CHARIDHAM

୧୦୦୦ ତମ ଦିନିକିଆ: ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, ପଦାର୍ପଣ କଲେ ଦୀପକ ହୁଡ୍ଡା

ଅହମ୍ମଦାବାଦ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ଭାରତ ଏବଂ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍। ତେବେ ଏହି ମ୍ୟାଚ୍ ଭାରତୀୟ ଦଳର ୧୦୦୦ ତମ ଦିନିକିଆ। ତେଣୁ ଭାରତୀୟ ଦଳ ପାଇଁ ଏହା ଏକ ସ୍ମରଣୀୟ ମୁହୂର୍ତ୍ତ। ଏହି ଐତିହାସିକ ମ୍ୟାଚରେ ଟସ୍ ଜିତି ଭାରତୀୟ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜିର ମ୍ୟାଚ୍ ଜିତି ଭାରତ ୧୦୦୦ ତମ ଦିନିକିଆକୁ ଆହୁରି ସ୍ମରଣୀୟ କରିବାକୁ ଚାହିଁବ।

ତେବେ ଏହି ଐତିହାସିକ ମ୍ୟାଚରେ ନିଜର ଅନ୍ତର୍ଜାତୀୟ ପଦାର୍ପଣ କରିଛନ୍ତି ବ୍ୟାଟସମ୍ୟାନ ଦୀପକ ହୁଡ୍ଡା। ତାଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇଛି। ଇଶାନ କିଶନ ଏବଂ ପ୍ରସିଦ୍ଧ କୃଷ୍ଣାଙ୍କୁ ମଧ୍ୟ ପ୍ରଥମ ଦିନିକିଆ ଖେଳିବାକୁ ସୁଯୋଗ ମିଳିଛି। ଶାର୍ଦ୍ଦୁଳ ଠାକୁର, ପ୍ରସିଦ୍ଧ କୃଷ୍ଣା ଏବଂ ମହମ୍ମଦ ସିରାଜ ଦ୍ରୁତ ବୋଲିଂ ଆକ୍ରମଣ ସମ୍ଭାଳୁଥିବା ବେଳେ ସ୍ପିନ ବୋଲିଂରେ ଅଛନ୍ତି ୟୁଜବେନ୍ଦ୍ର ଚହଲ ଏବଂ ଓ୍ଵାଶିଂଟନ ସୁନ୍ଦର।

ଭାରତ ଏ ପର୍ଯ୍ୟନ୍ତ ୯୯୯ ଦିନିକିଆ ଖେଳି ସେଥିରୁ ୫୧୮ଟି ଜିତିଥିବା ବେଳେ ୪୩୧ଟି ମ୍ୟାଚରେ ପରାଜିତ ହୋଇଛି। ଏଥିରୁ ୯ଟି ମୁକାବିଲା ଟାଇ ରହିଥିବା ବେଳେ ୪୧ଟି ମ୍ୟାଚର କୌଣସି ଫଳାଫଳ ବାହାରି ନାହିଁ। ଦକ୍ଷିଣ ଆଫ୍ରିକା ଗସ୍ତରେ ମିଳିଥିବା ପରାଜୟର ଗ୍ଲାନିକୁ ଭୁଲି ଭାରତୀୟ ଦଳ ନୂତନ ପୂର୍ଣ୍ଣକାଳୀନ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ଵରେ ନୂତନ ଆରମ୍ଭ କରିବାକୁ ଚାହିଁବ।

ଭାରତୀୟ ଦଳ

ରୋହିତ ଶର୍ମା(ଅଧିନାୟକ), ଇଶାନ କିଶନ, ବିରାଟ କୋହଲି, ଋଷଭ ପନ୍ତ(ଓ୍ଵିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଓ୍ଵାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ୟୁଜବେନ୍ଦ୍ର ଚହଲ, ପ୍ରସିଦ୍ଧ କୃଷ୍ଣା ଓ ମହମ୍ମଦ ସିରାଜ।

ଓ୍ଵେଷ୍ଟଇଣ୍ଡିଜ ଦଳ

ବ୍ରାଣ୍ଡନ କିଙ୍ଗ, ଶାଇ ହୋପ୍(ଓ୍ଵିକେଟ୍ କିପର), ସମର୍ଥ ବ୍ରୁକ୍ସ, ଡାରେନ ବ୍ରାଭୋ, ନିକୋଲାସ ପୁରନ, କିରଣ ପୋଲାର୍ଡ(ଅଧିନାୟକ), ଜାସନ ହୋଲଡର, ଫାବିଆନ ଆଲେନ, ଅଲଜାରି ଯୋଶେଫ, କେମାର ରୋଚ, ଅକେଲା  ହୋସେନ।