ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଟିମ୍ ଏକ ବଡ଼ ସଫଳତା ହାସଲ କରିଛି । ମହିଳା ଜୁନିୟର ବିଶ୍ୱକପ୍ ୨୦୨୫ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ଭାରତୀୟ ହକି ଟିମ୍ । ଜୁନିୟର ଏସିଆ କପରେ ଥାଇଲାଣ୍ଡକୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିବା ପରେ ଭାରତୀୟ ମହିଳା ଟିମ୍ ଏହି କୃତିତ୍ୱ ହାସଲ କରିଛି । ଓମାନର ମସ୍କାଟ ଠାରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ପ୍ରତିପକ୍ଷ ଥାଇଲାଣ୍ଡକୁ ୯-୦ ଗୋଲ୍ ବ୍ୟବଧାନରେ ପରାସ୍ତ କରିଥିଲା ।
ଏହି ବିଜୟ ଫଳରେ ଆସନ୍ତା ବର୍ଷ ଚିଲି ଠାରେ ଖେଳାଯିବାକୁ ଥିବା ଏଫଆଇଏଚ ଜୁନିୟର ବିଶ୍ୱ କପ୍ ୨୦୨୫ରେ ଭାରତ ଅଂଶଗ୍ରହଣ କରିବା ନିମନ୍ତେ କ୍ୱାଲିଫାଏ କରିଛି । ଗତ ୧୨ ତାରିଖ ଦି ଖେଳାଯାଇଥିବା ଥାଇଲାଣ୍ଡ ବିପକ୍ଷ ମ୍ୟାଚରେ ଭାରତ ପକ୍ଷରୁ କନିକା ସିୱାଚ ହ୍ୟାଟ୍ରିକ୍ ଗୋଲ ସ୍କୋର କରିଥିଲେ । ସେହିପରି ଦିପିକା ଉକ୍ତ ମ୍ୟାଚରେ ୪ଟି ଗୋଲ ସ୍କୋର କରିଥିଲେ । ମ୍ୟାଚର ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୫-୦ ଗୋଲରେ ଆଗୁଆ ରହିଥିଲା । ଏହା ପୂର୍ବରୁ ଭାରତ ବାଂଲାଦେଶକୁ ୧୩-୧ ଓ ମାଲେଶିଆକୁ ୫-୦ ଗୋଲରେ ପରାସ୍ତ କରିଥିଲା । ଆଜି ସେମିଫାଇନାଲ ଖେଳାଯିବ ଓ ଆସନ୍ତାକାଲି ଫାଇନାଲ ଖେଳାଯିବ ।