ଏବେ ଆକାଉଣ୍ଟରୁ ଟଙ୍କା କଟିଲେ ଆଉ ଆସିବନି ମେସେଜ, ଜାଣନ୍ତୁ କାହିଁକି…

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ଭାରତରେ ବହୁଳ ମାତ୍ରାରେ ଲୋକେ ଫୋନ୍ ପେ, ଗୁଗୁଲ ପେ ଏବଂ ପେଟିଏମ୍ ଭଳି ଅନଲାଇନ୍ ପେମେଣ୍ଟ ଆପ୍ ବ୍ୟବହାର କରନ୍ତି। ଆପଣ ଏହା ଲକ୍ଷ୍ୟ କରିଥିବେ ଯେ, କୌଣସି ବି କାରବାର କରିବା ପରେ ଆକାଉଣ୍ଟରୁ ଟଙ୍କା କଟିବାର ଏକ ମେସେଜ୍ ମାଧ୍ୟମରେ ଆସିଥାଏ। ତେବେ ଆଗକୁ ଆପଣଙ୍କୁ ଏପରି ମେସେଜ ନଆସିପାରେ। କାରଣ ଏହା ଶୀଘ୍ର ବଦଳିବାକୁ ଯାଉଛି। ବାସ୍ତବରେ, ବର୍ତ୍ତମାନ ପେମେଣ୍ଟ ଆପ୍ ସରକାରଙ୍କୁ ମେସେଜ୍ ବିଜ୍ଞପ୍ତି ବଦଳରେ ଇନ୍-ଆପ୍ ଆଲର୍ଟ ଉପରେ ବିଚାର କରିବାକୁ ଅନୁରୋଧ କରିଛନ୍ତି।

ଅନଲାଇନ୍ ପେମେଣ୍ଟ ସେବା ପ୍ରଦାନ କରୁଥିବା ଗୁଗୁଲ ପେ, ଫୋନ୍ ପେ, ଆଦି ଆପ୍ ଗୁଡ଼ିକ ବ୍ୟାଙ୍କିଙ୍କ୍ କାରବାର ପାଇଁ ଏସଏମଏସ ବଦଳରେ ଇନ୍-ଆପ୍ ଅଲର୍ଟ ଉପରେ ବିଚାର କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି। ଇକୋନୋମିକ୍ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏସ୍ଏମ୍ଏସ୍ ବିଜ୍ଞପ୍ତି ବଦଳରେ ଇନ୍-ଆପ୍ ଆଲର୍ଟ ଚୟନ କରିବାର କାରଣ ଏସଏମଏସରେ ଅଧିକ ମୂଲ୍ୟ ଖର୍ଚ୍ଚ କରିବାକୁ ପଡ଼ୁଛି ଏବଂ ସୁରକ୍ଷା ବିପଦ ଥିବା ବୋଲି କୁହାଯାଉଛି।

ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ ମେ ୩୦ ରେ ନ୍ୟାସନାଲ ଆସୋସିଏସନ୍ ଅଫ୍ ସଫ୍ଟୱେୟାର ଆଣ୍ଡ ସର୍ଭିସ କମ୍ପାନୀ (ନାସକୋମ) ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) କୁ ଏକ ଆବେଦନ ପଠାଇ ବ୍ୟାଙ୍କିଙ୍ଗ କାରବାର ପାଇଁ ଆପ୍ ଆଧାରିତ ବିଜ୍ଞପ୍ତିକୁ ଅନୁମତି ଦେବାକୁ ବିଚାର କରିବାକୁ ଅନୁରୋଧ କରିଛି। ଏଥିରେ କୁହାଯାଇଛି ଯେ ଏକ ଇନ୍-ଆପ୍ ବିଜ୍ଞପ୍ତିର ଆନୁମାନିକ ମୂଲ୍ୟ ୦.୦୦୧ ଟଙ୍କା ଥିବାବେଳେ ଏସ୍ଏମ୍ଏସ୍ ଆଲର୍ଟ ପଠାଇବା ମୂଲ୍ୟ ୦.୧୨ ଟଙ୍କା ଖର୍ଚ୍ଚ ହେଉଛି। ଏହା ମଧ୍ୟ କୁହାଯାଇଛି ଯେ ୨୦୨୨ ଆର୍ଥିକ ବର୍ଷରେ ୮,୭୩୪ କୋଟି ଟଙ୍କା ମୂଲ୍ୟର ଡିଜିଟାଲ କାରବାର ହୋଇଥିବାରୁ ଏହା ପାଇଁ ଏସଏମଏସ ବିଜ୍ଞପ୍ତିର ମୂଲ୍ୟ ପ୍ରାୟ ୧୦୪୮ କୋଟିରେ ପହଞ୍ଚିଛି।