fbpx

ଭାରତ ଓ ଦକ୍ଷିଣ ଆଫ୍ରିକା ସିରିଜ୍ ପାଇଁ ଜାରି ହେଲା ନୂଆ କାର୍ଯ୍ୟସୂଚୀ, ବକ୍ସିଂ ଡେରୁ ପ୍ରଥମ ଟେଷ୍ଟ

ନୂଆଦିଲ୍ଲୀ : କ୍ରିକେଟ୍ ଦକ୍ଷିଣ ଆଫ୍ରିକା(ସିଏସଏ) ନିଜ ଘରୋଇ ମାଟିରେ ଭାରତ ସହ ହେବାକୁ ଥିବା ସିରିଜ୍ ପାଇଁ ନୂତନ କାର୍ଯ୍ୟସୂଚୀ ଘୋଷଣା କରିଛି। ଏଥିରେ ତିନୋଟି ଟେଷ୍ଟ ଏବଂ ତିନୋଟି ଦିନିକିଆ ମ୍ୟାଚ୍ ଖେଳାଯିବ। ନୂତନ କାର୍ଯ୍ୟକ୍ରମ ଅନୁସାରେ, ଭାରତ ଡିସେମ୍ବର ୨୬ରୁ ବକ୍ସିଂ ଡେ ଟେଷ୍ଟ ସହିତ ଦକ୍ଷିଣ ଆଫ୍ରିକା ଗସ୍ତରେ ନିଜର ଅଭିଯାନ ଆରମ୍ଭ କରିବ। ପ୍ରଥମ ଟେଷ୍ଟ ସେଞ୍ଚୁରିୟାନର ସୁପରସ୍ପୋର୍ଟ ପାର୍କରେ ଖେଳାଯିବ। ଦ୍ଵିତୀୟ ଟେଷ୍ଟ ଜାନୁଆରୀ ୩ରୁ ଜାନୁଆରୀ ୭ ପର୍ଯ୍ୟନ୍ତ ଜୋହାନ୍ସବର୍ଗରେ ଖେଳାଯିବ। ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ କେପଟାଉନ୍ର ନ୍ୟୁଲାଣ୍ଡ୍ସ ଷ୍ଟାଡିୟମରେ ୨୦୨୨ ଜାନୁଆରୀ ୧୧ରୁ ୧୫ ପର୍ଯ୍ୟନ୍ତ ଖେଳାଯିବ। ଟେଷ୍ଟ ସିରିଜ୍ ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ଅଂଶବିଶେଷ।
ଏହା ପରେ ଦୁଇ ଦଳ ମଧ୍ୟରେ ତିନି ମ୍ୟାଚ୍ର ଦିନିକିଆ ସିରିଜ୍ ଖେଳାଯିବ। ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ଜାନୁଆରୀ ୧୯ରେ ପର୍ଲରେ, ଦ୍ଵିତୀୟ ଜାନୁଆରୀ ୨୧ରେ ପର୍ଲରେ ଏବଂ ତୃତୀୟ ଦିନିକିଆ ଜାନୁଆରୀ ୨୩ରେ ନ୍ୟୁଲାଣ୍ଡ୍ସରେ ଖେଳାଯିବ।
ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ଡିସେମ୍ବର ୧୭ରୁ ଆରମ୍ଭ ହେବାର ଥିଲା। ତେବେ କରୋନାର ନୂତନ ପ୍ରଜାତି ଓମିକ୍ରନ କାରଣରୁ ଭାରତୀୟ କ୍ରିକେଟ୍ ଦଳର କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ଏହି ଗସ୍ତରେ ଭାରତୀୟ ଦଳକୁ ପ୍ରଥମେ ଟି-୨୦ ସିରିଜ୍ ମଧ୍ୟ ଖେଳାଯିବାର ଥିଲା। କିନ୍ତୁ ଗସ୍ତରେ କାଣ୍ଟଛାଣ୍ଟ କରାଯାଇ ଟି-୨୦ ସିରିଜ୍କୁ ବାଦ୍ ଦିଆଯାଇଛି।

Get real time updates directly on you device, subscribe now.