ନୂଆଦିଲ୍ଲୀ,୨୭ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି। ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ଦୁଇ ନେତା ପ୍ରଥମ ଥର ପାଇଁ ଫୋନରେ କଥା ହୋଇଛନ୍ତି। ଏହି ଫୋନ୍ କଲରେ ଦୁଇ ନେତାଙ୍କ ମଧ୍ୟରେ ଭାରତ-ଆମେରିକା ସମ୍ପର୍କ ବିଷୟରେ ଆଲୋଚନା ହୋଇଥିଲା। କ୍ୱାଡର ପରବର୍ତ୍ତୀ ବୈଠକ ସହିତ, ଉଭୟଙ୍କ ମଧ୍ୟରେ ଅନେକ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା।
ଟ୍ରମ୍ପଙ୍କ ବିଜୟ ଉପରେ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟରରେ ଲେଖିଛନ୍ତି ଯେ, ତାଙ୍କର ବନ୍ଧୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବହୁତ ଭଲ ଆଲୋଚନା ହୋଇଛି। ତାଙ୍କର ମହାନ ବିଜୟ ପାଇଁ ତାଙ୍କୁ ବହୁତ ବହୁତ ଅଭିନନ୍ଦନ। ଆମେ ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, ଶକ୍ତି, ମହାକାଶ ଏବଂ ଅନ୍ୟାନ୍ୟ ଅନେକ କ୍ଷେତ୍ରରେ ଭାରତ-ଆମେରିକା ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ପୁଣି ଥରେ ଏକାଠି କାମ କରିବାକୁ ଆଶା କରୁଛୁ।
ମୋଦୀଙ୍କ ଚିଠି ନେଇ ଆମେରିକା ଯାଇଥିଲେ ଏସ ଜୟଶଙ୍କର
୨୦ ଜାନୁଆରୀ ୨୦୨୫ରେ, ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ନେଇଥିଲେ। ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଭାରତକୁ ପ୍ରତିନିଧିତ୍ୱ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି ଧରି ବୈଦେଶିକ ମନ୍ତ୍ରୀ ଆମେରିକା ପହଞ୍ଚିଥିଲେ। କୁହାଯାଉଛି ଯେ, ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଆଲୋଚନା ସମୟରେ ଭାରତ-ଆମେରିକା ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ସହମତ ହୋଇଥିଲା।