ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫିରେ ବର୍ତ୍ତମାନ ସ୍ଥିତି ୧-୧ରେ ବରାବର ରହିଥିବା ବେଳେ ବ୍ରିସବେନର ଗାବା ଷ୍ଟାଡିୟମରେ ଖେଳାଯାଉଥିବା ତୃତୀୟ ଟେଷ୍ଟରେ ଭାରତ ବ୍ୟାକଫୁଟରେ ରହିଛି । ଅନ୍ୟପକ୍ଷରେ ଚତୁର୍ଥ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ଅଷ୍ଟ୍ରେଲିଆ ୧୯୩ ରନରେ ଆଗୁଆ ରହି ଦୃଢ଼ ସ୍ଥିତିରେ ରହିଛି । ତେଣୁ ଆସନ୍ତାକାଲି ଯଦି ବର୍ଷା ନହୁଏ, ତେବେ ଭାରତ ଏହି ମ୍ୟାଚ ହାରିବାର ସମ୍ଭାବନା ସୃଷ୍ଟି ହୋଇଛି । ଏହାକୁ ନେଇ ଅଗଣିତ ଭାରତୀୟ କ୍ରିକେଟ ପ୍ରେମୀଙ୍କ ମନରେ ନୈରାଶ୍ୟ ଖେଳିଯାଇଛି ।
ତେବେ ପଞ୍ଚମ ଦିନରେ ଭାରତ ପାଇଁ ଜିତିବାର ସୁଯୋଗ ମଧ୍ୟ ରହିଛି । ଶେଷ ଦିନରେ କଙ୍ଗାରୁ ଯଦି ଗୋଟିଏ ଭୁଲ୍ କରେ, ତେବେ ଟିମ୍ ଇଣ୍ଡିଆ ଜିତିବାର ସମ୍ଭାବନା ବଢ଼ିଯିବ । ଅଷ୍ଟ୍ରେଲିଆ ପ୍ରଥମ ଇନିଂରେ ୪୪୫ ରନ୍ ସଂଗ୍ରହ କରିଥିବା ବେଳେ ଭାରତ ୯ ୱିକେଟ ହରାଇ ୨୫୨ ରନ୍ ସଂଗ୍ରହ କରିଛି । ୩୯ ରନର ପାର୍ଟନରଶିପରେ ଖେଳୁଥିବା ଆକାଶ ଦୀପ (୨୭) ଓ ଯଶପ୍ରୀତ ବୁମ୍ରା (୧୦) ପଞ୍ଚମ ଦିନ ଯଦି ବିନା ସ୍କୋର କରି ଆଉଟ୍ ହୋଇ ଯାଆନ୍ତି, ତେବେ ଭାରତ ୨୫୨ରେ ସୀମିତ ରହିଯିବ ।
ତେବେ ଏହି ମ୍ୟାଚ ଜିତିବା ପାଇଁ ଅଷ୍ଟ୍ରେଲିଆ ଟିମ୍ ଯଦି ଏମସିସିର ୧୫.୨ ନିୟମର ପ୍ରୟୋଗ କରିବ, ତେବେ ଭାରତ ପାଇଁ ଜିତିବାର ସୁଯୋଗ ସୃଷ୍ଟି ହୋଇପାରେ । ଉକ୍ତ ନିୟମ ଅନୁସାରେ, ପ୍ରଥମ ପାଳି ସମାପ୍ତ ପରେ ନିଜେ ବ୍ୟାଟିଂ ନକରି ଗୋଟିଏ ଅଧିନାୟକ ବିରୋଧୀ ଅଧିନାୟକଙ୍କୁ ବ୍ୟାଟିଂ ପାଇଁ ପୁଣି ପଠାଇ ପାରନ୍ତି । ଏପରି ହେଲେ ଟିମ୍ ଇଣ୍ଡିଆ ୧୯୪ ରନର ଟାର୍ଗେଟକୁ ସହଜରେ ହାସଲ କରି ବିଜୟୀ ହୋଇ ପାରିବ । ଏପରି ସ୍ଥିତିରେ ଭଲ ବ୍ୟାଟିଂ କରି ଭାରତ ଜିତିପାରେ କିମ୍ବା ଭଲ ବୋଲିଂ କରି ଅଷ୍ଟ୍ରେଲିଆ ମଧ୍ୟ ଜିତିପାରେ । ଯେହେତୁ ୧୯୪ର ଟାର୍ଗେଟ ଭାରତ ପାଇଁ ସହଜ ହେବ, ତେଣୁ କଙ୍ଗାରୁ ଏହି ନିୟମର ପ୍ରୟୋଗ କରିବାର ସମ୍ଭାବନା ବହୁତ କମ୍ ରହିଛି ।