fbpx

(Video) ‘INDIA-A’ ଜିତିଲା ଦୁଲୀପ ଟ୍ରଫି ଟାଇଟଲ… ଋତୁରାଜଙ୍କୁ ମାତ୍ ଦେଇ ଟ୍ରଫି ହାତେଇଲେ ମୟଙ୍କ ଅଗ୍ରୱାଲ

ନୂଆଦିଲ୍ଲୀ: ଦୁଲୀପ ଟ୍ରଫି-୨୦୨୪ରେ କମାଲ କରିଛନ୍ତି ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ମୟଙ୍କ ଅଗ୍ରୱାଲ । ଅଧିନାୟକ ଭାବରେ ‘India-C’କୁ ପରାସ୍ତ କରି ଟାଇଟଲ ଉପରେ କବଜା କରିଛନ୍ତି ମୟଙ୍କ । ଷ୍ଟାର ବୋଲର ପ୍ରସିଦ୍ଧ କୃଷ୍ଣାଙ୍କ ଦମଦାର ପ୍ରଦର୍ଶନ ବଳରେ ‘India-A’ ଏହି ଫାଇନାଲ ମ୍ୟାଚରେ ବିଜୟ ହାସଲ କରିଛି । ମୟଙ୍କ ସେନା ବିପକ୍ଷରେ ଫେଲ ମାରିଛନ୍ତି ଏମ.ଏସ ଧୋନୀଙ୍କ ଉତ୍ତରାଧିକାରୀ ଋତୁରାଜ ଗାଏକ୍ୱାଡ । ଫାଇନାଲ ଫାଇଟରେ ଋତୁରାଜଙ୍କ ଦଳକୁ ୧୩୨ ରନରେ ପରାସ୍ତ କରିଛି ମୟଙ୍କ ସେନା ।

ଆଜି ଦୁଲୀପ ଟ୍ରଫି ଫାଇନାଲ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ‘ଇଣ୍ଡିଆ-ଏ’ ଏବଂ ‘India-C’ । ପ୍ରଥମେ ବ୍ୟାଟିଂ କରି ‘India-C’କୁ ୩୫୦ ରନର ବିଜୟ ଲକ୍ଷ୍ୟ ଦେଇଥିଲା ‘India-A’ । ଏହି ଲକ୍ଷ୍ୟର ପିଛା କରୁଥିବା ଋତୁରାଜଙ୍କ ଦଳ ଖୁବ ପଛରେ ରହିଯାଇଛି । ପ୍ରସିଦ୍ଧ କୃଷ୍ଣାଙ୍କ ବୋଲିଂ ଆଗରେ ବିଭତ୍ସ ହୋଇଥିଲା ‘India-C’ । ଫଳରେ ମ୍ୟାଚ୍ ବିଜୟୀ ହେବା ପରିବର୍ତ୍ତେ ଏହାକୁ ଡ୍ର ରଖିବା ପାଇଁ ଚେଷ୍ଟା କରିଥିଲେ ଋତୁରାଜ ବାହିନୀ । ସେପଟେ ବିଜୟ ପାଇଁ ୯ ଓଭରରେ ମାତ୍ର ୪ଟି ୱିକେଟ ଆବଶ୍ୟକ କରୁଥିଲା ମୟଙ୍କ ଅଗ୍ରୱାଲଙ୍କ ‘India-A’ । ଏହି ସମୟରେ ଷ୍ଟାର ବୋଲର ପ୍ରସିଦ୍ଧ କୃଷ୍ଣା ଋତୁରାଜଙ୍କ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି ।

ଶେଷ ୯ ଓଭର ଭିତରେ ପ୍ରସିଦ୍ଧ କୃଷ୍ଣା ଦଳକୁ ୩ଟି ବଡ଼ ସଫଳତା ଭେଟି ଦେଇଥିଲେ । ଏହି ତାଲିକାରେ ‘India-C’ର ଶେଷ ଆଶା ସାଇ ସୁଦର୍ଶନ ମଧ୍ୟ ସାମିଲ ରହିଛନ୍ତି । ଫାଇନାଲ ମ୍ୟାଚରେ ସାଇ ୧୧ ରନ୍ କରି ପାଭିଲିୟନ ଫେରିଛନ୍ତି । ତେବେ ‘India-C’ ରେ ଅଧିନାୟକ ଋତୁରାଜ ଗାଏକ୍ୱାଡ ଏବଂ ଇଶାନ୍ କିଶାନଙ୍କ ଭଳି ଷ୍ଟାର ଖେଳାଳି ସାମିଲ ଥିଲେ ମଧ୍ୟ ଦଳ ମାତ୍ର ୨୧୭ ରନରେ ଅଲ୍ ଆଉଟ୍ ହୋଇ ଟ୍ରଫି ହାତେଇବାର ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଛି ।

ସୂଚନା ଥାଉ କି, ପ୍ରଥମେ ବ୍ୟାଟିଂ କରି ‘India-A’ ସାସ୍ୱତଙ୍କ ବିସ୍ଫୋରକ ୧୨୪ ରନର ଇନିଂସ ସହିତ ୨୯୭ ରନ୍ କରିଥିଲା । ବିଜୟ କୁମାର ବୈଶାଖ ୪ଟି ୱିକେଟ ହାସଲ କରିଥିଲେ । ଏହାପରେ ଆଭେଶ ଖାନ୍ ଏବଂ ଆକିବ ଖାନ୍ ୩ଟି ଲେଖାଏଁ ୱିକେଟ ହାସଲ କରି ‘India-C’କୁ ମାତ୍ର ୨୩୪ ରନରେ ଅଲ୍ ଆଉଟ୍ କରିଥିଲେ । ପ୍ରଥମ ପାଳିର ୬୩ ରନ୍ ସହ ଦ୍ୱିତୀୟ ଇନିଂସରେ ‘India-A’ ୮ ୱିକେଟରେ ୨୮୬ ରନ୍ କରି ପାଳି ଘୋଷଣା କରିଥିଲା । ଏହାସହିତ ‘India-A’ ୩୫୦ ରନର ଟାର୍ଗେଟ ଦେଇଥିଲା । ଜବାବରେ ‘India-C’ ମାତ୍ର ୨୧୭ ରନ୍ କରି ଅଲ୍ ଆଉଟ୍ ହେବା ସହିତ ଟ୍ରଫି ହାତଛଡ଼ା କରିଛି ଦଳ । ତେବେ ମ୍ୟାଚର ଦ୍ୱିତୀୟ ଇନିଂସରେ ତନୁଷ କୋଟିୟନ ଏବଂ ପ୍ରସିଦ୍ଧ କୃଷ୍ଣା ୩ଟି ଲେଖାଏଁ ୱିକେଟ ନିଜ ନାମରେ କରିଛନ୍ତି ।

 

Get real time updates directly on you device, subscribe now.