୧୧୮ ଜଣଙ୍କ ଡାକ୍ତରୀ ଦଳ, ମିଆଁମାରରେ ପହଞ୍ଚିଲା ଆଉ ଦୁଇଟି ଭାରତୀୟ ବିମାନ: ସାହାଯ୍ୟ ପାଇଁ ଭାରତ ଚଲାଉଛି ‘ଅପରେସନ୍ ବ୍ରହ୍ମା’
ନୂଆଦିଲ୍ଲୀ: ପ୍ରତମରୁ ଗୃହଯୁଦ୍ଧ ଦ୍ୱାରା ବିଧ୍ୱସ୍ତ ମିଆଁମାରରେ ଶୁକ୍ରବାର ହୋଇଥିବା ୭.୭ ତୀବ୍ରତାର ଭୟଙ୍କର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ଶନିବାର ୧,୬୪୪ ରେ ପହଞ୍ଚିଛି । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଜୀବନଯାତ୍ରା ଗୁରୁତର ଭାବରେ ବ୍ୟାହତ ହୋଇଛି । ଅନ୍ୟପକ୍ଷରେ ଶନିବାର ମିଆଁମାରରେ ପୁଣି ଥରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପର ତୀବ୍ରତା ୫.୨ ବୋଲି ମପାଯାଇଛି ।
ଅନ୍ୟପକ୍ଷରେ ଭାରତ, ଏକ ପଡ଼ୋଶୀ ଭାବରେ ନିଜର କର୍ତ୍ତବ୍ୟ ପାଳନ କରି ପ୍ରଥମେ ମିଆଁମାରକୁ ଉଦ୍ଧାର ଦଳ ପଠାଇ ଏବଂ ମାନବୀୟ ସହାୟତା ପ୍ରଦାନ କରି ରିଲିଫ୍ କାର୍ଯ୍ୟରେ ସାହାଯ୍ୟ କରିଛି । ଭାରତ ଭୂକମ୍ପ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ‘ଅପରେସନ୍ ବ୍ରହ୍ମା’ ଆରମ୍ଭ କରିଛି ଏବଂ ଶନିବାର ୧୫ ଟନ୍ ରିଲିଫ୍ ସାମଗ୍ରୀ ପଠାଇଛି ।
ଭୂକମ୍ପ ପ୍ରଭାବିତ ଦେଶକୁ ସହାୟତା କରିବା ପାଇଁ ଭାରତୀୟ ବାୟୁସେନାର ବିମାନ ଏବଂ ନୌସେନା ଜାହାଜ ନିୟୋଜିତ କରାଯାଇଛି । କେବଳ ଏତିକି ନୁହେଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଆଁମାରର ବରିଷ୍ଠ ଜେନେରାଲ ମିନ୍ ଅଙ୍ଗ ହ୍ଲାଇଙ୍ଗଙ୍କ ସହ କଥା ହୋଇ କହିଛନ୍ତି ଯେ ଏହି ସଙ୍କଟର ଘଡ଼ିରେ ଭାରତ ମିଆଁମାର ଲୋକଙ୍କ ସହିତ ଠିଆ ହୋଇଛି ଏବଂ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇ ଦେବ ।
ଅନ୍ୟପକ୍ଷରେ, ସାମରିକ ନେତୃତ୍ୱାଧୀନ ମିଆଁମାର ସରକାରଙ୍କ ପକ୍ଷରୁ ଜାରି ଏକ ବିବୃତ୍ତି ଅନୁଯାୟୀ, ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ ୧,୬୪୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩,୪୦୮ ଜଣ ଆହତ ହୋଇଛନ୍ତି । ଏହା ବ୍ୟତୀତ ଅନେକ ଲୋକ ନିଖୋଜ ଥିବା କୁହାଯାଉଛି ।
ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି:
ଭୂ-କମ୍ପରେ କ୍ଷତିଗ୍ରସ୍ତ ଅନେକ କୋଠାର ଭଗ୍ନାବଶେଷରୁ ଅଧିକ ମୃତଦେହ ଉଦ୍ଧାର କରାଯାଉଛି, ଯାହା ଫଳରେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି । ଶକ୍ତିଶାଳୀ ଭୂ-କମ୍ପ ଯୋଗୁଁ ବହୁ ସଂଖ୍ୟକ କୋଠା ଧ୍ୱଂସ ହୋଇଛି । ରାସ୍ତାଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି । ପୋଲଗୁଡ଼ିକ ଭୁଶୁଡ଼ି ପଡ଼ିଛି ଏବଂ ଏକ ବନ୍ଧ ମଧ୍ୟ ଭାଙ୍ଗି ଯାଇଛି । ସାମରିକ ସରକାର ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଚିତ୍ର ଜାରି କରିଛି । ରାଷ୍ଟ୍ରପତି ଭବନ ମଧ୍ୟ ବହୁତ କ୍ଷତିଗ୍ରସ୍ତ ହୋଇଛି ।
ଅନ୍ୟପକ୍ଷରେ, ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଆଗ୍ରାରୁ ବିମାନ ଯୋଗେ ୧୧୮ ସଦସ୍ୟ ବିଶିଷ୍ଟ ଏକ ଫିଲ୍ଡ ହସ୍ପିଟାଲ ମଧ୍ୟ ସେଠାକୁ ପଠାଯାଉଛି । ଏହା ଆହତମାନଙ୍କୁ ଘଟଣାସ୍ଥଳରେ ତୁରନ୍ତ ଚିକିତ୍ସା ସହାୟତା ପ୍ରଦାନ କରେ । ଏହି ଅଭିଯାନ ଅଧୀନରେ, ଭାରତୀୟ ସେନା ଏକ ୬୦ ଶଯ୍ୟା ବିଶିଷ୍ଟ ଚିକିତ୍ସା କେନ୍ଦ୍ର ସ୍ଥାପନ କରିବ । ଏଠାରେ ଜରୁରୀକାଳୀନ ଅସ୍ତ୍ରୋପଚାର ପାଇଁ ମଧ୍ୟ ସୁବିଧା ଉପଲବ୍ଧ ହେବ ।
ସକାଳେ, ଭାରତ ମିଆଁମାରର ୟାଙ୍ଗନ୍ ସହରକୁ ୧୫ ଟନ୍ ରିଲିଫ୍ ସାମଗ୍ରୀ ପଠାଇଥିଲା, ଯାହାକୁ ଭାରତୀୟ ବାୟୁସେନାର ଏକ ସି୧୩୦ଜେ ବିମାନ ଦ୍ୱାରା ପଠାଯାଇଥିଲା । ଅଧିକାରୀଙ୍କ ଅନୁଯାୟୀ, ଏଥିରେ ତମ୍ବୁ, ଶୋଇବା ବ୍ୟାଗ, କମ୍ବଳ, ରନ୍ଧା ଖାଦ୍ୟ, ସୌର ଲ୍ୟାମ୍ପ, ଜେନେରେଟର ସେଟ୍ ଏବଂ ଅତ୍ୟାବଶ୍ୟକ ଔଷଧ ଅନ୍ତର୍ଭୁକ୍ତ ଥିଲା ।