fbpx

ତୁର୍କୀ ଭୂକମ୍ପରେ ଭାରତୀୟ ଯୁବକଙ୍କ ମୃତ୍ୟୁ: ଚେହେରା ନୁହେଁ ଟାଟୁ ଦେଲା ପରିଚୟ

ନୂଆଦିଲ୍ଲୀ: ତୁର୍କୀ-ସିରିଆରେ ଦେଖାଦେଇଥିବା ଭୟଙ୍କର ଭୂକମ୍ପରେ ଏହା ମଧ୍ୟରେ ମୃତ୍ୟୁସଂଖ୍ୟା ୨୬ ହଜାର ଟପିଯାଇଛି । ଏଥିସହିତ ୧୦ ହଜାର ଘର ଧ୍ୱଂସ ପାଇଯାଇଥିବା ବେଳେ ୧ ଲକ୍ଷ ଘରର କ୍ଷତି ଘଟିଛି । ଆହତଙ୍କ ଅବସ୍ଥା ନକହିବା ଭଲ । ଶବ ସଂଖ୍ୟା ଏତେ ଯେ ଅନ୍ତିମ ସଂସ୍କାର କରିବାକୁ ସ୍ଥାନର ଅଭାବ ପଡ଼ିଯାଇଛି । ଏବେ ବି ରେସ୍କ୍ୟୁ ଅଭିଯାନ ଜାରି ରହିଥିବା ବେଳେ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି ।

ସୂଚନା ମୁତାବକ, ଉତ୍ତରାଖଣ୍ଡର ପୌଡ଼ି ଜିଲ୍ଲାର ବାସିନ୍ଦା ବେଙ୍ଗାଲୁରୁ ସ୍ଥିତ ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ । ଉକ୍ତ ଯୁବକଙ୍କ ନାମ ବିଜୟ କୁମାର ଗୌଡ଼ ଓ ସେ କମ୍ପାନୀ କାମରେ ତୁର୍କୀ ଯାଇଥିଲେ । ମାତ୍ର ସେଠାରେ ତାଙ୍କୁ ମୃତ୍ୟୁ ଡାକି ନେଇଥିଲା । ତୁର୍କୀ ଯାତ୍ରା ଥିଲା ତାଙ୍କ ଜୀବନର ଅନ୍ତିମ ଯାତ୍ରା । ସେ ଜନ୍ମଭୂମିକୁ ଫେରିବା ପୂର୍ବରୁ ଭୂକମ୍ପରେ ଚିରନିଦ୍ରାରେ ସବୁଦିନ ପାଇଁ ଶୋଇଯାଇଥିଲେ ।

ଗତ ୬ ତାରିଖରେ ତୁର୍କୀରେ ଭୀଷଣ ଭୂକମ୍ପ ଆସିବା ପରଠାରୁ ସେ ନିଖୋଜ ଥିଲେ । ସେ ପୌଡ଼ି ଜିଲ୍ଲାର କୋଟଦ୍ୱାରର ପଦମପୁର ଅଞ୍ଚଳରେ ରହୁଥିଲେ । ସେ ଯେଉଁ ହୋଟେଲରେ ରହୁଥିଲେ ସେଠାରୁ କିଛିଦିନ ତଳେ ତାଙ୍କର କପଡ଼ା ମିଳିଥିଲା । ଏହାପରେ ତୁର୍କୀ ସ୍ଥିତ ଭାରତୀୟ ଦୂତାବାସ ତରଫରୁ ଟ୍ୱିଟ୍ କରାଯାଇଥିଲା । ତୁର୍କୀର ମଲତ୍ୟା ସ୍ଥିତ ଏକ ହୋଟେଲରୁ ଏବେ ତାଙ୍କର ଶବ ମିଳିଛି । ତାଙ୍କର ଚେହେରା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ବେଳେ ତାଙ୍କ ହାତରେ ଓମ୍ ଟାଟୁ ହୋଇଥିଲା । ଉକ୍ତ ଟାଟୁ ସହାୟତାରେ ତାଙ୍କୁ ଚିହ୍ନଟ କରାଯାଇଥିଲା ।

Get real time updates directly on you device, subscribe now.