fbpx

ଆଜି ଭାରତର ଏହି ସ୍ଥାନରେ ପାଳନ ହେଉଛି ସ୍ୱାଧୀନତା ଦିବସ: ଅଗଷ୍ଟ-୧୫ରେ ହୁଏନି ପତାକା ଉତ୍ତୋଳନ

ନୂଆଦିଲ୍ଲୀ: ୩ ଦିନ ତଳେ ଅଗଷ୍ଟ-୧୫ ତାରିଖରେ ସାରା ଭାରତ ଦସ୍ୱାଧୀନତା ଦିବସ ପାଳନ କରିସାରିଛି । ବ୍ରିଟିଶ ଶାସନରୁ ଏହିଦିନ ଭାରତ ସ୍ୱତନ୍ତ୍ରତା ହାସଲ କରିଥିଲା । ତେଣୁ ପ୍ରତ୍ୟେକ ବର୍ଷ ଅଗଷ୍ଟ-୧୫ତାରିଖକରୁ ସ୍ୱାଧୀନତା ଦିବସ ଭାବରେ ସାମିଲ କରାଯାଇଛି । ତେବେ ଭାରତର ଆହୁରି କିଛି ସ୍ଥାନ ରହିଛି, ଯେଉଁଠି ଅଗଷ୍ଟ-୧୫ ତାରିଖରେ ସ୍ୱାଧୀନତାର ଉତ୍ସବ ପାଳନ ହୁଏ ନାହିଁ । ବରଂ ଏହାର ୩ ଦିନ ପରେ ଅଗଷ୍ଟ ୧୮ ତାରିଖରେ ସ୍ୱାଧୀନତା ଦିବସ ପାଳନ କରାଯାଏ ।

୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତକୁ ସ୍ୱାଧୀନତା ମିଳିଥିଲା । କିନ୍ତୁ ଏହି ସମୟରେ ପଶ୍ଚିମବଙ୍ଗର ନଦିୟା ଏବଂ ମାଳଦା ଭାରତର ଅଂଶ ନଥିଲେ । ତେବେ ଅଗଷ୍ଟ ୧୮ ତାରିଖରେ ଏହି ୨ ସ୍ଥାନରେ ସ୍ୱାଧୀନତା ଦିବସ ପାଳନ କରାଯାଏ । ୧୯୪୭ ଜୁଲାଇ ୫ ତାରିଖରେ ବ୍ରିଟେନ୍ ସଂସଦରେ ଭାରତୀୟ ସ୍ୱାଧୀନତା ଅଧିନିୟମ(ଇଣ୍ଡିଆନ୍ ଇଣ୍ଡିପେଣ୍ଡନ୍ସ ଆକ୍ଟ) ପାସ୍ ହେବା ସହ ଜୁଲାଇ ୧୮ ତାରିଖରେ ବ୍ରିଟେନ୍ ରାଜା ଜର୍ଜ-୬ ମଧ୍ୟ ଏହାକୁ ମଞ୍ଜୁରୀ ଦେଇଥିଲେ । ଏହାପରେ ଅଗଷ୍ଟ ୧୨ ତାରିଖରେ ମାଉଣ୍ଟବେନ୍ ଘୋଷଣା କରିଥିଲେ ଯେ, ଅଗଷ୍ଟ ୧୫ ତାରିଖରେ ଭାରତକୁ ସ୍ୱାଧୀନତା ପ୍ରଦାନ କରାଯିବ । ଏଥିପାଇଁ ଭାରତ ଏବଂ ପାକିସ୍ତାନ ଦୁଇ ଭାଗ ହୋଇଥିଲା ଏବଂ ଏହାର ଦାୟିତ୍ୱ ଇଂରେଜ ଅଫିସର ସିରିଲ ରେଡକ୍ଲିଫ୍ ନେଇଥିଲେ । ସେ ହିଁ ଭାରତ ଏବଂ ପାକିସ୍ତାନ ଉଭୟ ଦେଶର ନକ୍ସା ପ୍ରସ୍ତୁତ କରି ସୀମା ନିର୍ଦ୍ଧାରଣ କରିଥିଲେ । ତେବେ ଏହି ନକ୍ସା ପ୍ରସ୍ତୁତ କରିବା ବେଳେ ରେଡକ୍ଲିଫ୍ ଭୁଲ୍ କରି ଦେଇଥିଲେ । ଯାହାକୁ ନେଇ ସ୍ୱାଧୀନତା ପରେ ମଧ୍ୟ ପଙ୍ଗକୁ ନେଇ ବିବାଦ ଦେଖା ଦେଇଥିଲା ।

ପ୍ରଥମ ଥର ଭୁଲ ନକ୍ସା ପ୍ରସ୍ତୁତ କରିଥିଲେ ରେଡକ୍ଲିଫ୍ । ଏହି ନକ୍ସାରେ ପଶ୍ଚିମବଙ୍ଗର ହିନ୍ଦୁ ବହୁଳ ଜିଲ୍ଲା ମାଳଦା ଏବଂ ନଦିୟା ପୂର୍ବ ପାକିସ୍ତାନ(ବର୍ତ୍ତମାନ ବାଂଲାଦେଶ)ର ଅଂଶ ଭାବରେ ସାମିଲ କରିଥିଲେ ।ସେ ସମୟରେ ନଦିୟାରେ ଶିବାନୀବାଶ, ଶାନ୍ତିପୁର, ବୋନଗାଓଁ, କଲ୍ୟାଣୀ, ରାଣାଘାଟ, ଶିକାରପୁର, କୃଷ୍ଣନଗର ଏବଂ କରୀମପୁର ଇତ୍ୟାଦି ଅଞ୍ଚଳକୁ ପୂର୍ବ ପାକିସ୍ତାନରେ ରଖା ଯାଇଥିଲା । ସେହିପରି ମାଳଦାର ରତୁଆ ଏବଂ ଦକ୍ଷିଣ ଦିନାଜପୁରର ବେଲୁରଘାଟ ଗାଓଁ ମଧ୍ୟ ଭାରତରେ ସାମିଲ କରାଯାଇ ନଥିଲା । ଅଗଷ୍ଟ ୧୫ ତାରିଖରେ ଦେଶ ସ୍ୱାଧୀନକୁ ନେଇ ଉତ୍ସବ ପାଳନ ହେଉଥିବା ବେଳେ ଏଠାରେ ବିରୋଧ ଦେଖିବାକୁ ମିଳିଥିଲା ।

ଏହି ବିବାଦ ସମୟରେ ପଣ୍ଡିତ ଶ୍ୟାମା ପ୍ରସାଦ ମୁଖର୍ଜୀ ଏବଂ ନଦିୟା ଶାହୀ ପରିବାରର ସଦସ୍ୟଙ୍କ ଅନୁରୋଧ ପରେ ଲର୍ଡ ମାଉଣ୍ଟବେନ୍ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପୁଣିଥରେ ବଙ୍ଗ ବିଭାଜନ ପାଇଁ ଆଦେଶ ଦେଇଥିଲେ । ଏହି ଆଦେଶ ପରେ ପୁଣିଥରେ ଭାରତୀୟ କ୍ଷେତ୍ରରେ ସାମିଲ ହୋଇଛି ବଙ୍ଗର ହିନ୍ଦୁ ବହୁଳ ଜିଲ୍ଲା । ସେହିପରି ମୁସଲିମ୍ ବହୁଳ ଜିଲ୍ଲାଗୁଡ଼ିକୁ ପୂର୍ବ ପାକିସ୍ତାନରେ ସାମିଲ କରି ଦିଆଗଲା । ଏହି ସମସ୍ତ ପ୍ରକ୍ରିୟା ଅଗଷ୍ଟ ୧୭ ତାରିଖ ରାତିରେ ହୋଇଥିଲା । ତେଣୁ ଏହି ସୀମାବର୍ତ୍ତୀ ଅଞ୍ଚଳରେ ଅଗଷ୍ଟ ୧୮ ତାରିଖରେ ସ୍ୱାଧୀନତାର ଉତ୍ସବ ପାଳନ କରାଯାଏ । ଏହି ଦିନ ଏହି ଅଞ୍ଚଳ ଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ଭାରତର ଅଂଶ ପାଲଟିଥିଲେ । ତେବେ ବର୍ତ୍ତମାନ ଏଠାକାର ଲୋକେ ଅଗଷ୍ଟ ୧୫ ଏବଂ ଅଗଷ୍ଟ ୧୮ ତାରିଖ ଉଭୟ ଦିନରେ ସ୍ୱାଧୀନତା ଦିବସ ପାଳନ କରୁଛନ୍ତି ।

Get real time updates directly on you device, subscribe now.