ନୂଆଦିଲ୍ଲୀ: ଚଳିତ ଏସିଆ କପରେ ପ୍ରଥମ ଦେଶ ଭାବେ ଭାରତ ଫାଇନାଲରେ ପହଞ୍ଚିଛି । ଫଳରେ ଆସନ୍ତା ୧୫ ତାରିଖରେ ଭାରତ-ବାଂଲାଦେଶ ମ୍ୟାଚ ଏକ ପ୍ରକାରର ପ୍ରଭାବହୀନ ହୋଇଯାଇଛି । ଅନ୍ୟପକ୍ଷରେ ଆଜି ଶ୍ରୀଲଙ୍କା ଓ ପାକିସ୍ତାନ ଫାଇନାଲରେ ପହଞ୍ଚିବା ପାଇଁ ସଂଘର୍ଷ ଚଳାଇଛନ୍ତି । ତେବେ ଏହା ମଧ୍ୟରେ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ପାକିସ୍ତାନକୁ ବାହାର କରିବା ପାଇଁ ଭାରତ ମ୍ୟାଚ ଫିକ୍ସିଂ କରିଥିବା ପ୍ରସଙ୍ଗରେ ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ ପେସର ତଥା ରାୱଲପିଣ୍ଡି ଏକ୍ସପ୍ରେସ ଶୋଏବ ଅଖତର କହିଛନ୍ତି ।
ଗତ ୧୨ ତାରିଖରେ ଅନୁଷ୍ଠିତ ମ୍ୟାଚରେ ଭାରତ ୪୧ ରନରେ ଶ୍ରୀଲଙ୍କାକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୨୧୩ ରନରେ ଅଲଆଉଟ୍ ହୋଇଯାଇଥିଲା । ଜବାବରେ ଶ୍ରୀଲଙ୍କା ମାତ୍ର ୧୭୨ ରନରେ ଅଲଆଉଟ୍ ହୋଇଯାଇଥିଲା । ତେବେ ଗତ ୧୦ ତାରିଖରେ ଅନୁଷ୍ଠିତ ମ୍ୟାଚରେ ଭାରତ ୩୫୬ ରନର ପାହାଡ଼ ଛିଡ଼ା କରିଥିବା ବେଳେ ପରବର୍ତ୍ତୀ ମ୍ୟାଚରେ ତା’ର ଦୁର୍ବଳ ବ୍ୟାଟିଂକୁ ନେଇ ଅନେକ କ୍ରୀଡ଼ାପ୍ରେମୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ତେଣୁ ଅନେକ କ୍ରୀଡ଼ାପ୍ରେମୀ ଅଖତରଙ୍କ ନିକଟକୁ ମିମ୍ସ ଓ ମେସେଜ୍ ପଠାଇବା ସହ ଭାରତ ମ୍ୟାଚ ଫିକ୍ସ କରିଥିବା କହିଥିଲେ । ଏପରିକି ପାକିସ୍ତାନକୁ ବାହାର କରିବା ପାଇଁ ଭାରତ ଜାଣିଶୁଣି ହାରୁଥିବା ମଧ୍ୟ କିଛି ୟୁଜର୍ସ କହିଥିଲେ । ଏଥିସହିତ ଟିମ୍ ଇଣ୍ଡିଆ ଜାଣିଶୁଣି ହାରୁଛି ବୋଲି ଭାରତ ଓ ଅନ୍ୟ ଦେଶରୁ ତାଙ୍କ ନିକଟକୁ କଲ୍ ଆସୁଥିବା କଥା ଅଖତର କହିଥିଲେ । ତେବେ ଶ୍ରୀଲଙ୍କା ଉକ୍ତ ମ୍ୟାଚରେ ଭଲ ବୋଲିଂ କରିଥିବା ଅଖତର ସେମାନଙ୍କୁ କହିବା ସହ ଭାରତ ଜାଣିଶୁଣି କ’ଣ ପାଇଁ ହାରିବ, ତାହା ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ ଥିଲା ବୋଲି ଅଖତର ସେମାନଙ୍କୁ କହିଥିଲେ । ନିଜର ୟୁଟ୍ୟୁବ ଚାନେଲରେ ଅଖତର ଏହାର ସମ୍ପୂର୍ଣ୍ଣ ବିବରଣୀ ଦେଇଛନ୍ତି ।