ନୂଆଦିଲ୍ଲୀ: ଆମେରିକାରେ ସୁଧ ହାରରେ କୌଣସି ମନ୍ଥରତା ନଥିବା ସଂକେତ ମିଳି ସାରିଛି । ଏହାପରେ ଡଲାର ତୁଳନାରେ ସାରା ବିଶ୍ୱର ମୁଦ୍ରା ହ୍ରାସ ପାଇବାରେ ଲାଗିଛି । ଫେଡେରାଲ ରିଜର୍ଭର ସଂକେତ ମିଳିବା ପରେ ଇନଭେଷ୍ଟରମାନେ ବିଶ୍ୱ ବଜାରରୁ ଟଙ୍କା ଆଣି ଆମେରିକା ଡଲାରରେ ବିନିଯୋଗ କରୁଛନ୍ତି । ଫଳରେ ଭାରତୀୟ ମୁଦ୍ରା ସମେତ ବିଶ୍ୱର ଅନ୍ୟାନ୍ୟ ମୁଦ୍ରାରେ ମଧ୍ୟ କ୍ଷତି ଦେଖାଦେଇଛି । ତେବେ ଏହାରି ଭିତରେ ଆଜି ସେୟାର ମାର୍କେଟରେ ଟଙ୍କାର ମୂଲ୍ୟ ହ୍ରାସ ପାଇବାର ଏକ ନୂଆ ରେକର୍ଡ ସୃଷ୍ଟି କରିଛି ।
ଇଣ୍ଟରବ୍ୟାଙ୍କ ଫରେକ୍ସ ଏକ୍ସଚେଞ୍ଜରେ ଆଜି କାରବାର ଆରମ୍ଭ ହେବା ସମୟରେ ଆମେରିକା ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୦.୨୫ ପ୍ରତିଶତ ହ୍ରାସ ପାଇ ୮୦.୦୩ ସ୍ତରରେ ପହଞ୍ଚିଥିଲା । ଏହାପୂର୍ବରୁ ଟଙ୍କାର ମୂଲ୍ୟ ଆଜି ଡଲାର ତୁଳନାରେ ୮୦.୦୭ ଲେବଲରେ ଆରମ୍ଭ ହୋଇଥିବା ବେଳେ ଏହା ୮୦.୧୩ ପର୍ଯ୍ୟନ୍ତ ଖସି ଆସିଥିଲା । ତେବେ ଏହା ସେୟାର ମାର୍କେଟରେ ସର୍ବକାଳୀନ କମ୍ ସ୍ତର ଭାବେ ରେକର୍ଡ ହୋଇଛି । ଗତ ଜୁଲାଇ ମାସରେ ମଧ୍ୟ ବ୍ୟବସାୟ ସମୟରେ ୮୦ ଟଙ୍କାରୁ ହ୍ରାସ ପାଇଥିଲା । କିନ୍ତୁ ପରେ ସେଶନ ସମୟରେ କମବ୍ୟାକ କରି ପାରିଥିଲା ଭାରତୀୟ ମୁଦ୍ରା ।
ରେକର୍ଡ ଅନୁସାରେ, ଚଳିତବର୍ଷ ଭାରତୀୟ ମୁଦ୍ରା ଏପର୍ଯ୍ୟନ୍ତ ପ୍ରାୟ ୭ ପ୍ରତିଶତ କମଜୋର ହୋଇଛି । ଟଭ୍କାର ମୂଲ୍ୟ ଡଲାର ତୁଳନାରେ ଲଗାତାର ହ୍ରାସ ପାଇବାରେ ଲାଗିଛି । ୨୦୧୪ ମସିହା ଡିସେମ୍ବର ପରଠୁ ଏପର୍ଯ୍ୟନ୍ତ ଆମେରିକା ଡଲାର ତୁଳନାରେ ପ୍ରାୟ ୨୫ ପ୍ରତିଶତ କମଜୋର ହୋଇଛି ଭାରତୀୟ ମୁଦ୍ରା । ତେବେ କେବଳ ଭାରତୀୟ ମୁଦ୍ରା ନୁହେଁ, ଅନ୍ୟ ଦେଶର ମୁଦ୍ରାଗୁଡିକରେ ମଧ୍ୟ ଏହି ହ୍ରାସ ଦେଖିବାକୁ ମିଳିଛି । ସେହିପରି ପ୍ରାୟ ୨ ଦଶନ୍ଧି ପରେ ଆମେରିକାର ଡଲାର ତୁଳନାରେ ୟୁରୋର ମୂଲ୍ୟ କମ ହୋଇଛି ।