fbpx

କରୋନା ଲଢ଼େଇରେ ବିଶ୍ୱରେ ଉଦାହରଣ ସୃଷ୍ଟି କରିଛି ଭାରତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୩୧ା୧: ୨୦୨୧ର ପ୍ରଥମ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ମୋଦି ଦିଲ୍ଲୀରେ ତ୍ରିରଙ୍ଗା ଅପମାନ ଦେଶବାସୀଙ୍କୁ ଦୁଖିତ କରିଛି ବୋଲି କହିଥିଲେ । ଏଥିସହ ଅଷ୍ଟ୍ରେଲିଆ ମାଟିରେ ଐତିହାସିକ ଟେଷ୍ଟ ସିରିଜ୍ ବିଜୟ ପରେ ଭାରତୀୟ କ୍ରିକେଟ ଦଳକୁ ଶୁଭେଚ୍ଛା ଜଣାଇଥିଲେ ।

ମୋଦି କହିଛନ୍ତି ଯେ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବା ପରେ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତ ଲାଭ କରିଥିବା ପ୍ରତିଭାଶାଳୀ ବ୍ୟକ୍ତିବିଶେଷଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି । କରୋନା ବିରୋଧରେ ଦେଶବାସୀଙ୍କ ଲଢ଼େଇ ଉଦାହରଣ ସୃଷ୍ଟି କରିଛି । ଭାରତର ଟିକାକରଣ କାର୍ଯ୍ୟକ୍ରମ ସମଗ୍ର ବିଶ୍ୱ ପାଇଁ ଆଦର୍ଶ ପାଲଟିଛି । ଏହା ଦେଶବାସୀଙ୍କ ପାଇଁ ଏକ ଗର୍ବର କଥା । ଭାରତରେ ଦୁନିଆର ବୃହତ୍ତମ ଟିକାକରଣ କାର୍ଯ୍ୟକ୍ରମ ଦ୍ରୁତଗତିରେ ଆଗେଇ ଚାଲିଛି । ମାତ୍ର ୧୫ ଦିନ ମଧ୍ୟରେ ୩୦ ଲକ୍ଷରୁ ଅଧିକ କରୋନା ଯୋଦ୍ଧାଙ୍କୁ ଟିକା ପ୍ରଦାନ କରାଯାଇଛି । ଅପରପକ୍ଷେ ଆମେରିକା ଓ ବ୍ରିଟେନ ଭଳି ଦେଶ ଟିକାକରଣରେ ଯଥାକ୍ରମେ ୧୮ ଓ ୩୬ ଦିନ ସମୟ ନେଇ ଏହି କ୍ଷେତ୍ରରେ ପଛରେ ପଡ଼ିଯାଇଛନ୍ତି । ମେଡ ଇନ ଇଣ୍ଡିଆ ଭ୍ୟାକ୍ସିନ ଆଜି ଭାରତକୁ ଆତ୍ମନିର୍ଭରଶୀଳ କରିପାରିଛି, ଏଥିରେ ଗର୍ବ କରିବା କଥା ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଚଳିତ ବର୍ଷ ଠାରୁ ଅମୃତ ମହୋତ୍ସବ ପାଳନ କରାଯିବ । ଝାନ୍ସିରେ ମାସାଧିକ ସମୟ ଧରି ଷ୍ଟ୍ରବେରୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ନିଜର ଖାଲି ସ୍ଥାନ, ଛାତ ଉପରେ ଷ୍ଟ୍ରବେରୀ ଚାଷ କରିବା ପାଇଁ ପ୍ରୋତ୍ସାହନ ଦିଆଯାଉଛି । ଦେଶର ଯୁବଗୋଷ୍ଠୀ ଏହି ଆଧୁନିକ ଧରଣର କ୍ଷେତ କାର୍ଯ୍ୟରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ ।

Get real time updates directly on you device, subscribe now.