସି ସର୍ବନିମ୍ନ ଅର୍ଥରାଶି ଜମାକାରୀଙ୍କୁ ପ୍ରଦାନ କରିଥାଏ । ତେବେ ଯଦି ଜଣେ ଜମାକାରୀ ନିଜ ଆକାଉଣ୍ଟରେ ୫ ଲକ୍ଷ ଟଙ୍କା ରଖିଥାନ୍ତି ତେବେ ବ୍ୟାଙ୍କ ଦେବାଳିଆ ହେବା ପରେ ତାଙ୍କୁ ୫ ଲକ୍ଷ ମିଳିଥାଏ । ସେହିପରି ସେ ଯଦି ୫ କୋଟି ରଖିଥାନ୍ତି ତେବେ ତାଙ୍କୁ ୫ ଲକ୍ଷ ଟଙ୍କା ହିଁ ମିଳିଥାଏ । କ୍ଷୁଦ୍ର ଜମାକରୀଙ୍କ ଜମା ଅର୍ଥ ସରକ୍ଷିତ ରଖିବା ପାଇଁ ସରକାର ଏହି ବ୍ୟବସ୍ଥା କରିଛନ୍ତି ।

Get real time updates directly on you device, subscribe now.