fbpx

ମହିଳା ଟି-୨୦ ବିଶ୍ୱକପରେ ଏକ ବିରଳ ସଂଯୋଗ! ପାକିସ୍ତାନ ଜିତିଲେ ସେମିଫାଇନାଲରେ ପହଞ୍ଚିବ ଭାରତ

ନୂଆଦିଲ୍ଲୀ: ମହିଳା ଟି-୨୦ ବିଶ୍ୱକପରେ ଆଜି ଗ୍ରୁପ-ଏ’ରେ ଅଷ୍ଟ୍ରେଲିଆକୁ ଭେଟିବ ଟିମ୍ ଇଣ୍ଡିଆ । ସେମିରେ ପହଞ୍ଚିବା ପାଇଁ ହେଲେ ଭାରତକୁ ଏହି ମ୍ୟାଚରେ ଜିତିବା ବେଶ୍ ଗୁରୁତ୍ୱପୂର୍ଣ୍ଣ । ତେବେ ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆକୁ ହରାଇବା ଭାରତ ପାଇଁ ଏତେ ସହଜ ହୋଇ ନପାରେ । ପୁଣି ଯଦି ଆଜି ମ୍ୟାଚରେ ଭାରତ ବିଜୟୀ ହାସଲ କରେ, ତେବେ ତାହା ମଧ୍ୟ ସେମି ପଥକୁ ଶତ ପ୍ରତିଶତ ସଫଳ କରିପାରିବ ନାହିଁ । ଗ୍ରୁପ-ଏ’ରେ ବର୍ତ୍ତମାନ ୬ ପଏଣ୍ଟ ପାଇଁ ଅଷ୍ଟ୍ରେଲିଆ ଟପରେ ରହିଥିବା ବେଳେ ୪ ପଏଣ୍ଟ ପାଇଁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ତୃତୀୟ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ମଧ୍ୟ ୪ ପଏଣ୍ଟ ପାଇଛି । ଅନ୍ୟପକ୍ଷରେ ପାକିସ୍ତାନ ୨ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି ।

ଆସନ୍ତାକାଲି ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ ଉପରେ ଭାରତର ନଜର ରହିବ । କାରଣ ପାକିସ୍ତାନର ପରାଜୟ ଭାରତକୁ ସେମି ପାଇଁ କିଛିଟା ସହାୟତା ପ୍ରଦାନ କରିପାରେ । ଯଦି ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟ ହାସଲ କରେ, ତେବେ ଏଭଳି ସ୍ଥିତିରେ ରନ୍ ରେଟକୁ ନେଇ ଏକ ବଡ଼ ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ । ଅଷ୍ଟ୍ରେଲିଆକୁ ହରାଇ ଭାରତ ସିଧାସଳଖ ସେମି ଟିକେଟ୍ ହାତେଇପାରେ, ମାତ୍ର ଏଥିପାଇଁ କିଛି ସମୀକରଣ ବୁଝିବାକୁ ପଡ଼ିବ । ଭାରତକୁ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ବଡ଼ ବିଜୟ ହାସଲ କରିବାକୁ ପଡ଼ିବ । ଯଦି ଭାରତ ୬୧ରୁ ଅଧିକ ରନରେ ବିଜୟ ହାସଲ କରେ, ତେବେ ରନ ରେଟରେ ଟିମ୍ ଇଣ୍ଡିଆକୁ କଙ୍ଗାରୁକୁ ମାତ୍ ଦେବ ଓ ସେମି ଖେଳିବା ରାସ୍ତା ପରିସ୍କାର ହୋଇଯିବ ।

ଯଦି ଭାରତ ୬୦ରୁ କମ୍ ରନରେ ଜିତେ, ତେବେ ଏଥିପାଇଁ ପାକିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡର କମ୍ ରନରେ ବିଜୟ ମନାସୀବ ଭାରତ । ଯଦି ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୧୫୦ ରନ୍ ସଂଗ୍ରହ କରି ୧୦ ରନରେ ଜିତେ, ତେବେ ନ୍ୟୁଜିଲାଣ୍ଡକୁ ଭାରତ ଠାରୁ ଅଧିକ ରନ୍ ରେଟ୍ ହାସଲ କରିବା ପାଇଁ ପାକିସ୍ତାନକୁ ୨୮ ରନରେ ହରାଇବାକୁ ପଡ଼ିବ । ଯଦି ଭାରତ ଅଷ୍ଟ୍ରେଲିଆ ଠାରୁ ୧୭ ରନରେ ପରାସ୍ତ ହୁଏ, ତେବେ ନ୍ୟୁଜିଲାଣ୍ଡର ରନ୍ ରେଟ୍ ଭାରତ ଠାରୁ ଅଧିକ ହୋଇଯିବ । ଏଭଳି ସ୍ଥିତିରେ ଆଜିର ମ୍ୟାଚ ଓ ଆସନ୍ତାକାଲିର ମ୍ୟାଚ ଉପରେ ଏବେ ଭାରତର ସେମି ଖେଳିବା ଝୁଲି ରହିଛି । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କୌଣସି ଟିମ୍ ହାରିଗଲେ, ଅନ୍ୟ ଟିମ୍ ଓ ଅଷ୍ଟ୍ରେଲିଆ ସେମିରେ ପହଞ୍ଚିଯିବେ । ସାଧାରଣ ଭାବେ ଭାରତ ଓ ପାକିସ୍ତାନ କ୍ରିକେଟ ମୈଦାନରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ହୋଇଥିବା ବେଳେ ଏଥର କିନ୍ତୁ ବିଶ୍ୱକପରେ ଏକ ବିରଳ ସଂଯୋଗ ଦେଖିବାକୁ ମିଳିଛି । ଯଦି ଆଜିର ମ୍ୟାଚରେ ଭାରତ ଜିତେ ଓ ଆସନ୍ତକାଲିର ମ୍ୟାଚରେ ନ୍ୟୁଜିଲାଣ୍ଡକୁ ପାକିସ୍ତାନ ପରାସ୍ତ କରିଦିଏ, ତେବେ ୬-୬ ପଏଣ୍ଟ ସହ ଉଭୟେ ଅଷ୍ଟ୍ରେଲିଆ ଓ ଭାରତ ସେମିରେ ପହଞ୍ଚିଯିବେ ।

Get real time updates directly on you device, subscribe now.