fbpx
BJD SKY
BJD SKY

ଆତଙ୍କବାଦୀଙ୍କ ଡ୍ରୋନ୍ ଆକ୍ରମଣକୁ ମୁକାବିଲା କରିବାରେ ଭାରତର ଶକ୍ତି ବହୁତ ଦୁର୍ବଳ, ଆସନ୍ତୁ ଜାଣିବା ଏ ବିଷୟରେ

BJD

ନୂଆଦିଲ୍ଲୀ: ଜମ୍ମୁସ୍ଥିତ ଭାରତୀୟ ବାୟୁସେନା ଘାଟି ଉପରେ ଆତଙ୍କବାଦୀମାନେ ପ୍ରଥମ ଥର ପାଇଁ ଆକ୍ରମଣ କରି ନୂଆ ଆତଙ୍କ ସୃଷ୍ଟି କରିଥିଲେ । ଏହି ଆକ୍ରମଣରେ କିଛି ଯବାନ ସାମାନ୍ୟ ଭାବେ ଆହତ ହୋଇଥିଲେ । ତେବେ ଏହାପରେ ଲଗାତର ଭାବେ ଭାରତୀୟ ସୀମାରେ ଡ୍ରୋନ୍ ଉଡ଼ୁଥିବାର ଦେଖାଯାଉଛି । ଏମିତି ଲାଗୁଥିଲା, ସତେ ଯେମିତି ଶତ୍ରୁପକ୍ଷ ଭାରତକୁ ଡ୍ରୋନ୍ ମାଧ୍ୟମରେ ଘେରିବାକୁ କିଛି ବିରାଟ ଷଡ଼ଯନ୍ତ୍ର କରୁଛି । ଭାରତ ଉପରେ ଭବିଷ୍ୟତରେ ବଡ଼ଧରଣର ଡ୍ରୋନ୍ ହମଲା ଯେ ନହେବ ତାହା କହିବା ଅସମ୍ଭବ । ଜମ୍ମୁ ଏୟାରବେସ୍ ଉପରେ ହୋଇଥିବା ଆକ୍ରମଣ ଏକ ଟ୍ରେଲର ଥିଲା ବୋଲି ଅନେକ କୂଟନୀତିଜ୍ଞ ମତ ଦେଇଛନ୍ତି । ଏହି ଘଟଣାର ଯାଞ୍ଚ ପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ)କୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଏନଆଇଏର ଜଣେ ଅଧିକାରୀ କହିଛନ୍ତି ଯେ, ଡ୍ରୋନ୍ ଦ୍ୱାରା ଘଟାଯାଇଥିବା ବିସ୍ଫୋରଣରେ ଆରଡିଏକ୍ସ ସହ ଅନ୍ୟ ରାସାୟନିକ ପଦାର୍ଥର ମିଶ୍ରଣ କରାଯାଇଥିଲା । ଗତକାଲି ପାକିସ୍ତାନସ୍ଥିତ ଭାରତୀୟ ଦୂତାବାସ ନିକଟରେ ମଧ୍ୟ ଡ୍ରୋନ୍ ଉଡ଼ୁଥିବାର ଦେଖାଯାଇଥିଲା । ଜଣାପଡ଼ିଛି ଯେ, କିଛିଦିନ ପୂର୍ବରୁ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଚୀନ ଠାରୁ କିଛି ଡ୍ରୋନ କିଣିଥିଲା, ତେଣୁ ଏହି ବିସ୍ଫୋରଣ ପଛରେ ଉଭୟ ଶତ୍ରୁ ରାଷ୍ଟ୍ରଙ୍କ ଷଡ଼ଯନ୍ତ୍ର ରହିଥିବା ଅନୁମାନ କରାଯାଉଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଭାରତ ଡ୍ରୋନ୍ ପ୍ରତିରୋଧ କରିବାରେ କେତେ ସକ୍ଷମ । ବାସ୍ତବରେ ଭାରତ ପାଖରେ ଡ୍ରୋନ୍ ପ୍ରତିରୋଧ କରିବାର ସେଭଳି କିଛି ଉଚ୍ଚ କ୍ଷମତାସମ୍ପନ ଟେକ୍ନୋଲୋଜି ନାହିଁ । ଯଦି ପାକିସ୍ତାନରୁ ଡ୍ରୋନ୍ ଆସି ଭାରତରେ ଆକ୍ରମଣ କରିବା ସମ୍ଭବ ହୋଇପାରୁଛି, ତେବେ ଏହା ଭବିଷ୍ୟତରେ କେତେ ଭୟଙ୍କର ହେବ, ତାହା ଅନୁମାନ କରିବା କଷ୍ଟକର । ଏହି ଆକ୍ରମଣ ପଛରେ ଚୀନ ଓ ପାକିସ୍ତାନର ହାତ ରହିଛି, ଏହା ଶତ ପ୍ରତିଶତ ସତ । ଭାରତ-ପାକିସ୍ତାନ ସୀମା ୩୩୨୩ କିମି, ଭାରତ-ଚୀନ ସୀମା ୩୪୮୮ କିମି ବିଶିଷ୍ଟ ହୋଇଥିବା ବେଳେ ଭାରତ କେତେଟା ଡ୍ରୋନ୍ ଗୁଳି କରି ଖସାଇବ । ଉନ୍ନତ ଡ୍ରୋନ ପ୍ରତିରୋଧ ପ୍ରଣାଳୀ ବିନା ଶତ୍ରୁପକ୍ଷର ମୁକାବିଲା କରିବା ଭାରତ ପାଇଁ ଅସମ୍ଭବ ହୋଇପଡ଼ିବ । ପୁଣି ଚୀନ ପୂର୍ବରୁ ଏକାଥରରେ ୩୬ ଶହ ଡ୍ରୋନ୍ ଉଡ଼ାଇ ନିଜର ଶକ୍ତିର ପରାକ୍ରମ ଦେଖାଇ ସାରିଛି । ଡ୍ରାଗନ ଓ ଆତଙ୍କର ଗନ୍ତାଘର ରାଷ୍ଟ୍ର ମିଶି କ’ଣ ଭାରତବିରୋଧୀ ଷଡ଼ଯନ୍ତ୍ର କରୁଛନ୍ତି, ସେଥିନେଇ ଦେଶର ଗୁଇନ୍ଦା, ସାମରିକ ବିଭାଗ ସତର୍କ ରହିବା ଦରକାର ।

ସାଧାରଣତଃ ଡ୍ରୋନ ୪ଟି ଉପାୟରେ ପ୍ରତିରୋଧ କରାଯାଏ । ପ୍ରଥମତଃ, ଡ୍ରୋନ୍ ଗନ୍ ଦ୍ୱାରା ଏକ କିମି ଦୂରରୁ ଡ୍ରୋନକୁ ଗୁଳି କରି ଖସାଇ ଦିଆଯିବ, ଡ୍ରୋନର ରେଡିଓ ସିଗନାଲକୁ ବନ୍ଦ କରି ଏହାକୁ ନିଷ୍କ୍ରିୟ କରିଦିଆଯିବ । ଦ୍ୱିତୀୟତଃ, ଡ୍ରୋନ୍ କ୍ୟାଚର ମାଧ୍ୟମରେ ଡ୍ରୋନ ଉପରକୁ ଜାଲି ଫିଙ୍ଗି ତାକୁ ଧରାଯାଇପାରିବ । ତୃତୀୟତଃ, ସ୍କାଏ ୱାଲ ଅର୍ଥାତ, ତଳେ ଥାଇ ଉପରେ ଉଡ଼ୁଥିବା ଡ୍ରୋନକୁ ଗୁଳି କରି ଖସାଯିବ । ଚତୁର୍ଥତଃ, ସ୍କାଏ ଡ୍ରୋନ ସିଷ୍ଟମ, ଏହି ବ୍ୟବସ୍ଥା ଦ୍ୱାରା ଶତ୍ରୁପକ୍ଷର ଡ୍ରୋନର ଗତିକୁ ହ୍ରାସ କରି ତାକୁ ତଳେ ପକାଇ ଦିଆଯାଏ । ଭାରତରେ ପ୍ରାୟତଃ ପ୍ରଥମ ବ୍ୟବସ୍ଥା ଗ୍ରହଣ କରାଯାଇଥାଏ । ଇସ୍ରାଏଲ, ରୁଷ, ଆମେରିକା ପାଖରେ ଉନ୍ନତମାନର ଡ୍ରୋନ ପ୍ରତିରୋଧ ପ୍ରଣାଳୀ ରହିଛି । ଚୀନ ପକ୍ଷୀ ଆକୃତିର ଡ୍ରୋନ ତିଆରି କରିଥିବାରୁ ତାହ ପକ୍ଷୀ ନା ଡ୍ରୋନ, ତାହାକୁ ରାଡାର ଠାବ କରିପାରୁନାହିଁ । ଗତ ୪-୫ ବର୍ଷ ହେଲା ଭାରତୀୟ ପ୍ରତିରକ୍ଷା ସଂସ୍ଥା ଡ୍ରୋନ ପ୍ରତିରୋଧ ପ୍ରଣାଳୀ ଉପରେ କାର୍ଯ୍ୟ କରୁଥିବା ଶୁଣାଯାଉଛି । ବର୍ତ୍ତମାନ ବିଶ୍ୱ ପାଇଁ ଡ୍ରୋନ୍ ଆକ୍ରମଣ ଏକ ଭୟଙ୍କର ଅସ୍ତ୍ର ଭାବେ ଉଭା ହୋଇଛି । ତେଣୁ ଭାରତକୁ ନିଜକୁ ବଞ୍ଚାଇବାକୁ ହେଲେ ଉନ୍ନତମାନର ଡ୍ରୋନ୍ ପ୍ରତିରୋଧ ପ୍ରଣାଳୀ ବିକଶିତ କରିବା ନିହାତି ଦରକାର ।

Get real time updates directly on you device, subscribe now.