ପ୍ଲାଷ୍ଟିକ୍ ବ୍ୟବହାର ବିରୁଦ୍ଧରେ ଅଭିନବ ପ୍ରୟାସ, ରାଜ୍ୟର ଏହି ଜିଲ୍ଲାରେ ଖୋଲିଲା ବାସନ ବ୍ୟାଙ୍କ

ଭୁୁବନେଶ୍ୱର: ପରିବେଶ ପ୍ରଦୂଷଣ ବୃଦ୍ଧି ଦିଗରେ ପ୍ଲାଷ୍ଟିକର ପ୍ରମୁଖ ଭୂମିକା ରହିଛି । କିନ୍ତୁ ଏହି ପ୍ଲାଷ୍ଟିିକ୍ ଆମ ଜୀବନର ଯେପରି ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଛି । ଆମେ ଚାହିଁଲେ ବି ପ୍ଲାଷ୍ଟିକ୍ ଠାରୁ ନିଜକୁ ଦୂରେଇ ରହିପାରୁ ନାହୁଁ । ଖାଇବା, ଶୋଇବା, ପିଇବା, ପିନ୍ଧିବା ସବୁ କ୍ଷେତ୍ରରେ ପ୍ଲାଷ୍ଟିକର ବ୍ୟବହାର ହେଉଛି । ଏହି ପ୍ଲାଷ୍ଟିକ ଆମ ମାଟିର ଗୁଣକୁ ନଷ୍ଟ କରିଦେବା ସହ ଏହି କାରଣରୁ ଭୂତଳ ଜଳସ୍ତର ମଧ୍ୟ ହ୍ରାସ ପାଇବାରେ ଲାଗିଲାଣି ।

ପ୍ଲାଷ୍ଟିକ୍ ବ୍ୟବହାର ବନ୍ଦ ପାଇଁ ସରକାରଙ୍କ ଠାରୁ ଆରମ୍ଭ କରି ଘରୋଇ ସ୍ତରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । ପ୍ଲାଷ୍ଟିକର ବିକଳ୍ପ ମଧ୍ୟ ବଜାରକୁ ଆସିଲାଣି । ଏହି କ୍ରମରେ ଓଡିଶାର ନୂଆପଡା ଗାଁରୁ ଏକ ଭଲ ଖବର ସାମ୍ନାକୁ ଆସିଛି । ଏଠାରେ ପ୍ଲାଷ୍ଟିକର ବ୍ୟବହାର କମ୍ କରିବା ଲାଗି ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି ।

ନୂଆପଡା ଜିଲ୍ଲାର କୁରୁମୁଣ୍ଡା ଗାଁରେ ଖୋଲିଛି ବର୍ତ୍ତନ ବ୍ୟାଙ୍କ । ବ୍ୟାଙ୍କରୁ ଟଙ୍କା ଉଠାଇବା ପରି ଏଠାରୁ ଆପଣ ଆବଶ୍ୟକ ସମୟରେ ବାସନ କୁସନ ନେଇ ବ୍ୟବହାର କରିପାରିବେ । ବିଶେଷକରି ବିବାହ ସମୟରେ ଅଧିକ ପ୍ଲାଷ୍ଟିକର ବ୍ୟବହାର ହୋଇଥାଏ । ଏହି ବର୍ତ୍ତନ ବ୍ୟାଙ୍କରେ ହଣ୍ଡା କୁଣ୍ଡ ଠାରୁ ଆରମ୍ଭ କରି ରୋଷେଇରେ ଆବଶ୍ୟକ ପଡୁଥିବା ସମସ୍ତ ସାମଗ୍ରୀ ରହିଛି । ଏହା ସହିତ ଖାଦ୍ୟ ଖାଇବା ପାଇଁ ଥାଳି ଗିନା ମଧ୍ୟ ରହିଛି । ଏସବୁ ଜଣେ ବିବାହ କାର୍ଯ୍ୟକ୍ରମରେ ମାଗଣାରେ ନେଇ ବ୍ୟବହାର କରିପାରିବ ଓ ବ୍ୟବହାର ପରେ ପୁଣି ଆଣି ଡିପୋଜିଟ୍ କରିପାରିବ । ଗାଁର ସରପଞ୍ଚଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏପରି ପ୍ରୟାସକୁ ଏବେ ସବୁଠି ପ୍ରଶଂସା କରାଯାଉଛି ।

Get real time updates directly on you device, subscribe now.