Independence Day 2025: ଦିଲ୍ଲୀରୁ ପଲ୍ଲୀ ସବୁଠି ଫରଫର ଉଡୁଛି ତ୍ରିରଙ୍ଗା, ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦୀ
ଆଜି ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦୀ ।
ନୂଆଦିଲ୍ଲୀ: ପ୍ରତିବର୍ଷ, ୧୫ ଅଗଷ୍ଟ ଆମ ପାଇଁ କେବଳ କ୍ୟାଲେଣ୍ଡରରେ ଏକ ତାରିଖ ନୁହେଁ, ବରଂ ଗର୍ବ, ତ୍ୟାଗ ଏବଂ ଦେଶପ୍ରେମର ପ୍ରତୀକ । ବର୍ଷ ବର୍ଷ ଧରି ଦାସତ୍ୱରେ ରହିବା ପରେ, ୧୫ ଅଗଷ୍ଟରେ ଆମେ ବ୍ରିଟିଶମାନଙ୍କଠାରୁ ସ୍ୱାଧୀନତା ପାଇଲୁ ।
ଏହି ଦିନରେ, ପ୍ରତ୍ୟେକ ଭାରତୀୟ ସ୍ୱାଧୀନତା ସଂଗ୍ରାମ ସମୟରେ ସହିଦ ହୋଇଥିବା ଏବଂ ଦେଶ ପାଇଁ ପ୍ରାଣ ହରାଇଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମନେ ପକାନ୍ତି । ଏହି ଦିନରେ, ପ୍ରତ୍ୟେକ ଭାରତୀୟ ତ୍ରିରଙ୍ଗା ଉତୋଳନ କରନ୍ତି ଏବଂ ପରସ୍ପରକୁ ଦେଶପ୍ରେମର ଭାବନାରେ ପରିପୂର୍ଣ୍ଣ ବାର୍ତ୍ତା ପଠାନ୍ତି ଏବଂ ସ୍ୱାଧୀନତା ପାଳନ କରନ୍ତି ।
ଆଜି ହେଉଛି 79ତମ ସ୍ବାଧୀନତା ଦିବସ । ଆଜି ଦିଲ୍ଲୀରୁ ପଲ୍ଲୀ ସବୁଠି ଫରଫର ହୋଇ ଉଡୁଛି ତ୍ରିରଙ୍ଗା । ଏହି ସ୍ୱାଧୀନତା ଦିବସ ମଧ୍ୟ ସ୍ୱତନ୍ତ୍ର କାରଣ ଏହି ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଐତିହାସିକ ସଫଳତା ହାସଲ କରିବାକୁ ଯାଉଛନ୍ତି ।
ସେ ଲଗାତାର 12 ଥର ପାଇଁ ଲାଲକିଲ୍ଲାର ପ୍ରାଚୀରରୁ ତ୍ରିରଙ୍ଗା ଉତ୍ତୋଳନ କରିବେ । ଏହି ରେକର୍ଡ ତାଙ୍କୁ ଦେଶର ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନ ଦେବ, କାରଣ ଏପର୍ଯ୍ୟନ୍ତ କୌଣସି ଅଣ-କଂଗ୍ରେସ ପ୍ରଧାନମନ୍ତ୍ରୀ ଏପରି କରିପାରି ନାହାଁନ୍ତି । ତେବେ ବର୍ତ୍ତମାନ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି ।
ତେବେ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଦେବବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଏକ୍ସରେ ଟ୍ବିଟ କରି କହିଛନ୍ତି, ”ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଧୀନତା ଦିବସର ହାର୍ଦ୍ଦିକ ଶୁଭକାମନା। ମୁଁ କାମନା କରୁଛି ଯେ ଏହି ପବିତ୍ର ଅବସର ସମସ୍ତ ଦେଶବାସୀଙ୍କ ଜୀବନରେ ନୂତନ ଉତ୍ସାହ ଏବଂ ନୂତନ ଶକ୍ତି ଆଣିବ, ଯାହା ଦ୍ଵାରା ଏକ ବିକଶିତ ଭାରତର ନିର୍ମାଣକୁ ନୂତନ ଗତି ମିଳିବ। ଜୟ ହିନ୍ଦ!”