fbpx

ରାଜକୋଟରେ ହେବ ଫାଇନାଲ ମୁକାବିଲା: ଲଢ଼ିଲେ ସୂର୍ୟ୍ୟକୁମାର-ଅକ୍ଷର, ସିରିଜ ବରାବର କଲା ଶ୍ରୀଲଙ୍କା

Advertisement

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ରେ ଝଟକା ଖାଇଛି ଟିମ୍ ଇଣ୍ଡିଆ । ୨୦୬ ରନର ପାହାଡ଼କୁ ପିଛା କରିବାକୁ ଯାଇ ଭାରତ ୮ ୱିକେଟ ହରାଇ ୧୯୦ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । ସୂର୍ୟ୍ୟକୁମାର ଓ ଅକ୍ଷରଙ୍କ ଲଢ଼ୁଆ ବ୍ୟାଟିଂ ଦଳର ବିଜୟ ପାଇଁ ଯଥେଷ୍ଟ ନଥିଲା । ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ସିଂହଳି ବୋଲରଙ୍କୁ ସାମ୍ନା କରିବାରେ ବିଫଳ ହୋଇଥିଲେ । ବର୍ତ୍ତମାନ ସିରିଜ ୧-୧ରେ ବରାବର ରହିଥିବା ବେଳେ ଆସନ୍ତା ୭ ତାରିଖରେ ରାଜକୋଟରେ ଅନ୍ତିମ ତଥା ଫାଇନାଲ ମ୍ୟାଚ ଖେଳାଯିବ ।

ଟସ୍ ଜିତି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ନିର୍ଦ୍ଧାରିତ ୨୦ ଓଭରରେ ଶ୍ରୀଲଙ୍କା ୬ ୱିକେଟରେ ୨୦୬ ରନର ବିଶାଳ ସ୍କୋର ଛିଡ଼ା କରିଥିଲା । ଦଳ ପକ୍ଷରୁ କୁସଲ ମେଣ୍ଡିସ ଓ ଅଧିନାୟକ ଦାସୁନ ଶନାକା ଉଭୟେ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । କୁସଲ ମାତ୍ର ୩୧ଟି ବଲରୁ ୩ଟି ଚୌକା ଓ ୪ଟି ଛକା ସହାୟତାରେ ୫୨ ରନ୍ ହାସଲ କରିଥିବା ବେଳେ ଶନାକା ୨୨ଟି ବଲରୁ ୨ଟି ଚୌକା ଓ ୬ଟି ଛକା ସହାୟତାରେ ୫୬ ରନ୍ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ଉମ୍ରାନ ମଲ୍ଲିକ ୩ଟି, ଅକ୍ଷର ପଟେଲ ୨ଟି ଓ ୟୁଜବେନ୍ଦ୍ର ଚହଲ ଗୋଟିଏ ୱିକେଟ ହାସଲ କରିଥିଲେ ।

ଜବାବରେ ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ୟ୍ୟୟ ଘଟିଥିଲା । ମାତ୍ର ୨୧ ରନରେ ଦଳ ୩ଟି ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା । ପରବର୍ତ୍ତୀ ସମୟରେ ଦଳ ପକ୍ଷରୁ ସୂର୍ୟ୍ୟକୁମାର ଯାଦବ ଓ ଅକ୍ଷର ପଟେଲ ଉଭୟେ ଅଦ୍ଧଶତକ ହାସଲ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ଦିଲଶାନ ମଧୁଶନାକା ୨ଟି, କସୁନ ରଜିଥା ୨ଟି, ଦାସୁନ ଶନାକା ୨ଟି, ଚାମିକା କରୁଣାରତ୍ନେ ୧ଟି, ୱାନିନ୍ଦୁ ହସରଙ୍ଗା ୧ଟି ୱିକେଟ ଅକ୍ତିଆର କରିଥିଲେ ।

Get real time updates directly on you device, subscribe now.