fbpx

ଇତିହାସ ରଚିଲା ଭାରତ, ପ୍ୟାରିସ ଅଲିମ୍ପିକ୍ସରେ ପେନାଲ୍ଟିରେ ୪-୨ ଗୋଲରେ ଗ୍ରେଟ ବ୍ରିଟେନକୁ ହରାଇ ସେମିଫାଇନାଲରେ ଟିମ ଇଣ୍ଡିଆ

ଓଡିଶା ଭାସ୍କର: ପ୍ୟାରିସ ଅଲିମ୍ପିକ୍ସର ପୁରୁଷ ହକିରେ ଭାରତୀୟ ହକି ଦଳ ଇତିହାସ ରଚିଛି । ଗ୍ରେଟ ବ୍ରିଟେନକୁ ହରାଇ ଲଗାତାର ଭାବରେ ଅଲିମ୍ପିକ୍ସ ସେମିଫାଇନାଲରେ ପହଞ୍ଚିଛି ଟିମ୍ ଇଣ୍ଡିଆ । ଗତ ଟୋକିଓ ଅଲିମ୍ପିକ୍ସ ଭଳି ଚଳିତ ଅଲିମ୍ପିକ୍ସରେ ମଧ୍ୟ ଭାରତ ଗ୍ରେଟ ବ୍ରିଟେନ ଭଳି ଦଳକୁ ମାତ ଦେଇ ବିଶ୍ୱରେ ତ୍ରିରଙ୍ଗାକୁ ଉଡାଇଛି ।
ଭାରତ – ଗ୍ରେଟ ବ୍ରିଟେନ ମଧ୍ୟରେ ଖେଳାଯାଇଥିବା କ୍ୱାଟରଫାଇନାଲ ମ୍ୟାଚରେ ଭାରତର ହରମନପ୍ରୀତ ସିଂ ପ୍ରଥମେ ଗୋଲ କରିଥିଲେ । ଫଳରେ ଭାରତ ୧-୦ ଗୋଲରେ ମ୍ୟାଚରେ ଆଗୁଆ ହୋଇଥିଲା । ମାତ୍ର ଇଂଲଣ୍ଡ ପକ୍ଷରୁ ଲି ମାର୍ଟନ ହାଫ ଟାଇମ ପୂର୍ବରୁ ଗୋଲ କରି ସ୍ଥିତିକୁ ବରାବର କରିଥିଲେ । ଯାହାଫଳରେ ଏହି ମ୍ୟାଚରେ ରୋମାଞ୍ଚ ବଢି ବଢି ଯାଇଥିଲା । କୋଲମ୍ବସସ୍ଥିତ ୟୱେସ-ଡୁ-ମାନୋଇର ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଘମାଘୋଟ ଲଢେଇ ଦେଖିବାକୁ ମିଳିଥିଲା ।

ନିର୍ଦ୍ଧାରିତ ସମୟରେ ମ୍ୟାଚ ଅମୀମାଂସିତ ରହିବାରୁ ଏହା ପେନଲ୍ଟି ସୁଟଆଉଟକୁ ଚାଲିଯାଇଥିଲା । ପେନାଲ୍ଟିରେ ଭାରତୀୟ ଦଳ ସାମ୍ନାରେ ବ୍ରିଟେନ ସେନା ଧରାଶାୟୀ ହୋଇ ଆଣ୍ଠେଇଥିଲା । ଟିମ ଇଣ୍ଡିଆ ପେନଲ୍ଟିରେ ୪-୨ ଗୋଲରେ ଗ୍ରେଟ ବ୍ରିଟେନକୁ ମାତ ଦେଇ ସେମିଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି । ପେନାଲ୍ଟିରେ ଭାରତୀୟ ଦଳର ରାଜକୁମାରଙ୍କ ଗୋଲ ଚୂଡାନ୍ତ ସାବ୍ୟସ୍ତ ହୋଇଥିଲା । ତାହାସହ କୋଟି କୋଟି ଭାରତୀୟଙ୍କ ସ୍ୱପ୍ନ ବି ସାକାର ହେବାର ପାଦ ଦେଶରେ ରହିଛି । ପଦକ ଜିତିବା ପାଇଁ ଟିମ ଇଣ୍ଡିଆ ଆଉ ପାଦେ ଆଗକୁ ଅଗ୍ରସର ହୋଇଛି ।

କହିରଖୁ, ହକି ର‌୍ୟାଙ୍କିଙ୍ଗରେ ପଞ୍ଚମ ସ୍ଥାନରେ ଥିବା ଭାରତ ପ୍ୟାରିସ ଅଲିମ୍ପିକ୍ସରେ ୧୦ ଅଙ୍କ ସହ ‘ପୁଲ-ବି’ ର ଦ୍ୱିତୀୟ ସ୍ଥାନରେ ରହି କ୍ୱାଟରଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲା । ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଦଳକୁ ଗ୍ରୁପ ମ୍ୟାଚରେ ଭାରତୀୟ ପୁରୁଷ ହକି ଦଳ ୩-୨ ଗୋଲରେ ମାତ ଦେଇଥିଲା । ଯଦିବା ଭାରତ ଗ୍ରୁପ ମ୍ୟାଚରେ ବେଲଜିୟମଠୁ ୧-୨ ଗୋଲରେ ହାରିଥିଲା । ୫୨ ବର୍ଷର ଅଲିମ୍ପିକ୍ସ ଇତିହାସରେ ଭାରତ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆକୁ ହରାଇଥିଲା । ଭାରତୀୟ ଅଧିନାୟକ ହରମନପ୍ରୀତଙ୍କ ପ୍ରଦର୍ଶନ ବଳରେ ଟିମ ଇଣ୍ଡିଆ ଆଜି ଗ୍ରେଟ ବ୍ରିଟେନକୁ ମାତ ଦେଇଛନ୍ତି । ସେ ଏବେ ଯାଏଁ ପ୍ୟାରିସ ଅଲିମ୍ପିକ୍ସରେ ମୋଟ ୭ ଟି ଗୋଲ କରିଛନ୍ତି । ପ୍ୟାରିସ ଅଲିମ୍ପିକ୍ସରେ ସେ ଦ୍ୱିତୀୟ ସର୍ବାଧିକ ଗୋଲ ହାସଲ କରିଥିବା ଖେଳାଳି ଅଟନ୍ତି ।

Get real time updates directly on you device, subscribe now.