fbpx

ମୁସଲମାନଙ୍କ ଉପରେ ଭିଡ଼ ଆକ୍ରମଣ ମାମଲାରେ କେନ୍ଦ୍ର ସରକାର ଏବଂ ଓଡ଼ିଶା ସମେତ ୬ ରାଜ୍ୟକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

Advertisement

ନୂଆଦିଲ୍ଲୀ: ଦେଶର ମୁସଲମାନଙ୍କ ବିରୋଧରେ ଗୋରକ୍ଷକଙ୍କ ହିଂସାତ୍ମକ ଘଟଣା ଏବଂ ଭିଡ଼ ହିଂସା ବଢି ଚାଲିଥିବା ବେଳେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ସମେତ ୬ ରାଜ୍ୟକୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି। ଏକ ଜନସ୍ୱାର୍ଥ ମାମଲା ଉପରେ ଶୁଣାଣି ସମୟରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ବିଜ୍ଞପ୍ତି ଜାରି କରିଛନ୍ତି। ଏହି ଆବେଦନରେ ଗତ ୬ ମାସ ମଧ୍ୟରେ ଆସିଥିବା ମାମଲାଗୁଡ଼ିକ ପାଇଁ କ୍ଷତିପୂରଣ ଦାବି କରାଯାଇଛି।

ଭାରତୀୟ କମ୍ୟୁନିଷ୍ଟ ପାର୍ଟୀ ସହିତ ଜଡ଼ିତ ସଂଗଠନ ନ୍ୟାସନାଲ ଫେଡେରେସନ୍ ଅଫ ଇଣ୍ଡିଆନ୍ ଓମେନ୍ସ ପକ୍ଷରୁ ଦାଖଲ ହୋଇଥିବା ଏହି ମାମଲାରେ ଶୁକ୍ରବାର ବିଚାରପତି ବି.ଆର. ଗୱାଇ ଏବଂ ବିଚାରପତି ଜେବି. ପାରଦୀୱାଲାଙ୍କ ଖଣ୍ଡପୀଠ ଶୁଣାଣି କରିଥିଲେ। ଏହି ମାମଲାର ଶୁଣାଣି ସମୟରେ ତହସୀନ ପୁନାୱାଲା ମାମଲାରେ ୨୦୧୮ରେ ସୁପ୍ରିମକୋର୍ଟଙ୍କ ନିର୍ଦେଶର ଉଲଂଘନକୁ ନେଇ କୋର୍ଟ ଚିନ୍ତା ପ୍ରକଟ କରିଥିଲେ। ଏହା ସହିତ ସମସ୍ତ ରାଜ୍ୟକୁ ୨୦୧୮ ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦେଶକୁ କାର୍ଯ୍ୟକାରି କରିବାକୁ ଆଦେଶ ଦେଇଛନ୍ତି।

ମାମଲାର ଶୁଣାଣି କରି କୋର୍ଟ କେନ୍ଦ୍ର ସରକାରଙ୍କ ସହିତ ୬ ରାଜ୍ୟ ହରିୟାଣା, ମଧ୍ୟ ପ୍ରଦେଶ, ବିହାର, ରାଜସ୍ଥାନ, ଓଡ଼ିଶା ଏବଂ ମହାରାଷ୍ଟ୍ରକୁ ନୋଟିସ୍ କରି ଜବାବା ମାଗିଛନ୍ତି। ବେଞ୍ଚ ବରିଷ୍ଠ ଓକିଲ କପିଲ ସିବଲଙ୍କୁ କହିଛନ୍ତି ଯେ ଆମେ ନୋଟିସ ଜାରି କରିବୁ। ମହିଳା ସଂଗଠନ ଭିଡ଼ ହିଂସାରେ ପୁରୁଷଙ୍କ ହତ୍ୟା ପରେ ଛାଡିଯାଇଥିବା ପରିବାରର ମହିଳା ପ୍ରସଙ୍ଗ ଉଠାଇଛନ୍ତି। ଆବେଦନକାରୀଙ୍କ ଓକିଲ କପିଲ ସିବଲ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଏହି ମାମଲା ହାଇକୋର୍ଟକୁ ନ ପଠାଇବାକୁ ଅନୁରୋଧ କରିଛନ୍ତି।

ଏହି ମାମଲାର ଶୁଣାଣି ସମୟରେ କପିଲ ସିବଲ କହିଥିଲେ ଯେ ଗତ ଥର ସେ ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚିବା ପରେ ତାଙ୍କୁ ଉଚ୍ଚ ନ୍ୟାୟାଳୟ ଯିବାକୁ କୁହାଯାଇଥିଲା। ସିବଲ କହିଛନ୍ତି, “ଯଦି ଏହା ଘଟେ, ତେବେ ମୋତେ ବିଭିନ୍ନ ହାଇକୋର୍ଟଙ୍କ ନିକଟକୁ ଯିବାକୁ ପଡ଼ିବ, କିନ୍ତୁ ପୀଡ଼ିତାମାନେ କ’ଣ ପାଇବେ? ଦଶ ବର୍ଷ ପରେ ଦୁଇ ଲକ୍ଷ କ୍ଷତିପୂରଣ। ଭିଡ଼ ହିଂସା ବିଷୟରେ ତେହସିନ୍ ପୁନାୱାଲା ମାମଲାରେ ୨୦୧୮ ର ବିଚାର ସତ୍ତ୍ୱେ ଏହା ହେଉଛି। ଏହାର କ’ଣ ପ୍ରତିକାର ଅଛି, ମୁଁ କେଉଁଠାକୁ ଯିବି। ”ଏହା ପରେ ବେଞ୍ଚ ଶୁଣାଣି ପାଇଁ ଦାବି ଅନୁମୋଦନ କରିବାବେଳେ ସିବଲଙ୍କୁ କହିଛନ୍ତି ଯେ ଏହା ଆବେଦନ ଉପରେ ସମ୍ପୃକ୍ତ ପକ୍ଷଙ୍କୁ ନୋଟିସ ଜାରି କରୁଛି।

Get real time updates directly on you device, subscribe now.