fbpx

ଭାରତର ୨୪ତମ ସ୍ୱର୍ଣ୍ଣ ବିଜୟ: ପୁରୁଷ ସିଙ୍ଗଲ୍ସ SL4 ବ୍ୟାଡମିଣ୍ଟନରେ ସୁହାସଙ୍କୁ ମିଳିଲା ବଡ଼ ସଫଳତା

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉଠାରେ ଚାଲିଥିବା ଏସୀୟ ପାରା କ୍ରୀଡ଼ାର ଆଜି ହେଉଛି ପଞ୍ଚମ ଦିବସ । ପ୍ରଥମ ଦିନରେ ଭାରତ ୬ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ, ଦ୍ୱିତୀୟ ଦିନରେ ୩ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ, ତୃତୀୟ ଦିନରେ ୬ଟି ସ୍ୱର୍ଣ୍ଣ ସହିତ ୩୦ଟି ପଦକ ଓ ଚତୁର୍ଥ ଦିନରେ ୩ଟି ସ୍ୱର୍ଣ୍ଣ ସହିତ ୧୮ଟି ପଦକ ଜିତିଥିଲା । ଏହା ଫଳରେ ଭାରତର ମୋଟ ପଦକ ସଂଖ୍ୟା ୮୨ରେ ପହଞ୍ଚିବା ସହିତ ସେଥିରେ ୧୮ଟି ସ୍ୱର୍ଣ୍ଣ, ୨୩ଟି ରୌପ୍ୟ ଓ ୪୧ଟି ବ୍ରୋଞ୍ଜ ପଦକ ସାମିଲ ରହିଥିଲା ।

ଆଜି ପଞ୍ଚମ ଦିନରେ ଭାରତ ଉଚ୍ଚକୋଟୀର ପ୍ରଦର୍ଶନ କରିବା ସହିତ ସ୍ୱର୍ଣ୍ଣ ପରେ ସ୍ୱର୍ଣ୍ଣ ପଦକ ଜିତିଚାଲିଛି । ପୁରୁଷ ସିଙ୍ଗଲ୍ସ ଏସଏଲ୪ ବ୍ୟାଡମିଣ୍ଟନରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି । ସୁହାସ ୟାଥିରାଜ ପ୍ରତିପକ୍ଷ ବିନ ଅମିନଙ୍କୁ ଫାଇନାଲରେ ୧୩-୨୧, ୨୧-୧୮, ୨୧-୯ ସେଟରେ ପରାସ୍ତ କରି ଭାରତ ପାଇଁ ୨୪ତମ ସ୍ୱର୍ଣ୍ଣ ଜିତିଛନ୍ତି । ଏହାଫଳରେ ଭାରତ ଆଜି ବର୍ତ୍ତମାନ ସୁଦ୍ଧା ୬ଟି ସ୍ୱର୍ଣ୍ଣ ଜିତିବା ସହ ମୋଟ ସ୍ୱର୍ଣ୍ଣ ସଂଖ୍ୟା ୨୪ରେ ପହଞ୍ଚି ଯାଇଛି ।

ଏହା ପୂର୍ବରୁ ଆଜି ଭାରତ ପ୍ରଥମେ ପୁରୁଷ ଏଫ୬୪ ଡିସକସ୍ ଥ୍ରୋ’ରେ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ପୋଛି ନେଇଥିଲା । ଦେବେନ୍ଦର କୁମାର ସ୍ୱର୍ଣ୍ଣ, ପ୍ରଦୀପ କୁମାର ରୌପ୍ୟ ଓ ସୌରଭ ବ୍ରୋଞ୍ଜ ପଦକ ଜିତିଥିଲେ । ଏହାପରେ ଟି୩୮ ୧୫୦୦ ଇଭେଣ୍ଟରେ ରମଣ ଶର୍ମା ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ଜିତିଥିଲେ । ମହିଳା ଇଣ୍ଡିଭିଜୁଆଲ କମ୍ପାଉଣ୍ଡ ଆର୍ଚେରୀରେ ଶୀତଲ ଦେବୀ ତୃତୀୟ ସ୍ୱର୍ଣ୍ଣ ପଦକ ଜିତିଥିଲେ । ପ୍ରମୋଦ ଭଗତ ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନରେ ଦେଶ ପାଇଁ ଚତୁର୍ଥ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେହିପରି ମହିଳା ସିଙ୍ଗଲ୍ସ ଏସୟୁ୫ ବ୍ୟାଡମିଣ୍ଟନରେ ଭାରତର ଥୁଲାସିମାଥି ସୁନ୍ଦରେସାନ ପ୍ରତିପକ୍ଷ ଚୀନର ୟାଙ୍ଗ କିୟୁଜିଆଙ୍କୁ ସିଧାସଳଖ ଭାବେ ୨୧-୧୯, ୨୧-୧୯ ସେଟରେ ପରାସ୍ତ କରି ୫ମ ସ୍ୱର୍ଣ୍ଣ ଜିତିଥିଲେ ।

Get real time updates directly on you device, subscribe now.