fbpx

ଦିନିକିଆର ପ୍ରତିଶୋଧ ଟେଷ୍ଟରେ: ଶ୍ରେୟସ-ଅଶ୍ୱିନୀ ଭାରତକୁ ଜିତାଇଲେ, ସଂଘର୍ଷ କରି କରି ହାର୍ ମାନିଲା ବାଂଲାଦେଶ

ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନରେ ଆଜି କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ମୀରପୁରରେ ଖେଳାଯାଇଥିବା ଏହି ମ୍ୟାଚରେ ବାଂଲାଦେଶ ଭାରତକୁ ୧୪୫ ରନର ଟାର୍ଗେଟ ଦେଇଥିଲା । ଏହି ଲକ୍ଷ୍ୟକୁ ଭାରତ ସହଜରେ ହାସଲ କରିନେବ ବୋଲି ଅନୁମାନ କରାଯାଉଥିଲେ ହେଁ ପଡ଼ିଆରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା । ନିୟମିତ ବ୍ୟବଧାନରେ ଭାରତର ୱିକେଟ ପଡ଼ିବା ଯୋଗୁଁ ଟିମ୍ ଇଣ୍ଡିଆ ସଙ୍କଟ ଆଡ଼କୁ ମୁହାଁଇଥିଲା ।

ତେବେ ଆଜି କଡ଼ା ସଂଘର୍ଷ ମଧ୍ୟରେ ଶେଷରେ ଭାରତ ୪୭ ଓଭରରେ ୭ ୱିକେଟ ହରାଇ ବିଜୟ ହାସଲ କରିବାରେ ସକ୍ଷମ ହୋଇଥିଲା । ବାଂଲାଦେଶ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଶିକାର କରିବା ପାଇଁ ପ୍ରାଣପଣେ ପ୍ରୟାସ କରିଥିଲେ ହେଁ ତାହା ସମ୍ଭବ ହୋଇନଥିଲା । ଶ୍ରେୟସ ଆୟର ୨୯ ଓ ରବିଚନ୍ଦ୍ରନ ଅଶ୍ୱିନ ୪୨ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳର ବିଜୟର ମୁଖ୍ୟ କର୍ଣ୍ଣଧାର ସାଜିଥିଲେ ।

ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୪ ୱିକେଟ ହରାଇ ୪୫ ରନ୍ ହାସଲ କରିଥିଲା । ଜୟଦେବ ଉନାଦକଟ ଓ ଅକ୍ଷର ପଟେଲ କ୍ରିଜରେ ରହିଥିଲେ । ମାତ୍ର ଚତୁର୍ଥ ଦିନ ପ୍ରାରମ୍ଭରେ ଜୟଦେବ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ । ବାଂଲାଦେଶ ଦ୍ୱିତୀୟ ଇନିଂସରେ ୨୩୧ ରନ୍ କରି ଭାରତ ନିକଟରେ ୧୪୫ ରନର ଟାର୍ଗେଟ ଛିଡ଼ା କରିଥିଲା । ଚଳିତ ସିରିଜରେ କ୍ୱିନ ସ୍ୱିପ୍ କରି ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ମହତ୍ତ୍ୱପୂର୍ଣ୍ଣ ଅଙ୍କ ହାସଲ କରିବା ଲକ୍ଷ୍ୟକୁ ପୂରଣ କରିଛି ଟିମ୍ ଇଣ୍ଡିଆ ।

ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ବାଂଲାଦେଶ ୨୨୭ ରନରେ ଓ ଭାରତ ୩୧୪ ରନରେ ଅଲଆଉଟ ହୋଇଥିଲେ । ପ୍ରଥମ ଟେଷ୍ଟରେ ଭାରତ ୧୮୮ ରନରେ ବୃହତ ବିଜୟ ହାସଲ କରିଥିଲା ବେଳେ ୩ ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜରେ ଭାରତ ୨-୧ରେ ପରାଜୟ ବରଣ କରିଥିଲା ।

Get real time updates directly on you device, subscribe now.