fbpx

କିଏ ଏହି ଅଶ୍ୱିନୀ ବୈଷ୍ଣବ? କେଉଁଠୁ ଓ କେମିତି ସେ ରାଜନୀତିକୁ ଆସିଲେ? ବିଜେପିରୁ ପ୍ରାର୍ଥୀ ହେଲେ ବି କାହିଁକି ସମର୍ଥନ ଜଣାଉଛି ବିଜେଡି?

ଓଡ଼ିଶା ଭାସ୍କର: ଚଳିତ ୨୦୨୪ ରାଜ୍ୟସଭା ନିର୍ବାଚନ ପାଇଁ ପୁଣି ଥରେ ଓଡ଼ିଶାରୁ ପ୍ରାର୍ଥୀ ହୋଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ୨୦୧୯ ରେ ହଠାତ ରାଜ୍ୟସଭା ଯାଇ ସମସ୍ତଙ୍କୁ ଚକିତ କରିଥିବା ଅଶ୍ୱିନୀ ଏଥର ପୁଣିଥରେ ରିପିଟ ହୋଇଛନ୍ତି। ଆଉ ପୂର୍ବ ଥର ଭଳି ଏଥର ବି ତାଙ୍କୁ ସମର୍ଥନ କରିବା ପାଇଁ ବିଜୁ ଜନତା ଦଳ ନିଜର ସମର୍ଥନ ଜଣାଇଛି। ତେବେ ଏହି ଅଶ୍ୱିନୀ ବୈଷ୍ଣବ କିଏ? କେଉଁଠୁ ଓ କେମିତି ସେ ରାଜନୀତିକୁ ଆସିଲେ? ମୁଖ୍ୟ ବିରୋଧୀ ଦଳ ବିଜେପିରୁ ପ୍ରାର୍ଥୀ ହୋଇଥିବା ବେଳେ କାହିଁକି ତାଙ୍କୁ ସମର୍ଥନ ଜଣାଉଛି ଶାସକ ବିଜେଡି? ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଖାସ୍ କଥା…

ପୂର୍ବତନ ଆଇଏଏସ୍ ଅଶ୍ୱିନୀ ବୈଷ୍ଣବ। ପୁର୍ବରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିନରେ ସଫଳତା ପୂର୍ବକ ନିଜ ଦାୟିତ୍ୱ ସମ୍ପାଦନା କରିଛନ୍ତି। ସେ ଓଡ଼ିଶା କ୍ୟାଡରରେ ଭାରତୀୟ ପ୍ରଶାସନିକ ସେବାରେ ୧୬ ବର୍ଷ କାର୍ଯ୍ୟ କରି ୨୦୧୦ ମସିହାରେ ସ୍ୱେଚ୍ଛାକୃତ ଭାବରେ ଇସ୍ତଫା ଦେଇଥିଲେ। ବର୍ତ୍ତମାନ ସେ ଭାରତ ସରକାରଙ୍କ ରେଳ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି। ୨୮ ଜୁନ ୨୦୧୯ରେ ସେ ଓଡ଼ିଶାରୁ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ। ପରେ ଜୁଲାଇ ୨୦୨୧ର ସେ କେନ୍ଦ୍ରମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିଲେ ଏବଂ ରେଳ ମନ୍ତ୍ରଣାଳୟ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଭାବରେ କାର୍ଯ୍ୟାରମ୍ଭ କରିଥିଲେ।

ଅଶ୍ୱିନୀ ବୈଷ୍ଣବଙ୍କ ପରିବାର ରାଜସ୍ଥାନର ପାଲି ଜିଲ୍ଲାସ୍ଥିତ ରାଣୀ ଗ୍ରାମର ମୂଳ ବାସିନ୍ଦା ଏବଂ ପରବର୍ତ୍ତୀ ସମୟରେ ସେମାନେ ଯୋଧପୁରକୁ ସ୍ଥାନାନ୍ତରିତ ହୋଇଯାଇଥିଲେ। ଅଶ୍ୱିନୀ ଜଣେ ଗୋଲ୍ଡ ମେଡ଼ାଲିଷ୍ଟ । ନିଜର ଛାତ୍ର ଜୀବନ ସାରି ଅଶ୍ୱିନୀ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଚାକିରୀ କାଳ ସମୟ ଭିତରେ ସେ ବାଲେଶ୍ୱରର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ । ଏହାଛଡ଼ା ୧୯୯୯ ମହାବାତ୍ୟା ସମୟରେ ସେ କଟକର ଜିଲ୍ଲାପାଳ ମଧ୍ୟ ଥିଲେ। ଏହି ସମୟରେ ମହାବାତ୍ୟା ସଠିକ ପରିଚାଳନାକୁ ନେଇ ସେ ଚର୍ଚ୍ଚାକୁ ଆସିଥିଲେ। ଓଡ଼ିଆ ନ ହୋଇଥିଲେ ମଧ୍ୟ ଓଡ଼ିଶା ସହ ସେ ଖୁବ ଜଡିତ ଥିଲେ । ସେହିପରି ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଭାବେ ମଧ୍ୟ କାମ କରିଥିଲେ। ଯଦିଓ ସେ କୌଣସି ରାଜନୈତିକ ଦଳ ସହ ସମ୍ପୃକ୍ତ ନଥିଲେ କିନ୍ତୁ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ବିଜେପି ତାଙ୍କୁ ଅଚାନକ ରାଜ୍ୟସଭା ପ୍ରାର୍ଥୀ ପାଇଁ ସୁଯୋଗ ଦେଇଥିଲା । ରାଜ୍ୟସଭା ଟିକେଟ ପାଇବାର ଦିନକ ପରେ ଅର୍ଥାତ ଜୁନ ୨୨ ତାରିଖ ଦିନ ସେ ବିଜେପିରେ ଯୋଗ ଦେଇଥିଲେ। ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ରାଜ୍ୟସଭା ନିର୍ବାଚନରେ ଅଶ୍ୱିନୀଙ୍କୁ ସମର୍ଥନ ଜଣାଇଥିଲା ବିଜେଡି । ଫଳରେ ସେ ଉଭୟ ବିଜେପି ଓ ବିଜେଡି ସମର୍ଥନରେ ରାଜ୍ୟସଭା ସାଂସଦ ହୋଇପାରିଥିଲେ।

କାହିଁକି ଅଶ୍ୱିନୀଙ୍କୁ ୨୦୧୯ ଓ ୨୦୨୪ରେ ସମର୍ଥନ ଜଣାଇଛି ବିଜେଡି?

୨୦୧୯ ରାଜ୍ୟସଭା ନିର୍ବାଚନ:-
୨୦୧୯ ରାଜ୍ୟସଭା ନିର୍ବାଚନ ସମୟରେ ଅଶ୍ୱିନୀ ବିଜେପିରେ ଯୋଗ ଦେବା ଆଗରୁ ଉଭୟ ବିଜେଡି ଓ ବିଜେପି ଅଶ୍ୱିନୀ ବୈଷ୍ଣବଙ୍କ ନାଁ ରାଜ୍ୟସଭା ପ୍ରାର୍ଥୀ ପାଇଁ ଘୋଷଣା କରିଥିଲେ । ଏଥିରେ ସାଧାରଣରେ ନାନା ପ୍ରଶ୍ନ ଉଠିଥିଲା । ଅଶ୍ୱିନୀ ବୈଷ୍ଣବ କେଉଁ ଦଳର ପ୍ରାର୍ଥୀ ବୋଲି ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ରାଜ୍ୟ ରାଜନୀତିରେ ହଠାତ୍‌ ଏଭଳି ମାହୋଲ ସୃଷ୍ଟି ହୋଇଥିଲା ଯେ, ରାଜନୈତିକ ବିଶଷଜ୍ଞମାନେ ମଧ୍ୟ ଏନେଇ କୌଣସି ସ୍ପଷ୍ଟୋକ୍ତି ଦେଇପାରି ନଥିଲେ । ଘଟଣାଟି ଏମିତି ଥିଲା ଯେ, ପ୍ରଥମେ ବିଜେପି ନିଜ ଅଫିସିଆଲ୍‌ ଟ୍ୱିଟ୍‌ ଆକାଉଣ୍ଟରେ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ଘୋଷଣା କରିବା ପରେ ବିଜେଡି ପକ୍ଷରୁ ମଧ୍ୟ ତାଙ୍କ ନାଁ ରାଜ୍ୟସଭା ପ୍ରାର୍ଥୀ ପାଇଁ ଘୋଷଣା କରାଯାଇଥିଲା । ଏହି ଘଟଣା ପ୍ରଚାରିତ ହେବାର କିଛି ସମୟ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅଶ୍ୱିନୀ ବିଜେପି ପ୍ରାର୍ଥୀ ବୋଲି ସ୍ପଷ୍ଟ କରିଥିଲେ । ନୀବନ କହିଥିଲେ ଯେ, ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାଙ୍କ ସହ ରାଜ୍ୟସଭା ଉପନିର୍ବାଚନ ନେଇ ଆଲୋଚନା କରିଥିଲେ । ତେଣୁ ସେ ତାଙ୍କୁ ସମର୍ଥନ ଜଣାଇଛନ୍ତି। ଏହା ପରେ ଅଶ୍ୱିନୀ ବିଧି ବଦ୍ଧ ଭାବେ ବିଜେପିରେ ଯୋଗ ଦେଇଥିଲେ। ଏବଂ ଉଭୟ ବିଜେପି ଓ ବିଜେଡି ସମର୍ଥନରେ ସେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ସେ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିଲେ ଏବଂ ରେଳ ମନ୍ତ୍ରଣାଳୟ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଭାବରେ କାର୍ଯ୍ୟାରମ୍ଭ କରିଥିଲେ। ତେବେ ଜଣେ କେନ୍ଦ୍ର ମନ୍ତ୍ରୀ ଭାବେ ସେ ଓଡ଼ିଶାକୁ ବହୁ ମାତ୍ରାରେ ଫୋକସ କରିଥିଲେ। ରେଲୱେ ଓ ଟେଲିକମ୍ କ୍ଷେତ୍ରରେ ଓଡ଼ିଶାକୁ ବହୁତ ଆଗକୁ ନେଇଛନ୍ତି। ଅଶ୍ୱିନୀଙ୍କ ଉଦ୍ୟମ ବଳରେ ଓଡ଼ିଶାରେ ବୃହତ ରେଳ ଯୋଗାଯୋଗ ହୋଇପାରିଛି ।

୨୦୨୪ ରାଜ୍ୟସଭା ନିର୍ବାଚନ:- ଆସନ୍ତା ଏପ୍ରିଲ ମାସରେ ଓଡ଼ିଶାର ୩ଟି ରାଜ୍ୟସଭା ଆସନ ଖାଲି ହେଉଥିବାରୁ ଏହା ମଧ୍ୟରେ ବିଜେଡି ଦୁଇଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି । ଏଥିରେ ଅଶ୍ୱିନୀ ବୈଷ୍ଣବଙ୍କ କାର୍ୟ୍ୟକାଳ ମଧ୍ୟ ଶେଷ ହେଉଛି । କିନ୍ତୁ ରାଜ୍ୟସଭା ପାଇଁ ବିଜେପି ତାଙ୍କୁ ପୁନର୍ବାର ରିପିଟ କରିଛି । ଏହା ସହ ବିଜେପି ପ୍ରାର୍ଥୀ ଅଶ୍ୱିନୀଙ୍କ ରାଜ୍ୟସଭା ପ୍ରାର୍ଥୀତ୍ୱକୁ ବିଜେଡି ସମର୍ଥନ କରିଛି । ଏନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଓଡ଼ିଶାର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଜେଡି ଏହି ନିଷ୍ପତ୍ତି ନେଇଥିବା ନବୀନ କହିଛନ୍ତି । ଏନେଇ ବିଜେଡି ତରଫରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି । ରେଲୱେ ଓ ଟେଲିକମ୍ କ୍ଷେତ୍ରରେ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ବିଜେଡି ଏହି ନିଷ୍ପତ୍ତି ଗ୍ରହଣ କରିଛି ବୋଲି ଦଳ ପକ୍ଷରୁ କୁହାଯାଇଛି। କିନ୍ତୁ ଅଶ୍ୱିନୀ ଉଭୟ ରାଜ୍ୟ ଓ କେନ୍ଦ୍ର ସହ ସଠିକ୍ ସମନ୍ୱୟ ରଖି ପାରିଥିବାରୁ ବିଜେଡି ପୁଣି ଥରେ ତାଙ୍କୁ ସମର୍ଥନ କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି।

 

Get real time updates directly on you device, subscribe now.