fbpx

ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆ: ୫ ୱିକେଟରେ ଟିମ୍ ଇଣ୍ଡିଆ ବିଜୟୀ

ନୂଆଦିଲ୍ଲୀ: ଭାରତ-ୱେଷ୍ଟିଇଣ୍ଡିଜ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଥିବା ଦିନିକଆ ସିରିଜର ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ସମସ୍ତ ୱିକେଟ ହରାଇ ୧୧୪ ରନ୍ ସଂଗ୍ରହ କରିଥିବା ବେଳେ ଜବାବରେ ଭାରତ ୫ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ଭାରତ ପକ୍ଷରୁ ଇଶାନ କିଶନ ସର୍ବାଧିକ ୫୨ ରନ ସଂଗ୍ରହ କରିଥିଲେ । ଆଜିର ବିଜୟ ଫଳରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍ ୧-୦ରେ ସିରିଜରେ ଅଗ୍ରଣୀ ରହିଛି ।

ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସୂର୍ଯ୍ୟକୁମାର ଯାଦବ ୧୯ ରନ୍ ସଂଗ୍ରହ କରିଥିବା ବେଳେ ରବିନ୍ଦ୍ର ଜାଡେଜା ୧୬ ଓ ରୋହିତ ଶର୍ମା ୧୨ ରନରେ ଅପରାଜିତ ରହି ଦଳକୁ ଜିତାଇଥିଲେ । ୱେଷ୍ଟଇଣ୍ଡିଜ ପକ୍ଷରୁ କୁଡାକେଶ ମୋଟାଇ ୨ଟି ୱିକେଟ ହାସଲ କରିଥିବା ବେଳେ ଜୟଡେନ ସିଲସେସ ଓ ୟାନିକ କାରିଆ ପ୍ରତ୍ୟେକେ ୧ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ୱେଷ୍ଟଇଣ୍ଡିଜ ଧାର୍ଯ୍ୟ କରିଥିବା କମ୍ ରନର ଟାର୍ଗେଟକୁ ରୋହିତ ବାହିନୀ ମାତ୍ର ୨୩ ଓଭରରେ ପୂରଣ କରିନେଇଥିଲା ।

ପୂର୍ବରୁ ଭାରତ ପ୍ରଥମେ ଟସ୍ ଜିତିବା ପରେ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ଅଧିନାୟକ ରୋହିତ ଶର୍ମା । ତେବେ ଭାରତୀୟ ବୋଲରଙ୍କ ଆକ୍ରମଣକୁ ପ୍ରତିହତ କରି ନପାରି ୱେଷ୍ଟଇଣ୍ଡିଜ ୨୩ ଓଭରରେ ମାତ୍ର ୧୧୪ ରନରେ ଅଲଆଉଟ୍ ହୋଇଯାଇଥିଲା । ଦଳୀୟ ସ୍କୋର ମାତ୍ର ୭ ରନ ହୋଇଥିବା ବେଳେ ୱେଷ୍ଟଇଣ୍ଡିଜ ତା’ର ଓପନର କାଇଲ ମେୟର୍ସଙ୍କୁ ହରାଇଥିଲା । ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୪ଟି, ରବୀନ୍ଦ୍ର ଜାଡେଜା ୩ଟି ୱିକେଟ ଅକ୍ତିଆର କରିଥିଲେ । ୱେଷ୍ଟଇଣ୍ଡିଜ ପକ୍ଷରୁ ଅଧିନାୟକ ତଥା ୱିକେଟ ରକ୍ଷକ ଶାଇ ହୋପ ସର୍ବାଧିକ ୪୩ ରନ୍ ସଂଗ୍ରହ କରିଥିଲେ । ଆସନ୍ତା ୨୯ ତାରିଖରେ ବ୍ରିଜଟାଉନରେ ଦ୍ୱିତୀୟ ଦିନିକିଆ ଖେଳାଯିବ । ଏହାପରେ ଅଗଷ୍ଟ ୧ରେ ତାରୋଉବାଠାରେ ତୃତୀୟ ଦିନିକିଆ ଖେଳାଯିବ । ଦିନିକିଆ ସିରିଜ ସମାପ୍ତ ପରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଅଗଷ୍ଟ ୩ରୁ ଆରମ୍ଭ ହେବ ।

Get real time updates directly on you device, subscribe now.