କୋଲକାତା: କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଇଥିବା ଟି-୨୦ ମ୍ୟାଚରେ ଭାରତ ଇଂଲଣ୍ଡକୁ ୭ ୱିକେଟରେ ପରାସ୍ତ କରିଛି । ଟିମ୍ ଇଣ୍ଡିଆ ପକ୍ଷରୁ ଅଭିଷେକ ଶର୍ମାଙ୍କ ବୋବାଲ ପ୍ରଦର୍ଶନ।
ସେ ୭୯ ରନ୍ କରିଥିଲେ। ଏହି ବିଜୟ ସହ ଭାରତ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଛି। ଟିମ୍ ଇଣ୍ଡିଆ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ଓ ଅର୍ଶଦୀପ ସିଂହ ମାରାତ୍ମକ ବୋଲିଂ କରିଥିଲେ।
ସଞ୍ଜୁ ସାମସନ୍ ଓ ଅଭିଷେକ ଶର୍ମା ଇଂଲଣ୍ଡ ଦେଇଥିବା ଟାର୍ଗେଟକୁ ପିଛା କରି ଭାରତୀୟ ଦଳ ପାଇଁ ଓପନିଂ କରିଥିଲେ। ଏହି ସମୟରେ ସାମସନ ୨୬ ରନ୍ କରି ଆଉଟ୍ ହୋଇଥିଲେ। ସେ ୨୦ଟି ବଲ୍ ର ସମ୍ମୁଖୀନ ହୋଇ ୪ଟି ଚୌକା ଓ ୧ଟି ଛକା ମାରିଥିଲେ।
ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଖାତା ମଧ୍ୟ ଖୋଲି ପାରିନଥିଲେ। ତାଙ୍କୁ ଜୋଫ୍ରା ଆର୍ଚର ଶୂନ୍ୟ ରେ ଆଉଟ୍ କରିଥିଲେ।
ଭାରତ ପକ୍ଷରୁ ଅଭିଷେକ ଶର୍ମା ମ୍ୟାଚ୍ ବିଜୟୀ ଇନିଂସ୍ ଖେଳିଥିଲେ। ମାତ୍ର ୨୦ ବଲ୍ ରେ ସେ ଅର୍ଦ୍ଧଶତକ ପୂରଣ କରିଥିଲେ। ଅଭିଷେକ ୩୪ ବଲ୍ ରେ ୭୯ ରନ୍ କରିଥିଲେ। ସେ ୫ଟି ଚୌକା ଓ ୮ଟି ଛକା ମାରିଥିଲେ।
ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୦ ଓଭରରେ ଅଲଆଉଟ୍ ହୋଇ ୧୩୨ ରନ୍ କରିଥିଲା। ଦଳର ଆରମ୍ଭ ବହୁତ ଖରାପ ଥିଲା। ଓପନର ଫିଲ୍ ସଲ୍ଟ ଶୂନ୍ୟ ରେ ଆଉଟ୍ ହୋଇଥିଲେ। ବେନ୍ ଡକେଟ୍ ୪ ରନ୍ କରିଥିଲେ। କିନ୍ତୁ ଜୋସ୍ ବଟଲର ଇନିଂସକୁ ବଜାୟ ରଖିଥିଲେ।
ସେ ଅର୍ଦ୍ଧଶତକ ହାସଲ କରିଥିଲେ। ବଟଲର ୪୪ ବଲରେ ୬୮ ରନ୍ କରିଥିଲେ। ଏହି ସମୟରେ ସେ ୮ଟି ଚୌକା ଓ ୨ଟି ଛକା ମାରିଥିଲେ। ହ୍ୟାରି ବ୍ରୁକ୍ ୧୭ ରନ୍ ର ଯୋଗଦାନ ଦେଇଥିଲେ।
ଏମାନଙ୍କ ବ୍ୟତୀତ କୌଣସି ବ୍ୟାଟ୍ସମ୍ୟାନ୍ ବିଶେଷ କିଛି କରିପାରିନଥିଲେ। ଆର୍ଚର ୧୨ ଓ ଆଦିଲ ରସିଦ ୮ ରନ୍ ର ଯୋଗଦାନ ଦେଇଥିଲେ।