fbpx

IND vs ENG 3rd Test: ସରଫରାଜଙ୍କ ଟେଷ୍ଟ ଡେବ୍ୟୁ, ଭାବବିହ୍ୱଳ ହେଲେ ପିତା

ରାଜକୋଟ: ଭାରତୀୟ କ୍ରିକେଟ ଦଳରେ ସାମିଲ ହେବା ପ୍ରତି ଖେଳାଳିଙ୍କ ପାଇଁ ଏକ ସ୍ୱପ୍ନ । ଆଉ ଏହି ସ୍ୱପ୍ନକୁ ସାକାର କରି ଦେଖାଇଛନ୍ତି ସରଫରାଜ ଖାନ । ଏହା କେବଳ ଖେଳାଳି ପାଇଁ ନୁହେଁ ବରଂ ପରିବାର ପାଇଁ ଏକ ବିଶେଷ ମୁହୂର୍ତ୍ତ । ଆଜି ରାଜକୋଟରେ ଇଂଲଣ୍ଡ ବିପକ୍ଷ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ୩ୟ ମ୍ୟାଚରେ ୨ ନୂତନ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି । କ୍ରମାଗତ ଭାବେ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିଆସୁଥିବା ସରଫରାଜ ଖାନ ଏବଂ ୱିକେଟକିପର ଧ୍ରୁବ୍ ଜୁରେଲଙ୍କୁ କେଏସ୍ ଭରତଙ୍କ ସ୍ଥାନରେ ପ୍ଲେଇଂ ୧୧ରେ ସ୍ଥାନ ମିଳିଛି । ଶ୍ରେୟସ ଅୟରଙ୍କ ଖରାପ ପ୍ରଦର୍ଶନ ପାଇଁ ଚୟନକର୍ତ୍ତାମାନେ ତାଙ୍କୁ ବାହାର କରିଦେଇଥିଲେ ଏବଂ ଶରଫରାଜ ଖାନଙ୍କୁ ଟେଷ୍ଟ ଡେବ୍ୟୁ ପାଇଁ ସୁଯୋଗ ଦେଇଥିଲେ । ଏନେଇ ବିସିସିଆଇ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଛି ।

ଭାରତୀୟ ଦଳର କୋଚ୍ ରାହୁଲ ଦ୍ରାବିଡ଼ ଏବଂ ରୋହିତ ଶର୍ମା ଶରଫରାଜ ଖାନଙ୍କୁ ଇଂଲଣ୍ଡ ବିପକ୍ଷ ୩ୟ ଟେଷ୍ଟ ମ୍ୟାଚରେ ପ୍ଲେଇଂ ୧୧ରେ ସୁଯୋଗ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ । ଘରୋଇ କ୍ରିକେଟରେ ସରଫରାଜଙ୍କ ଉତ୍ତମ ପ୍ରଦର୍ଶନକୁ ଦେଖି ଚୟନକର୍ତ୍ତାମାନେ ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ବିଶିଷ୍ଟ ସ୍ପିନର ଅନିଲ କୁମ୍ବଲେ ସରଫରାଜଙ୍କୁ ଟେଷ୍ଟ କ୍ୟାପ୍ ଦେଇଥିଲେ ।

ଏହି ସମୟରେ ସରଫରାଜଙ୍କ ପିତା ଏବଂ ପିଲାଦିନର କୋଚ୍ ନୌଶାଦ ଖାନ୍ ସେଠାରେ ଉପସ୍ଥିତ ଥିଲେ । ଏହି ମୁହୂର୍ତ୍ତ ବିଶେଷ କରି ସରଫରାଜଙ୍କ ପିତାଙ୍କ ପାଇଁ ଅତ୍ୟନ୍ତ ଭାବପୂର୍ଣ୍ଣ ଥିଲା । ଖୁସିରେ ତାଙ୍କ ଆଖି ଛଳଛଳ ହୋଇଯାଇଥିଲା । ସେ ପୁଅର ଟେଷ୍ଟ ଟୋପିକୁ ଚୁମା ଦେଇ ପୁଅକୁ ଆଲିଙ୍ଗନ କରିଥିଲେ । ବାପା ପୁଅଙ୍କ ଏହି ଭାବପୂର୍ଣ୍ଣ ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା ।

 

Get real time updates directly on you device, subscribe now.