fbpx

ସାଇବର ଠକ ଯଦି ରାଜ୍ୟର ଆଇଟି ସଚିବଙ୍କ WhatsApp Hack କରିପାରୁଛି, ତେବେ ସାଧାରଣ ଜନତାଙ୍କ ଅବସ୍ଥା କ’ଣ ହେବ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହ୍ୱାଟସଆପରେ ଚାଟି, ଫଟୋ ଓ ଭିଡିଓ ଶେୟାର କରିବା ସମ୍ପୂର୍ଣ୍ଣ ନିରାପଦ ବୋଲି କମ୍ପାନୀ ପକ୍ଷରୁ ପୂର୍ବରୁ ବହୁବାର କୁହାଯାଇ ଆସୁଛି । କିନ୍ତୁ ନିକଟରେ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଅତିରିକ୍ତ ସଚିବ ତଥା ଓକାକ ମୁଖ୍ୟ ମନୋଜ କୁମାର ପଟ୍ଟନାୟକଙ୍କର ହ୍ୱାଟସଆପ୍ ହ୍ୟାକ ହେବା ଫଳରେ କମ୍ପାନୀ ଉପରୁ ଜନସାଧାରଣଙ୍କର ଭରସା ଉଠିଯାଇଛି । ସାଇବର ଠକ ମନୋଜଙ୍କ ହ୍ୱାଟସଆପ୍ ହ୍ୟାକ୍ କରି ତାଙ୍କ ପରିଜନଙ୍କଠାରୁ ୭ ଲକ୍ଷ ଟଙ୍କା ଲୁଟି ନେଇଛି । ପୂର୍ବରୁ ଜି-ମେଲ, ଫେସବୁକ, ମେସେଞ୍ଜରକୁ ହ୍ୟାକ କରି ଅନେକ ଥର ଲୁଟ ହୋଇସାରିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ରାଜ୍ୟ ସରକାରଙ୍କ ଆଇଟି ମୁଖ୍ୟଙ୍କର ଅବସ୍ଥା ଯଦି ଏମିତି, ସାଧାରଣ ଜନତାଙ୍କ ଅବସ୍ଥା କ’ଣ ହେବ?

ତେବେ ଜଣାପଡ଼ିଛି ଯେ, ମନୋଜଙ୍କ ବ୍ୟତୀତ ଆଇଟି ବିଭାଗର ଉପସଚିବଙ୍କ ଭଳି ଅନେକ ମଧ୍ୟ ସାଇବର ଠକଙ୍କ ଶିକାର ହୋଇଛନ୍ତି । ତେବେ ସାଇବର ଠକ ୬ଟି ଉପାୟରେ ହ୍ୱାଟସଆପର ନକଲ କରୁଛନ୍ତି ବୋଲି କହିଛନ୍ତି ସାଇବର ବିଶେଷଜ୍ଞ ପ୍ରଶାନ୍ତ କୁମାର ସାହୁ । ଠକମାନେ ଏବେ ଅନଲାଇନ ଟ୍ରେଡିଂ, ଲଟେରି, ବିଟ୍ କଏନ୍ ଭଳି ବ୍ୟବସାୟ ନାମରେ ଅନେକ ଗ୍ରୁପ୍ କରୁଛନ୍ତି । ଠକମାନେ ଗ୍ରୁପରେ ରହି ସମସ୍ତଙ୍କର ତଥ୍ୟ ନେଇ ହ୍ୟାକ୍ କରୁଛନ୍ତି । ହ୍ୱାଟସଆପରେ କିମ୍ବା ଏସଏମଏସରେ ଆସୁଥିବା ଅଜଣା ଲିଙ୍କକୁ କ୍ଲିକ କଲେ ହ୍ୟାକ୍ ହେବା ଆଶଙ୍କା ରହିଥାଏ ।
ତେଣୁ ଯଦି ଆପଣଙ୍କର ବିନା ଅନୁମତିରେ କେହି ଗ୍ରୁପରେ ଆପଣଙ୍କୁ ଆଡ୍ କରୁଛି, ସେଥିରୁ ନିବୃତ୍ତ ରୁହନ୍ତୁ । ସବୁବେଳେ ହ୍ୱାଟସଆପର ଟୁ ଫ୍ୟାକ୍ଟର ଭେରିଫିକେସନକୁ ଅନ୍ ରଖିବା ସହ ଫୋନକୁ ଆସୁଥିବା କୋଡକୁ କାହକୁ ଦିଅନ୍ତୁ ନାହିଁ । ରେଲୱେ, ବସଷ୍ଟାଣ୍ଡ ଭଳି ଜାଗାରେ ଅଜଣାଙ୍କୁ ଫୋନ୍ ଦିଅନ୍ତୁ ନାହିଁ କି ମାଗଣା ୱାଇଫାଇ ବ୍ୟବହାର କରନ୍ତୁ ନାହିଁ । ଯଦି ଆପଣଙ୍କର କେହି ସମ୍ପର୍କୀୟ ଅସୁବିଧାରେ ପଡ଼ି ଟଙ୍କା ମାଗୁଥାଏ, ତେବେ ତାଙ୍କ ସମ୍ପର୍କୀୟଙ୍କୁ ଯୋଗାଯୋଗ କରିବା ପରେ ନିଷ୍ପତ୍ତି ନିଅନ୍ତୁ । ସବୁବେଳେ ମୋବାଇଲ ଫୋନ୍, ହ୍ୱାଟସଆପ୍, ଫେସବୁକ, ଅନଲାଇନ ବ୍ୟାଙ୍କିଂ ସମ୍ପର୍କୀତ ସୁରକ୍ଷା ନେଇ ଅପଡେଟ୍ ରୁହନ୍ତୁ ।

Get real time updates directly on you device, subscribe now.