ଭାରତୀୟ କମ୍ପାନୀ ଆଣିଲା ଶସ୍ତା ଡିଭାଇସ୍: ଗୋଟିଏ ମେଶିନ୍ରେ ହେବ ଅନେକ ରୋଗର ପରୀକ୍ଷା, ୩ ମିନିଟ୍ରେ ମିଳିବ ରେଜଲ୍ଟ
ନୂଆଦିଲ୍ଲୀ: ସମଗ୍ର ବିଶ୍ୱକୁ ଭାରତ ବର୍ତ୍ତମାନ ସୁଲଭ ମୂଲ୍ୟରେ ଔଷଧ ଯୋଗାଉଛି। ସେଥିପାଇଁ ଭାରତକୁ ବିଶ୍ୱର ଫାର୍ମାସି ବୋଲି କୁହାଯାଏ। କମ୍ ମୂଲ୍ୟରେ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା ପାଇଁ ଭାରତୀୟ କମ୍ପାନୀଗୁଡିକ ମଧ୍ୟ ନୂତନ ଉପକରଣ ଆଣିବା ଜାରି ରଖିଛନ୍ତି। ସେହିପରି ଭାରତର ଏକ କମ୍ପାନୀ ଏକ ଉପକରଣ ବିକଶିତ କରିଛି ଯାହା ମଧୁମେହ, ଥାଇରଏଡ୍, ଫର୍ଟିଲିଟି ଏବଂ ଅନେକ ସଂକ୍ରାମକ ଏବଂ କେତେକ ପେଟ ରୋଗ ପାଇଁ ପରୀକ୍ଷା କରିପାରିବ।
ଭାରତୀୟ କମ୍ପାନୀ ସିପଲା ବୁଧବାର ଏହାର ଡାଇଗ୍ନୋଷ୍ଟିକ୍ ଡିଭାଇସ୍ ସିପପଏଣ୍ଟ ଲଞ୍ଚ କରିଛି । କମ୍ପାନୀର ଏହି ଗୋଟିଏ ଡିଭାଇସ୍ରେ ଅନେକ ପ୍ରକାରର ରୋଗର ପରୀକ୍ଷା କରାଯାଇ ପାରିବ। କମ୍ପାନୀ କହିବା ମୁତାବକ ଏହି ଡିଭାଇସ୍ ଦ୍ୱାରା ଲୋକଙ୍କୁ ଅନେକ ସୁବିଧା ମିଳିବ। କାରଣ ଏହି ଗୋଟିଏ ଡିଭଅଇସ୍ରେ ଅନେକ ପ୍ରକାର ପରୀକ୍ଷା ହେବତ ଲୋକମାନଙ୍କର କମ୍ ଟଙ୍କା ଖର୍ଚ୍ଚ ହେବ। ଏହା ସ୍ୱାସ୍ଥ୍ୟକର୍ମୀମାନଙ୍କର ମଧ୍ୟ ବହୁ କାର୍ଯ୍ୟରେ ଅସିବ। କାରଣ ୩ରୁ ୧୫ ମିନିଟ୍ ମଧ୍ୟରେ ଏଥିରେ ପରୀକ୍ଷାର ଫଳାଫଳ ମିଳିବ।
ସିପପଏଣ୍ଟରେ ସ୍ୱୟଂଚାଳିତ ସିଷ୍ଟମ ଦିଆଯାଇଛି ଏବଂ ସହଜ ବ୍ୟବହାରକାରୀ ଇଣ୍ଟରଫେସ ସହିତ ଆସିଥାଏ । ଏପରି ପରିସ୍ଥିତିରେ ଏହା ଗ୍ରାମାଞ୍ଚଳ, ମୋବାଇଲ୍ ଭ୍ୟାନ୍ ଏବଂ ସୀମିତ ଭିତ୍ତିଭୂମି ସହିତ ଦୁର୍ଗମ ଅଞ୍ଚଳରେ ମଧ୍ୟ ବ୍ୟବହାର କରାଯାଇପାରିବ ।
କମ୍ପାନୀର ଦାବି ଅନୁଯାୟୀ, ଏହା ୟୁରୋପୀୟ ଇନ୍-ଭିଟ୍ରୋ ଡାଇଗ୍ନୋଷ୍ଟିକ୍ ଡିଭାଇସ୍ ନିର୍ଦ୍ଦେଶନାମା(CE IVD) ଦ୍ୱାରା ଅନୁମୋଦିତ। ତେଣୁ ଏହି କ୍ଷେତ୍ରରେ ଏହାର ଫଳାଫଳକୁ ବିଶ୍ୱାସ କରାଯାଇପାରେ। ତେବେ ସିପଲା କମ୍ପାନୀ ପକ୍ଷରୁ ଏପର୍ଯ୍ୟନ୍ତ ଉପକରଣର ମୂଲ୍ୟ ପ୍ରକାଶ କରିନାହିଁ ଏବଂ ଏହା ଡାକ୍ତରଙ୍କ କ୍ଲିନିକରେ ରଖାଯିବ ନା ଘରେ ସାଧାରଣ ଗ୍ରାହକଙ୍କ ଦ୍ୱାରା ବ୍ୟବହାର କରାଯାଇପାରିବ ତାହା ସ୍ପଷ୍ଟ କରି କରାଯାଇନାହିଁ।