ୟୁରୋପୀୟ ୟୁନିଅନର ୯ ଦେଶରେ କୋଭିସିଲଡ ନେଇଥିବା ବ୍ୟକ୍ତି କରିପାରିବେ ଯାତ୍ରା

ନୂଆଦିଲ୍ଲୀ: ୟୁରୋପୀୟ ୟୁନିଅନର ୯ଟି ଦେଶ ଭାରତରେ ନିର୍ମିତ କୋଭିସିଲଡ୍ ଭାକ୍ସିନକୁ ଅନୁମୋଦନ ଦେଇଛନ୍ତି । ଆଷ୍ଟୋନିଆ ମଧ୍ୟ କୋଭିସିଲଡ୍ ସହ ଅନ୍ୟ ଭାରତୀୟ ଭାକ୍ସିନକୁ ମଞ୍ଜୁରୀ ଦେଇଛନ୍ତି । ଭାରତର ଅସନ୍ତୋଷ ପ୍ରକାଶ ପରେ ଏହି ୟୁରୋପୀୟ ଦେଶ ଏହି ପଦକ୍ଷେପ ନେଇଛନ୍ତି । ଭାରତ ବୁଧବାର ୟୁରୋପୀୟ ୟୁନିଅନର ସଦସ୍ୟ ଦେଶଙ୍କୁ କୋଭିଡ୍ ର ଭାରତୀୟ ଟିକା ଏବଂ କୋୱିନ୍ ପ୍ରମାଣପତ୍ରକୁ ସ୍ୱୀକୃତି ଦେବାକୁ କହିଛି ଏବଂ କହିଛି ଯେ ଯଦି ଏପରି ହୁଏ ତେବେ ଭାରତରେ ୟୁରୋପୀୟ ୟୁନିଅନ(ଇୟୁ) ର ଡିଜିଟାଲ କୋଭିଡ୍ ପ୍ରମାଣପତ୍ରକୁ କୋଭିଡ୍ ପ୍ରୋଟୋକଲରୁ ମୁକ୍ତ କରାଯିବ ।

ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ଅଷ୍ଟ୍ରିଆ, ଜର୍ମାନୀ, ସ୍ଲୋଭେନିଆ, ଆଇସଲ୍ୟାଣ୍ଡ, ୟୁନାନ, ଆୟରଲ୍ୟାଣ୍ଡ ଏବଂ ସ୍ପେନ ଇୟୁର ଡିଜିଟାଲ କୋଭିଡ୍ ପ୍ରମାଣପତ୍ରରେ କୋଭିସିଲଡକୁ ସାମିଲ କରିଛନ୍ତି । ଜୁଲାଇ ୧ ତାରିଖରୁ ଇୟୁ ଡିଜିଟାଲ ସାର୍ଟିଫିକେଟ୍ ଫ୍ରେମୱାର୍କରେ ଭାରତୀୟ ଟିକା ଅନ୍ତର୍ଭୁକ୍ତ ନହେବା ନେଇ ଭାରତ ଅସନ୍ତୋଷ ବ୍ୟକ୍ତ କରିଥିଲା । ଏହି ଫ୍ରେମୱାର୍କ ଅନୁଯାୟୀ ୟୁରୋପୀୟ ମେଡିକାଲ ଏଜେନ୍ସି(ଇଏମଏ) ଦ୍ୱାରା ଟିକାକରଣ କରାଯାଇଥିବା ଲୋକଙ୍କ ପାଇଁ ୟୁରୋପୀୟ ୟୁନିଅନ ମଧ୍ୟରେ ଯାତ୍ରା ପ୍ରତିବନ୍ଧକ ଏବଂ ମୁକ୍ତ ଚଳାଚଳ ପାଇଁ ଘୋଷଣା କରିଥିଲେ ।

ଭାରତ ୟୁନିଅନର ୨୭ ରାଷ୍ଟ୍ରଙ୍କୁ କହିଥିଲା ଯେ କୋଭିସିଲଡ୍ ତଥା କୋଭାକ୍ସିନ ଟିକା ନେଇଥିବା ଭାରତୀୟଙ୍କୁ ୟୁରୋପ ଯାତ୍ରା ପାଇଁ ଅନୁମତି ଦେବା ଉପରେ ବିଚାର କରନ୍ତୁ, ଏବଂ କୋୱିନ ପୋର୍ଟାଲ ମାଧ୍ୟମରେ ଜାରି କରାଯାଇଥିବା ଟିକାକରଣ ପ୍ରମାଣପତ୍ରକୁ ସ୍ୱୀକାର କରନ୍ତୁ । ୟୁରୋପୀୟ ୟୁନିଅନର ଉଚ୍ଚ ପ୍ରତିନିଧୀ ଜୋସେଫ ବୋରେଲ ଫଣ୍ଟେଲ୍ସଙ୍କ ସହ ଏକ ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ମଙ୍ଗଳବାର ଇୟୁ ସାର୍ଟିଫିକେଟ ଯୋଜନାରେ କୋଭିସିଲଡକୁ ଅନ୍ତର୍ଭୁକ୍ତ କରିବା ପ୍ରସଙ୍ଗ ଉଠାଇଥିଲେ ।