fbpx

(Video) U-19 ବିଶ୍ୱକପ: ଅଷ୍ଟ୍ରେଲିଆକୁ ୯୬ ରନରେ ପରାସ୍ତ କଲା ଭାରତ, ଇଂଲଣ୍ଡ ସହ ହେବ ଫାଇନାଲ ମୁକାବିଲା

ନୂଆଦିଲ୍ଲୀ: ନୂଆବର୍ଷର ଆରମ୍ଭରୁ ଭାରତୀୟ କ୍ରିକେଟ ପାଇଁ ଏକ ଶୁଭ ଖବର ଆସିଛି । ଅଣ୍ଡର-୧୯ ବିଶ୍ୱକପରେ ଭାରତ କ୍ରମାଗତ ଭାବେ ଚତୁର୍ଥ ଥର ପାଇଁ ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି । ପ୍ରତିପକ୍ଷ ଅଷ୍ଟ୍ରେଲିଆକୁ ସେମିଫାଇନାଲରେ ୯୬ ରନର ବୃହତ୍ ବ୍ୟବଧାନରେ ହରାଇବାରେ ଭାରତ ସକ୍ଷମ ହୋଇଛି । ତେବେ ଆସନ୍ତା ଶନିବାର ଦିନ ଭାରତ ଫାଇନାଲରେ ଇଂଲଣ୍ଡକୁ ଭେଟିବ । ଇଂଲଣ୍ଡ ଡକ-ୱର୍ଥ-ଲୁଇସ ନିୟମ ଅନୁସାରେ ଆଫଗାନିସ୍ତାନକୁ ୧୫ ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା । ଏହି ଅବସରରେ ଭାରତୀୟ କ୍ରୀଡ଼ାପ୍ରେମୀ ଫାଇନାଲ ମ୍ୟାଚକୁ ଉପଭୋଗ କରିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରିଥିବା ବେଳେ ଭାରତୀୟ ଦଳର ଶୁଭ କାମନା କରିଛନ୍ତି ।

ଭାରତ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ ହରାଇ ୨୯୦ ରନ୍ ସଂଗ୍ରହ କରିଥିଲା । ଅଧିନାୟକ ୟଶ ଧୁଲ ୧୧୦, ଶେକ ରସିଦ ୯୪ ରନ୍ ସଂଗ୍ରହ କରି ଦଳକୁ ଏକ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଜ୍ୟାକ ନିସବେଟ ଓ ୱିଲିୟମ ସାଲଜମାନ୍ନ ୨ଟି ଲେଖାଏଁ ୱିକେଟ ହାସଲ କରିଥିଲେ । ଶତକୀୟ ପାଳି ଖେଲିବା ପରେ ୟଶ ଜ୍ୟାକଙ୍କ ଦ୍ୱାରା ରନ୍ ଆଉଟ୍ ହୋଇଯାଇଥିଲେ ।

ଜବାବରେ ଅଷ୍ଟ୍ରେଲିଆ ୪୧.୫ ଓଭରରେ ୧୯୪ ରନରେ ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ଲଚଲାନ ଶ’ ୫୧, ଅଧିନାୟକ କୋରେ ମିଲର ୩୮ ଓ କ୍ୟାମ୍ପବେଲ କେଲଆୱେ ୩୦ ରନ୍ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ଭିକି ଓଷ୍ଟୱାଲ ୩ଟି, ରବି କୁମାର ଓ ନିଶାନ୍ତ ସିନ୍ଧୁ ୨ଟି ଲେଖାଏଁ, କୌଶଳ ତାମ୍ବେ ଓ ଅଙ୍ଗକ୍ରିଶ ରଘୁବଂଶୀ ୧ଟି ଲେଖାଏଁ ୱିକେଟ ହାସଲ କରିଥିଲେ । ଟମ ହ୍ୱାଇଟନେ ୧୯ ରନରେ ରାଜବର୍ଦ୍ଧନ ହଙ୍ଗାର୍ଗେକର ଦ୍ୱାରା ରନ ଆଉଟ ହୋଇଯାଇଥିଲେ । ଭାରତୀୟ ଦଳର ଏହି ସଫଳତା ପରେ ବିସିସିଆଇ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

Get real time updates directly on you device, subscribe now.