fbpx

IMF Report: ଆର୍ଥିକ ମାନ୍ଦାବସ୍ଥାରେ କଲବଲ ହେଉଛି ସାରା ବିଶ୍ୱ, ଭାରତ ସହିତ ୭ଟି ଦେଶର ଅର୍ଥନୀତି ଚମକୁଛି

ନୂଆଦିଲ୍ଲୀ: ସଂପ୍ରତି ସାରା ବିଶ୍ୱ ଆର୍ଥିକ ମାନ୍ଦାବସ୍ଥାରେ ଛଟପଟ ହେଉଛି । ବିଶ୍ୱର ଅଧିକାଂଶ ଦେଶର ଅର୍ଥନୀତି ତଳକୁ ଖସିବାରେ ଲାଗିଛି । ତେବେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ବିଶ୍ୱର ୭ଟି ଦେଶ ବିକାଶ ଆଡ଼କୁ ମାଡ଼ି ଚାଲିଚାଲିଛନ୍ତି । କରୋନା, ପୁଞ୍ଜି ବଜାରର ଚାପକୁ ଖାତିର ନକରି ଭାରତ ସହିତ ଏହି ଦେଶଗୁଡ଼ିକର ଅର୍ଥନୀତି ଦୌଡ଼ିବାରେ ଲାଗିଛି । ଅନ୍ୟପକ୍ଷରେ ଆମେରିକା ଓ ଚୀନ ପରି ରାଷ୍ଟ୍ର ଏ କ୍ଷେତ୍ରରେ ପଛରେ ପଡ଼ିଯାଇଛନ୍ତି । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ପକ୍ଷରୁ ଏଭଳି ରିପୋର୍ଟ ସାମ୍ନାକୁ ଆସିଛି ।

୧- ଭାରତ: ଦ୍ରୁତ ଅଭିବୃଦ୍ଧି ଆଡ଼କୁ ମୁହାଁଉଥିବା ଅର୍ଥନୀତି ମଧ୍ୟରୁ ଭାରତ ଅନ୍ୟତମ । ଭାରତ ପୁଞ୍ଜି ନିବେଶ କ୍ଷେତ୍ରରେ ନୂଆ ସଂସ୍କାର ଆଣିଛି । ଭାରତ ବର୍ତ୍ତମାନ ବିଶ୍ୱର ଦ୍ୱିତୀୟ ଅଭିବୃଦ୍ଧିଶୀଳ ଅର୍ଥନୀତି ଆଡ଼କୁ ମୁହାଁଇଛି ।

୨- ଭିଏତନାମ: ଭିଏତନାମ ଭିତ୍ତିଭୂମିରେ ପର୍ଯ୍ୟାପ୍ତ ମାତ୍ରାରେ ଅର୍ଥ ନିବେଶ କରି ବିକାଶ ଆଡ଼କୁ ମାଡ଼ି ଚାଲିଛି । ଭିଏତନାମ ବର୍ତ୍ତମାନ ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଆର୍ଥିକ ବିକାଶର ଇଞ୍ଜିନ ପାଲଟିବାକୁ ଯାଉଛି ।

୩- ପର୍ତ୍ତୁଗାଲ: ୟୁରୋପୀୟ ସଂଘଠାରୁ ପାଇଥିବା ସହାୟତା ରାଶିକୁ ସଠିକ୍ ଦିଗରେ ବିନିଯୋଗ କରି ପର୍ତ୍ତୁଗାଲ ନିଜର ବିକାଶକୁ ସୁଦୃଢ଼ କରିବାରେ ସକ୍ଷମ ହୋଇଛି । ଚଳିତ ବର୍ଷ ପର୍ତ୍ତୁଗାଲ ବିଶ୍ୱର ସର୍ବାଧିକ ପ୍ରଦର୍ଶନକାରୀ ଷ୍ଟକ ବଜାରରେ ପରିଣତ ହୋଇଛି ।

୪- ଜାପାନ: କରୋନା ପ୍ରତିବନ୍ଧକ ହଟିବା ପରେ ଜାପାନକୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସାରା ବିଶ୍ୱର ଷ୍ଟକ ବଜାର ଖସୁଥିବା ବେଳେ ଜାପାନର ଷ୍ଟକ ବଜାର ଶ୍ରେଷ୍ଠ ପ୍ରଦର୍ଶନ କରୁଛି ।

୫- ସାଉଦି ଆରବ: ସାଉଦି ଆରବ ପର୍ଯ୍ୟଟନ, ଶ୍ରମ ଉପରେ କଟକଣା ହଟାଇବା ପାଇଁ ସେଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଗକୁ ସେଠାରେ ଆହୁରି ଅଧିକ ବିକାଶର ସମ୍ଭାବନା ରହିଛି ।

୬- ଗ୍ରୀସ୍: ଗ୍ରୀସ୍ ପର୍ଯ୍ୟଟନ ଓ ବିଦେଶୀ ପୁଞ୍ଜି ନିବେଶରେ ଆଗକୁ ବଢ଼ିବାରେ ଲାଗିଛି । ସେଠାରେ ମୁଦ୍ରାସ୍ଫୀତି ବହୁ ମାତ୍ରାରେ ନିୟନ୍ତ୍ରଣ ହୋଇ ପାରିଛି ।

୭- ଇଣ୍ଡୋନେସିଆ: ଅନ୍ୟ ବିକାଶଶୀଳ ଦେଶ ତୁଳନାରେ ଇଣ୍ଡୋନେସିଆର ଲୋନ୍ ବହୁତ କମ୍ ରହିଛି । ଗତ ଏକ ବର୍ଷ ଧରି ଦେଶର ମୁଦ୍ରାର ମୂଲ୍ୟ ସ୍ଥିର ରହିଛି ।

Get real time updates directly on you device, subscribe now.