fbpx
BSKY SKY
BSKY SKY

ଭାରତକୁ ପୁଣି ଦୁଇଟି ସ୍ୱର୍ଣ୍ଣ: ଭାରତୀୟ ପୁରୁଷ ଚେସ୍ ଟିମ୍ ସବୁ ପଦକ ପୋଛିନେଲା

BSKY

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉଠାରେ ଚାଲିଥିବା ଏସୀୟ ପାରା କ୍ରୀଡ଼ାର ଆଜି ହେଉଛି ଷଷ୍ଠ ତଥା ଅନ୍ତିମ ଦିବସ । ପ୍ରଥମ ଦିନରେ ଭାରତ ୬ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ, ଦ୍ୱିତୀୟ ଦିନରେ ୩ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ, ତୃତୀୟ ଦିନରେ ୬ଟି ସ୍ୱର୍ଣ୍ଣ ସହିତ ୩୦ଟି ପଦକ, ଚତୁର୍ଥ ଦିନରେ ୩ଟି ସ୍ୱର୍ଣ୍ଣ ସହିତ ୧୮ଟି ପଦକ ଓ ପଞ୍ଚମ ଦିନରେ ୭ଟି ସ୍ୱର୍ଣ୍ଣ ସହିତ ୧୭ଟି ଜିତିଥିଲା । ଏହା ଫଳରେ ଭାରତର ମୋଟ ପଦକ ସଂଖ୍ୟା ୯୯ରେ ପହଞ୍ଚିବା ସହିତ ସେଥିରେ ୨୫ଟି ସ୍ୱର୍ଣ୍ଣ, ୨୯ଟି ରୌପ୍ୟ ଓ ୪୫ଟି ବ୍ରୋଞ୍ଜ ପଦକ ସାମିଲ ରହିଥିଲା ।

ଆଜି ଦିଲିପ ମହାଦୁ ଗାଭିଟ ପୁରୁଷ ୪୦୦ ମିଟର ଟି୪୭ ଇଭେଣ୍ଟରେ ପ୍ରଥମ ସ୍ୱର୍ଣ୍ଣ ଜିତିଥିବା ବେଳେ ପୁରୁଷ ଏଫ-୫୫ ଜାଭେଲିନ ଥ୍ରୋ’ରେ ନିରଜ ଯାଦବ ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଥିଲେ । ଏହା ମଧ୍ୟରେ ଭାରତ ପୁଣି ଦୁଇଟି ସ୍ୱର୍ଣ୍ଣ ଜିତିଛି । ଭାରତ ଚେସରେ ସମସ୍ତ ପଦକ ପୋଛି ନେଇଛି । ବ୍ୟକ୍ତିଗତ ଓ ଦଳଗତ ପ୍ରଦର୍ଶନରେ ଭାରତକୁ ବଡ଼ ସଫଳତା ମିଳିଛି । ପୁରୁଷ ଟିମ୍ ରାପିଡ ଭି୧-ବି୧ରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ପୁରୁଷ ବ୍ୟକ୍ତିଗତ ରାପିଡ ଭି୧-ବି୧ରେ ଦର୍ପଣ ଇନାନିଙ୍କୁ ସ୍ୱର୍ଣ୍ଣ, ସୌନ୍ଦର୍ଯ୍ୟ କୁମାର ପ୍ରଧାନଙ୍କୁ ରୌପ୍ୟ ଓ ଅଶ୍ୱିନ ମାକୱାନାଙ୍କୁ ବ୍ରୋଞ୍ଜ ମିଳିଛି ।

ହାଙ୍ଗଝୋଉ ସଂସ୍କାରଣରେ ଭାରତ ସର୍ବାଧିକ ପଦକ ଜିତିବା ସହିତ ସର୍ବାଧିକ ସ୍ୱର୍ଣ୍ଣ ଜିତି ନୂଆ ରେକର୍ଡ ସୃଷ୍ଟି କରିଛି । ପ୍ରଥମ ଥର ପାଇଁ ଭାରତ ୧୦୦ରୁ ଅଧିକ ପଦକ ଜିତି ଶତକ ଅର୍ଜନ କରିଛି । ଚଳିତ ବର୍ଷ ଏହି ଇଭେଣ୍ଟରେ ମୋଟ ୩୦୯ ଜଣ ଭାରତୀୟ ଆଥଲେଟ୍ ଭାଗ ନେଉଥିବା ବେଳେ ସେଥିମଧ୍ୟରେ ୧୯୬ ଜଣ ପୁରୁଷ ଓ ୧୧୩ ଜଣ ମହିଳା ରହିଛନ୍ତି । ୪ ବର୍ଷ ପୂର୍ବେ ଅନୁଷ୍ଠିତ ହୋଇଥିବା ଇଣ୍ଡୋନୋସିଆର ଜାକର୍ତ୍ତା ସଂସ୍କରଣରେ ଭାରତର ୧୮୮ ଜଣ ଆଥଲେଟ୍ ଅଂଶଗ୍ରହଣ କରିଥିଲେ ।

Get real time updates directly on you device, subscribe now.