fbpx

ପୁଣି ଫେରିବ ଶୀତର ଲହରୀ! କେଉଁ ରାଜ୍ୟରେ, କେବେ ଓ କେତେ ଡିଗ୍ରୀ ତାପମାତ୍ରା ଖସିବ, IMD ଆଲର୍ଟ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦେଶର ଅଧିକାଂଶ ସ୍ଥାନରେ ଜନସାଧାରଣ ଭୀଷଣ ଶୀତରେ କଲବଲ ହେଉଛନ୍ତି । ଏହା ମଧ୍ୟରେ ଦିଲ୍ଲୀ ସମେତ ଉତ୍ତର ଭାରତର କିଛି ରାଜ୍ୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିବା ବେଳେ ଆଗକୁ ପରିସ୍ଥିତି ବିଗିଡ଼ିବାର ସମ୍ଭାବନା ରହିଛି । ତେବେ ଆଗାମୀ ଦିନରେ ଦିଲ୍ଲୀରେ ପୁଣି ତାପମାତ୍ରା ହ୍ରାସ ଘଟିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆଲର୍ଟ କରି ଦିଆଯାଇଛି ।

ଆଇଏମଡି ମୁତାବକ, ଆସନ୍ତା ୧୪ରୁ ୧୬ ମଧ୍ୟରେ ଉତ୍ତର-ପଶ୍ଚିମ ଭାରତର କିଛି ରାଜ୍ୟରେ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି । ୧୫ ଓ ୧୬ରେ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ ଓ ରାଜସ୍ଥାର କିଛି ଅଞ୍ଚଳରେ ଶୀତଳ ଲହରୀ ଦେଖିବାକୁ ମିଳିପାରେ । ବିହାର, ଉତ୍ତରପ୍ରଦେଶର କିଛି ଅଞ୍ଚଳରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ଲୋକଙ୍କୁ ଅସ୍ତବ୍ୟସ୍ତ କରିପାରେ । ସେହିପରି ପଶ୍ଚିମବଙ୍ଗ, ଅସମ, ମେଘାଳୟ, ତ୍ରିପୁରା ଓ ବିହାରରେ ଆସନ୍ତାକାଲି ଥଣ୍ଡାର ପ୍ରକୋପ ଦେଖିବାକୁ ମିଳିପାରେ ।

ଉତ୍ତରପ୍ରଦେଶର ରାଜଧାନୀରେ ୧୩ ତାରିଖରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ଓ ସର୍ବାଧିକ ତାପମାତ୍ରା ୨୦ ଡିଗ୍ରୀ ରହିପାରେ । ସେହିପରି ୧୪ରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀକୁ ଖସିପାରେ । ସେହିପରି କାନପୁରରେ ଏହି ଦିନ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ରହିପାରେ । ୧୫ ତାରିଖରେ ତାପମାତ୍ରା ୯ ଡିଗ୍ରୀ ରେକର୍ଡ ହୋଇପାରେ । ସୂଚନାଯୋଗ୍ୟ ଯେ, ପ୍ରବଳ ଥଣ୍ଡା କାରଣରୁ କାନପୁରରେ ଅନେକ ଲୋକ ହାର୍ଟ ଆଟାକରେ ମୃତ୍ୟୁବରଣ କରିଛନ୍ତି । ସାରା ଦେଶରେ ଏବେ ମୃତ୍ୟୁ ସଂଖ୍ୟା ୧୦୦ ଟପିଯାଇଛି ।

Get real time updates directly on you device, subscribe now.