fbpx

ଓଜନ କମ କରିବା ପାଇଁ ଆପଣାଉଛନ୍ତି କି କେଟୋ ଡାଏଟ! ହୋଇଯାଆନ୍ତୁ ସାବଧାନ, ଭୋଗିପାରନ୍ତି ଏହି ସବୁ ସମସ୍ୟା

ଓଜନ କମାଇବା ପାଇଁ ଆଜିକାଲି କେଟୋ ଡାଏଟ ବେଶ ଲୋକପ୍ରିୟ ହୋଇଛି । ବାସ୍ତବରେ କେଟୋ ଡାଏଟରେ ଅଧିକ ପରିମାଣର ଚର୍ବି, ସନ୍ତୁଳିତ ପରିମାଣର ପ୍ରୋଟିନ୍ ଏବଂ ବହୁତ କମ କାର୍ବୋହାଇଡ୍ରେଟ ଖାଦ୍ୟରେ ଯୋଗ କରାଯାଇଥାଏ । ଏହି କିଟୋ ଡାଏଟରେ ମଟନ୍, ପନିର, ଅଣ୍ଡା, ଚିକେନ୍, ବାଦାମ, ଅଣ୍ଡା, ସି ଫୁଡ଼ ଏବଂ ମଞ୍ଜି ସାମିଲ ହୋଇଥାଏ । କିନ୍ତୁ ପ୍ରଶ୍ନ ହେଉଛି ଏହି ଖାଦ୍ୟ ଆମ ଶରୀର ପାଇଁ ସୁସ୍ଥ କି?

ବିଭିନ୍ନ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଖାଦ୍ୟଗୁଡ଼ିକ ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଆମେ ଅଳ୍ପ କିଛି ଦିନ ପାଇଁ କେଟୋ ଡାଏଟ ଅନୁସରଣ କରିପାରିବା । କିନ୍ତୁ ଦୀର୍ଘ ସମୟ ଧରି ଏହାକୁ ଗ୍ରହଣ କରିବା ଆମ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଆସନ୍ତୁ ଜାଣିବା କିପରି-

କେଟୋ ଡାଏଟରେ କାର୍ବୋହାଇଡ୍ରେଟର ପରିମାଣ ବହୁତ କମ ରହିଥାଏ । ଏଥିରେ ଆପଣଙ୍କୁ କେବଳ ଫଳ, ପନିପରିବା, ଅଣ୍ଡା, ମାଂସ ଇତ୍ୟାଦି ଖାଇବାକୁ ପଡ଼ିଥାଏ । ରୁଟି, ଭାତ, ଆଳୁ ପରି କାର୍ବୋହାଇଡ୍ରେଟକୁ ସମ୍ପୂର୍ଣ୍ଣରୂପେ ଏଡାଇବାକୁ ପଡ଼ିଥାଏ । ଏହା ପରିବର୍ତ୍ତେ, ଏହି ଖାଦ୍ୟରେ ଅଧିକ ପ୍ରୋଟିନ୍ ଏବଂ ଚର୍ବିକୁ ସାମିଲ କରାଯାଇଥାଏ । ତେବେ ଶରୀରରେ କାର୍ବସ୍ ଅଭାବ ହେବା କାରଣରୁ ପର୍ୟ୍ୟାପ୍ତ ଶକ୍ତି ଆମକୁ ମିଳିନଥାଏ । ତେଣୁ ଗଚ୍ଛିତ ଚର୍ବିକୁ ଭାଙ୍ଗି ଶରୀର ଶକ୍ତି ନେଇଥାଏ । ଏହି ପ୍ରକ୍ରିୟାକୁ କେଟୋସିସ କୁହାଯାଏ । ଶରୀରକୁ ଶକ୍ତି ଯୋଗାଇବା ପାଇଁ ଚର୍ବି ବ୍ୟବହାର କରି ଓଜନ ହ୍ରାସ ହୋଇଥାଏ । କିନ୍ତୁ ଏହି ଡାଏଟ୍ ଅନେକ ଲୋକଙ୍କ ପାଇଁ ଠିକ୍ ନୁହେଁ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ହୃଦଘାତ ହେବାର ଆଶଙ୍କା- ସମ୍ପ୍ରତି ଏକ ଅନୁସନ୍ଧାନରୁ ଜଣାପଡିଛି ଯେ କେଟୋ ଡାଏଟ୍ ଗ୍ରହଣ କରିବା ଶରୀରର ମେଟାବୋଲିଜିମ୍ ଉପରେ ଖରାପ ପ୍ରଭାବ ପକାଇଥାଏ। ଏହି ଡାଏଟରେ କାର୍ବୋହାଇଡ୍ରେଟ୍ ନ ରହିବା ସହିତ ଚର୍ବି ଅଧିକ ମାତ୍ରାରେ ରହିଥାଏ । ତେବେ ଏହା ରକ୍ତରେ ଖରାପ କୋଲେଷ୍ଟ୍ରଲ୍ ଅର୍ଥାତ୍ LDLର ସ୍ତରକୁ ବଢ଼ାଇଥାଏ । ଏହା ଦ୍ୱାରା ହୃଦଘାତ ଏବଂ ଷ୍ଟ୍ରୋକ ହେବାର ସମ୍ଭାବନା ବଢ଼ିଥାଏ । ଆହୁରି ମଧ୍ୟ, ଏହି ଡାଏଟ୍ ଶରୀରକୁ ଅନେକ ଜରୁରୀ ପୋଷକ ତତ୍ତ୍ୱ ଯୋଗାଇବାରେ ସକ୍ଷମ ହୋଇନଥାଏ । ତେଣୁ ଡାକ୍ତରଙ୍କ ସହ ପରାମର୍ଶ ନକରି ଦୀର୍ଘ ଦିନ ଧରି ଏହି କେଟୋ ଡାଏଟ୍ ଗ୍ରହଣ କରନ୍ତୁ ନାହିଁ । ନଚେତ୍ ହୃଦଘାତର ଆଶଙ୍କା ରହିଛି ବୋଲି କହନ୍ତି ବିଶେଷଜ୍ଞ ।

କିଡନୀ ଉପରେ ପ୍ରଭାବ- ଅଧିକ ଚର୍ବି ଥିବା ଆମିଷ ଖାଦ୍ୟ ଯେପରିକି ମାଂସ, ଅଣ୍ଡା, ପନିର ଇତ୍ୟାଦି କେଟୋ ଡାଏଟରେ ଅନ୍ତର୍ଭୁକ୍ତ । ଏହି ସମସ୍ତ ଖାଦ୍ୟ ଫ୍ୟାଟରେ ଭରପୁର । ତେବେ ଏପରି ଖାଦ୍ୟ ଅଧିକ ଖାଇବା କିଡନୀ ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ । ଏହି ଖାଦ୍ୟ ଆମ ରକ୍ତ ଏବଂ ପରିସ୍ରାକୁ ଅଧିକ ଅମ୍ଳୀୟ କରିଥାଏ । ଏହା ବ୍ୟତୀତ ପରିସ୍ରାରେ କ୍ୟାଲସିୟମର ପରିମାଣ ମଧ୍ୟ ବଢ଼ାଇଥାଏ । ତେବେ ଏହା ଦ୍ୱାରା କିଡନୀରେ ଷ୍ଟୋନ ହେବା ସହିତ କିଡନୀ କାର୍ୟ୍ୟରେ ବାଧା ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି କରେ । ତେଣୁ, ନନ-ଭେଜ କେଟୋ ଖାଦ୍ୟ କେବଳ ସୀମିତ ପରିମାଣରେ ଖାଇବା ଉଚିତ୍ ।

Get real time updates directly on you device, subscribe now.