fbpx
BSKY
BJD YOUTH SKY
BJD MS SKY

ବିବାହ ବନ୍ଧନରେ ବାନ୍ଧି ହେଲେ ଓଡ଼ିଆ ଚେସ୍ ତାରକା ପଦ୍ମିନୀ ରାଉତ: ଜାଣନ୍ତୁ, ତାଙ୍କ କ୍ୟାରିଅରର କିଛି ସଫଳତା ବିଷୟରେ

ଓଡିଶା ଭାସ୍କର: ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଡ଼ିଆ ଚେସ୍ ତାରକା ପଦ୍ମିନୀ ରାଉତ। ରାଜଧାନୀ ଭୁବନେଶ୍ୱରରେ ହିନ୍ଦୁ ବୈଦିକ ରୀତିନୀତିରେ ତାଙ୍କର ବିବାହ ସମ୍ପନ୍ନ ହୋଇଛି। ସେ ମୁମ୍ବାଇର ଜୟକିଶିନ ମନାକାନୀଙ୍କୁ ବିବାହ କରିଛନ୍ତି। ଭୁବନେଶ୍ୱର ପଟିଆ ଅଞ୍ଚଳରେ ଏକ ହୋଟେଲରେ ପଦ୍ମିନୀ ଓ ଜୟକିଶିନଙ୍କ ବିବାହ ସମ୍ପନ୍ନ ହୋଇଛି। ଏହି ବିବାହ ଉତ୍ସବରେ ଓଡ଼ିଶା ସମେତ ଦେଶର ନାମୀଦାମୀ ଚେସ୍‌ ତାରକା ଓ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। ତେବେ ଦେଶ ପାଇଁ ଅନେକ ଗୌରବ ଆଣିଥିବା ଏହି ଓଡ଼ିଆ ଚେସ୍ ତାରକାଙ୍କ ବିବାହକୁ ନେଇ ସବୁଠି ଉତ୍ସାହ ଦେଖିବାକୁ ମିଳିଛି। ବିଭିନ୍ନ କୋଣ ଅନୁକୋଣରୁ ପଦ୍ମିନୀଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।

ଜାଣନ୍ତୁ, ପଦ୍ମିନୀ ରାଉତଙ୍କ କ୍ୟାରିଅରର କିଛି ସଫଳତା ବିଷୟରେ:-

୯ ବର୍ଷ ବୟସରୁ ଚେସ୍‌ ଖେଳିବା ଆରମ୍ଭ କରି ପଦ୍ମିନୀ ୧୧ ବର୍ଷରୁ କମ୍‌ ବୟସ ବର୍ଗରେ ୨୦୦୫ ମସିହାରେ ଜାତୀୟ ପ୍ରତିଯୋଗିତା ଜିତି ଥିଲେ। ଏହା ପଦ୍ମିନୀଙ୍କର ଥିଲା ପ୍ରଥମ ଜାତୀୟ ପ୍ରତିଯୋଗିତା ବିଜୟ। ପରେ ୨୦୦୬ ମସିହାରେ ସେ ୧୩ ବର୍ଷରୁ କମ୍‌ ଜାତୀୟ ପ୍ରତିଯୋଗିତା ଓ ୧୨ ବର୍ଷରୁ କମ୍‌ ଏସୀୟ ପ୍ରତିଯୋଗିତା ଜିତିଥିଲେ।

ସେହିପରି ୨୦୦୮ ମସିହାରେ ପଦ୍ମିନୀ ୧୪ ବର୍ଷରୁ କମ୍‌ ବର୍ଗରେ ଉଭୟ ଏସୀୟ ପ୍ରତିଯୋଗିତା ଓ ବିଶ୍ୱ ଯୁବ ଚେସ୍‌ ପ୍ରତିଯୋଗିତାରେ ଭାଗ ନେଇ ଜିତିଥିଲେ। ୨୦୦୯ ମସିହାରେ ସେ ୨୦ ବର୍ଷରୁ କମ୍‌ ବର୍ଗରେ ଏସୀୟ ଜୁନିୟର ମହିଳା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିଲେ। ଅନ୍ୟପଟେ ୨୦୧୦ରେ ସେ ୧୯ ବର୍ଷରୁ କମ୍‌ ବର୍ଗରେ ଜାତୀୟ ଜୁନିୟର ମହିଳା ପ୍ରତିଯୋଗିତା ଜିତିଥିଲେ। ସେହିବର୍ଷ ସେ ଉଭୟ ଏସୀୟ ଜୁନିୟର ମହିଳା ପ୍ରତିଯୋଗିତା ଓ ବିଶ୍ୱ ଜୁନିୟର ପ୍ରତିଯୋଗିତାରେ କାଂସ୍ୟ ପଦକ ହାସଲ କରିଥିଲେ। ତେବେ ପଦ୍ମିନୀ ରାଉତ ଜାତୀୟ ମହିଳା ଚେସ୍‌ ଚାମ୍ପିୟନସିପ୍‌ରେ ଲଗାତାର ୨୦୧୪, ୨୦୧୫, ୨୦୧୬ ଓ ୨୦୧୭ ୪ ବର୍ଷ ଧରି ଜିତି ଓଡ଼ିଶା ପାଇଁ ଗୌରବ ଆଣିଥିଲେ। ୨୦୧୫ ରେ ସେ ରାଜ୍ୟ ଗୋଷ୍ଠୀ ମହିଳା ଚାମ୍ପିୟନସିପ ଜିତିଥିଲେ। ଏମିତି ଅନେକ ଛୋଟ ବଡ଼ ସଫଳତା ହାସଲ କରିଥିବା ପଦ୍ମିନୀ ଆଜି ବୈବାହିକ ଜୀବନ ଆରମ୍ଭ କରିଛନ୍ତି। ଓଡିଶା କ୍ରୀଡା ଜଗତରେ ତାଙ୍କର ଖୁବ ଅବଦାନ ରହି ଆସିଛି।

Get real time updates directly on you device, subscribe now.